ବାରଙ୍ଗ: ଆଜି ଥିଲା ନନ୍ଦନକାନନ ବାଘୁଣୀ ଅଙ୍କିତାର ସପ୍ତମ ଜନ୍ମଦିନ। ଏହାର ଦିନକ ପୂର୍ବରୁ ଦୁଇଟି ଶାବକକୁ ଜନ୍ମ ଦେଇ ସେ ନନ୍ଦନକାନନ ଓ ପଶୁପ୍ରେମୀଙ୍କୁ ଭେଟି ଦେଇଥିଲା ସୁନ୍ଦର ଉପହାର। ମହାବଳ ବାଘ ରହୁଥିବା ପଛ ପାଖ ୨୮ ‘ଗ’ ଏନ୍କ୍ଲୋଜର୍ରେ ସ୍ୱତନ୍ତ୍ର ଭାବେ ନିର୍ମିତ ଖୁଆଡ଼ ମଧ୍ୟରେ ସେ ଦୁଇଟି ଶାବକକୁ ଜନ୍ମ ଦେଇଥିଲା। ତେବେ ୨୪ ଘଣ୍ଟା ନ ପୂରୁଣୁ ଆଜି ରାତିରେ ସେଥିରୁ ଗୋଟିଏ ଶାବକର ମୃତ୍ୟୁ ହୋଇଯାଇଛି। ଅନ୍ୟ ଶାବକଟି ନିକଟକୁ ମଧ୍ୟ ମା’ ବାଘୁଣୀ ଯାଉ ନଥିବା ସିସିଟିଭିରୁ ଦେଖିବା ପରେ ନନ୍ଦନକାନନ କର୍ତୃପକ୍ଷ ଚିନ୍ତିତ ହୋଇ ପଡ଼ିଛନ୍ତି। ରାତିରେ ଖୁଆଡ଼ ମଧ୍ୟକୁ ଯାଇ ପରୀକ୍ଷା କରିବା ସମ୍ଭବ ହୋଇ ନ ଥିବାରୁ ନବଜାତ ବାଘଛୁଆର ମୃତ୍ୟୁର କାରଣ ଜଣା ପଡ଼ି ନାହିଁ।
ଶୁକ୍ରବାର ରାତି ପ୍ରାୟ ୧୦ଟା ୧୨ ମିନିଟ୍ରେ ପ୍ରଥମ ଓ ୧୦ଟା ୪୦ ମିନିଟ୍ରେ ଦ୍ୱିତୀୟ ଶାବକ ଜନ୍ମ ଦେଇଥିଲା। ସିସିଟିଭି ଚିତ୍ର ଦେଖିବା ପରେ ଆଜି ପୂର୍ବାହ୍ନରେ ଏପରି ସୂଚନା ଦେଇଥିଲେ ନନ୍ଦନକାନନ ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ। ୬ ବର୍ଷ ବୟସର ଅଙ୍କିତା ଓ ହାଇଦ୍ରବାଦ୍ ଚିଡ଼ିଆଖାନାରୁ ଆସିଥିବା ‘ସେଫ୍’ର ମିଳନରୁ ଏହି ଶାବକ ଦୁଇଟି ଜନ୍ମ ନେଇଥିଲେ। ୨୦୧୨ ଜାନୁଆରି ୧୩ ତାରିଖରେ ନନ୍ଦନକାନନର ସାଧାରଣ ରଙ୍ଗର ବାଘୁଣୀ ସାରା ଓ ଧଳା ମହାବଳ ବାଘ ଋଷି ମିଳନରୁ ଜନ୍ମଲାଭ କରିଥିବା ୩ ଶାବକ ମଧ୍ୟରୁ ଦ୍ୱତୀୟ ହେଉଛି ଅଙ୍କିତା। ତା ସହିତ ଜନ୍ମ ନେଇଥିଲେ ଶୁଭଶ୍ରୀ ଓ ତୃତୀୟ ଆଶା। ୨୦୧୦ରେ ନନ୍ଦନକାନନରୁ ବାଘମାନଙ୍କ ଏକବଂଶୀ ପ୍ରଜନନ ବ୍ୟବସ୍ଥା ଉଚ୍ଛେଦ ଲାଗି ଭୋପାଳରୁ ସାଧାରଣ ରଙ୍ଗର ବାଘୁଣୀ ସାରାକୁ ଅଣାଯାଇଥିଲା। ଯୋଜନା ମୁତାବକ ସାରା ସହ ନନ୍ଦନକାନନର ଧଳା ମହାବଳ ବାଘ ଋଷି ମିଳନରୁ ଜନ୍ମ ନେଇଥିଲେ ଶୁଭଶ୍ରୀ , ଅଙ୍କିତା ଓ ଆଶା।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ୧ ତାରିଖରେ ହାଇଦ୍ରାବାଦସ୍ଥିତ ନେହେରୁ ଚିଡ଼ିଆଖାନାରୁ ସାଧାରଣ ରଙ୍ଗର ମହାବଳ ବାଘ ‘ସେଫ୍’କୁ ଅଣାଯାଇଥିଲା। ଏହି ଶାବକମାନଙ୍କୁ ନେଇ ନନ୍ଦନକାନନର ମାହବଳ ବାଘପିଢ଼ି ବହୁ ଆଗକୁ ବଢ଼ିବ ଓ ଏମାନଙ୍କୁ ଅନ୍ୟ ବାଘମାନଙ୍କ ସହ ମିଳନର ସୁଯୋଗ ଦେଇ ନିରୋଗ ବାଘ ବଂଶ ସୃଷ୍ଟି କରିବାର ଯୋଜନା କରାଯାଇଛି। ଗତକାଲି ରାତିରେ ଜନ୍ମିତ ଦୁଇ ଶାବକକୁ ନେଇ ନନ୍ଦନକାନନର ମୋଟ ବାଘ ସଂଖ୍ୟା ୨୬କୁ ବୃଦ୍ଧି ପାଇଥିଲା ଏମାନଙ୍କ ମଧ୍ୟରେ ୮ଟି ଧଳା ବାଘ(୩ଟି ଅଣ୍ଡିରା ଓ ୫ଟା ମାଈ) ଅଛନ୍ତି। ସେହିପରି ୧୬ ସାଧାରଣ ରଙ୍ଗ ବାଘଙ୍କ ମଧ୍ୟରୁ ୬ଟି ଅଣ୍ଡିରା, ୮ଟି ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ଦୁଇ ଶାବକ ଅଛନ୍ତି। ଏମାନଙ୍କ ମଧ୍ୟରେ ଦୁଇଟି ମେଲାନେଷ୍ଟିକ(କଳା ରଙ୍ଗର) ଅଛନ୍ତି। ମାତ୍ର ଆଜି ରାତିରେ ଦୁଇ ନବଜାତକ ମଧ୍ୟରୁ ଗୋଟିଏ ଶାବକର ମୃତ୍ୟୁ ହୋଇଯିବାରୁ ପଶୁପ୍ରେମୀ ଓ ନନ୍ଦନକାନନ କର୍ତୃପକ୍ଷଙ୍କ ଖୁସି ଫିକା ପଡ଼ିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/barang-SAIF.png)
