ପୁରୁଣା ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ୍ ଆଘାତରେ ମୃତ ଜଣେ ଯୁବକଙ୍କ ଶରୀରକୁ ବ୍ୟବଚ୍ଛେଦ ପାଇଁ ନିଆଯାଉଥିବା ବେଳେ ତାଙ୍କ ଗୋଡ଼ ହଲୁଥିବା ଦେଖିବାକୁ ମିଳିଥିଲା। ଯୁବକଜଣଙ୍କ ବଞ୍ଚିଥିବା ଭାବି ପରିବାର ଲୋକେ ତାଙ୍କୁ ପୁନର୍ବାର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରି ମୃତକଙ୍କ ସଂପର୍କୀୟ ଓ ପରିବାର ଲୋକ ପାଟିତୁଣ୍ଡ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଯୁବକଜଣଙ୍କ ହେଲେ, ଏୟାରଫିଲଡ୍ ଥାନା ଅନ୍ତର୍ଗତ ବ୍ରହ୍ମକୁଣ୍ଡଳ ଗ୍ରାମର ହରିପ୍ରସାଦ ଜେନା (୩୫)। ଆଜି ଦିନ ପ୍ରାୟ ୧୧ଟା ବେଳେ ହରିପ୍ରସାଦଙ୍କ ଘରେ ବିଦ୍ୟୁତ୍ ସଂଯୋଗ କାମ ଚାଲିଥିଲା। ଏଥିରେ ତାଙ୍କ ପଡ଼ୋଶୀ ମନୋଜ ଜେନା (୩୬) ସହାୟତା କରୁଥିଲେ। ତେବେ ବିଦ୍ୟୁତ୍ ଆଘାତରେ ଉଭୟ ଗୁରୁତର ଆହତ ହେବାରୁ ପରିବାର ଲୋକେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ। ଅପରାହ୍ଣ ପ୍ରାୟ ୩ଟାରେ ଶବଦ୍ୱୟକୁ ବ୍ୟବଚ୍ଛେଦ ପାଇଁ ନିଆଯାଉଥିବା ବେଳେ ହରିପ୍ରସାଦଙ୍କ ପାଦ ହଲୁଥିବା ତାଙ୍କ ପରିବାର ଲୋକ ଦେଖିବାକୁ ପାଇଥିଲେ। ଏ ସଂପର୍କରେ ସେମାନେ ସିକ୍ୟୁରିଟିକୁ ଜଣାଇବା ସହ ହରିପ୍ରସାଦଙ୍କୁ ପୁଣିଥରେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଆଣିଥିଲେ। କିନ୍ତୁ ଡାକ୍ତର ପୁନର୍ବାର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ପରେ ମଧ୍ୟ ଶରୀରରେ କିଛି ସମୟ ପାଇଁ ଏମିତି ଲକ୍ଷଣ ଦେଖାଯାଏ ବୋଲି ଡାକ୍ତର କହିଥିଲେ। କିନ୍ତୁ ଚିକିତ୍ସାରେ ଅବହେଳା ଯୋଗୁଁ ହରିପ୍ରସାଦଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ତାଙ୍କ ପରିବାର ଲୋକ ସେଠାରେ ପାଟିତୁଣ୍ଡ କରିବାରୁ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ପ୍ରମୁଖ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ହରିପ୍ରସାଦଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।
କ୍ୟାପିଟାଲ ହସ୍ପିଟାଲରେ ଅଭାବନୀୟ ଘଟଣା, ବ୍ୟବଚ୍ଛେଦ ଗୃହରେ ହଲିଲା ମୃତକଙ୍କ ଗୋଡ଼
/sambad/media/post_attachments/wp-content/uploads/2018/07/dead-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)