ଭୁବନେଶ୍ବର: ଶିଶୁପୁତ୍ରଟିଏ ପାଇବା ପାଇଁ କିଏ କେତେ ପୂଜା ପାଠ କରୁଛି। କିନ୍ତୁ ଜଣେ ଶିଶୁପୁତ୍ର ତାର ବାପା ମା’ଙ୍କ ପାଇଁ ଅଲୋଡ଼ା ପାଲଟି ଯାଇଛି। ଶିଶୁପୁତ୍ରଟିକୁ କେହି ନାଳରେ ଫିଙ୍ଗି ଚାଲି ଯାଇଛି। ଏଭଳି ଏକ ଦୃଶ୍ୟ ଆଜି ସକାଳୁ ଦେଖିବାକୁ ମିଳିଥିଲା, ଖାରବେଳନଗର ଥାନା ଅଧୀନ ଶାସ୍ତ୍ରୀନଗର ଶନିମନ୍ଦିର ନିକଟ ଏକ ନାଳରେ। ସ୍ଥାନୀୟ ଲୋକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରି ଚିକିତ୍ସା ପାଇଁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ୍ ନେଇଥିଲେ। ଖବରପାଇ ଚାଇଲ୍ଡ ଲାଇନ୍ ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ଶିଶୁପୁତ୍ରକୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି। ସେ ସେଠାରେ ଏବେ ଚିକିତ୍ସାଧୀନ। ତେବେ ନବଜାତ ଶିଶୁପୁତ୍ରକୁ କିଏ ଏଭଳି ଦୟନୀୟ ଅବସ୍ଥାରେ ଫୋପାଡ଼ି ଚାଲିଯାଇଛି? କେଉଁ ପରିସ୍ଥିତିରେ ମହିଳା ଜଣକ ଶିଶୁପୁତ୍ରକୁ ଛାଡ଼ି ଦେଇଛି? ଏହାପଛରେ କ’ଣ ଉଦ୍ଦେଶ୍ୟ ରହିଛି। ତାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଜଣେ ଯୁବତୀ ଏଭଳି କାଣ୍ଡ କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏନେଇ ଚାଇଲ୍ଡ ଲାଇନ୍ ପକ୍ଷରୁ ତନାଘନା ଜାରି ରହିଛି। ସୋମବାର ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଶାସ୍ତ୍ରୀନଗର ଅଞ୍ଚଳର ବାବୁନା ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଭଉଣୀ ମର୍ଣ୍ଣିଂୱାକ୍ରେ ଯାଇଥିଲେ। ସେ ଶନିମନ୍ଦିର ନିକଟରେ ଯାଉଥିବା ସମୟରେ ଛୋଟପିଲା କାନ୍ଦୁଥିବା ଶୁଣିଥିଲେ। ନାଳ ନିକଟକୁ ଆସି ଦେଖିଥିଲେ କି, ସେଠାରେ ଏକ ଅଖା ଭିତରୁ ଶିଶୁର କାନ୍ଦ ଶୁଭୁଛି। ଏହା ପରେ ସେ ଲୋକଙ୍କୁ ଡାକ ପକାଇ ଥିଲେ। ଭଉଣୀର ପାଟିଶୁଣି ବାବୁନା ଦୌଡ଼ି ଆସିଥିଲେ। ନବଜାତ ଶିଶୁ ଅଖା ଭିତରେ ପଡ଼ିଥିବା ଦେଖି ସେଠାରୁ ତାକୁ ଉଦ୍ଧାର କରିଥିଲେ। ଏହାପରେ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ଶିଶୁଟିର ପ୍ରାଥମିକ ଚିକିତ୍ସା ପରେ ବାବୁନା ଶିଶୁପୁତ୍ରକୁ ଧରି ଘରକୁ ଫେରୁଥିଲେ। ଖବରପାଇ ଚାଇଲ୍ଡ ଲାଇନ୍ର ପ୍ରତିନିଧି ସେଠାରେ ପହଞ୍ଚି ଶିଶୁପୁତ୍ରକୁ ସେମାନଙ୍କ ହେପାଜତକୁ ନେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାକୁ କଟକ ଶିଶୁଭବନ ନିଆଯାଇଥିଲା। ସେ ଏବେ ସେଠାରେ ଚିକିତ୍ସାଧୀନ ଥିବା ଚାଇଲ୍ଡ ଲାଇନ ପକ୍ଷରୁ ବେଣୁଧର ସେନାପତି ସୂଚନା ଦେଇଛନ୍ତି।
ଅଲୋଡ଼ା ଶିଶୁପୁତ୍ର ନାଳରୁ ଉଦ୍ଧାର
/sambad/media/post_attachments/wp-content/uploads/2019/03/Untitled-31-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)