ସ୍ବାସ୍ଥ୍ୟ ସ୍ଥିର, ମୁହଁରେ ହେବ ପ୍ଲାଷ୍ଟିକ୍‌ ସର୍ଜରି

ଅଳିଆ ଗଦାରୁ ଶିଶୁକନ୍ୟା ଉଦ୍ଧାର ଘଟଣା

କଟକ: ଭୁବନେଶ୍ବର ଇନ୍‌ଫୋସିଟି ଅଞ୍ଚଳରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ନାବାଳିକା ଶିଶୁ କନ୍ୟାର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଶିଶୁକୁ ଶିଶୁଭବନର ସର୍ଜରି ଵାର୍ଡରୁ ନ୍ୟୁବର୍ଣ୍ଣ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ସ୍ବତନ୍ତ୍ର ଡାକ୍ତରୀ ଦଳ ଶିଶୁର ସ୍ବାସ୍ଥ୍ୟ ଉପରେ ନଜର ରଖଛନ୍ତି। ଅନ୍ୟପଟେ ଶିଶୁର ମୁହଁରେ ପ୍ଲାଷ୍ଟିକ୍‌ ସର୍ଜରି କରିବାକୁ ଶିଶୁଭବନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ରବିବାର ଅପରାହ୍‌ଣ ପ୍ରାୟ ୩ଟା ବେଳେ ଇନ୍‌ଫୋସିଟି ଥାନା ପ୍ରଶାନ୍ତିବିହାର ଅଞ୍ଚଳରେ ଥିବା ବିଏମ୍‌ସି ଡଷ୍ଟବିନ୍‌ରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିଲା। ଶିଶୁଭବନରେ ପ୍ରାଥମିକ ଚିକିତ୍ସା ପରେ ନ୍ୟୁବର୍ଣ୍ଣ ଵାର୍ଡର ୨୩୧ ନମ୍ବର ବେଡ୍‌କୁ ସ୍ଥାନାନ୍ତର କରାଯାଇଛି। ବଡ଼ ମେଡିକାଲ୍‌ରେ ସିଟି ସ୍କାନ୍‌ ଓ ଆଖି ପରୀକ୍ଷା କରାଯାଇଥିବା ବେଳେ କାର୍ଡିଓଲୋଜି ଏବ˚ ପ୍ଲାଷ୍ଟିକ୍‌ ସର୍ଜରିର ଡାକ୍ତରଙ୍କ ସହିତ ଆଲୋଚନା କରାଯାଇଥିଲା। ପରୀକ୍ଷା କରାଇ ପୁଣି ଶିଶୁଭବନକୁ ଫେରାଇ ଅଣାଯାଇଥିଲା। ଅନ୍ୟପଟେ କଟକ ଡିସିପିଓ ପ୍ରଗତି ମହାନ୍ତି, ଖୋର୍ଧା ଡିସିପିଓ ବାଣିଶ୍ରୀ ପଟ୍ଟନାୟକ ଏବ˚ ଚାଇଲ୍ଡ ଲାଇନ୍‌ ସ˚ଯୋଜକ ନାରାୟଣ ଶୁକ୍ଳା ପ୍ରମୁଖ ବିଭିନ୍ନ ପର୍ଯ୍ୟାୟରେ ଶିଶୁଭବନକୁ ଯାଇ ଚିକିତ୍ସା ସମ୍ପର୍କରେ ଶିଶୁଭବନ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ଆଖି ପାଖରେ ମା˚ସ ନଥିବାରୁ ପ୍ଲାଷ୍ଟିକ ସର୍ଜରି କରିବା ପାଇଁ ଶିଶୁଭବନ କର୍ତ୍ତୃପକ୍ଷ ବଡ଼ ମେଡିକାଲ୍‌କୁ ଚିଠି ଲେଖିଛନ୍ତି। ବଡ଼ ମେଡିକାଲ୍‌ର ଉଭୟ ଚକ୍ଷୁ ଓ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଡାକ୍ତରଙ୍କ ଏକ ସ୍ବତନ୍ତ୍ର ଟିମ୍‌ ଅପରେସନ୍‌ କରିବାକୁ ଯୋଜନା କରାଯାଇଛି। ଶିଶୁଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ କହିଛନ୍ତି, ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା ବେଳେ ଡାକ୍ତରୀ ଟିମ୍‌ ଚିକିତ୍ସା ଚଳାଇଛନ୍ତି। ପ୍ଲାଷ୍ଟିକ୍‌ ସର୍ଜରି କରିବା ସମ୍ପର୍କରେ ଅନୁଧ୍ୟାନ କରାଯାଉଛି।

ସମ୍ବନ୍ଧିତ ଖବର