ନୂଆ ଅଧ୍ୟକ୍ଷଙ୍କ ପ୍ରଥମ ଏମ୍‌ସ ଗସ୍ତ

ଆରମ୍ଭ ହେବ ଟିଚିଙ୍ଗ୍‌ ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କୁ ନେଇ ଗବେଷଣା ଏବଂ ନବସୃଜନ ଦିଗରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ସକ୍ରିୟ ଭାଗୀଦାରିତା ନିମନ୍ତେ ଟିଚିଙ୍ଗ୍‌ ଆସିଷ୍ଟାଣ୍ଟ୍‌(ଟିଏ) ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌(ଆର୍‌ଏ) କାର୍ଯ୍ୟକ୍ରମ ଆରମ୍ଭ ହେବ। ସିନିୟର୍‌ ଛାତ୍ରଛାତ୍ରୀମାନେ ଜୁନିୟର୍‌ ଛାତ୍ରଛାତ୍ରୀମାନଙ୍କର ଟିଏ ଏବଂ ଆର୍‌ଏ ଭାବେ ଦାୟିତ୍ବ ନିର୍ବାହ କରିବେ। ଏଥିସହ ସେମାନେ ଜୁନିୟର ଛାତ୍ରଛାତ୍ରୀଙ୍କୁ ଉଭୟ ପାଠପଢ଼ା ଓ ଗବେଷଣାରେ ସକ୍ରିୟ ସହଯୋଗ କରିବେ। ନୂତନ ଭାବେ ଅଧ୍ୟକ୍ଷ ଦାୟିତ୍ବ ବହନ କରିବା ପରେ ଏମ୍‌ସକୁ ପ୍ରଥମ ଗସ୍ତରେ ଆସି ଏପରି କହିଛନ୍ତି ପ୍ରଫେସର ଏ.କେ ବିଶୋଇ। ଏହି କାର୍ଯ୍ୟକ୍ରମ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ଚିକିତ୍ସା ବିଜ୍ଞାନରୁ ଅଧିକ ଶିକ୍ଷାଲାଭ ଏବଂ ନୂତନ ଅନୁସନ୍ଧାନ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତାକୁ ବୃଦ୍ଧି କରିବାରେ ବିଶେଷ ସହାୟକ ହେବ ବୋଲି ପ୍ରଫେସର ବିଶୋଇ କହିଛନ୍ତି।

ଏହି ଗସ୍ତ ଅବସରରେ ପ୍ରଫେସର ବିଶୋଇ ଓପିଡି ପରିଦର୍ଶନ କରି ରୋଗୀମାନଙ୍କ ସହ ଆଲୋଚନା କରିଥିଲେ। ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ, ଛାତ୍ରଛାତ୍ରୀ ଏବଂ ଏମ୍‌ସର କର୍ମଚାରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ। ଏମ୍‌ସରେ ସ୍ବାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥାକୁ ଆହୁରି ଅଧିକ କ୍ରିୟାଶୀଳ କରିବା ନିମନ୍ତେ ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ସୃଷ୍ଟି ସହିତ ଉଭୟ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାରେ ସଂପୃକ୍ତ ହେବା ନେଇ ସମସ୍ତଙ୍କୁ ସେ ଆହ୍ବାନ ଦେଇଛନ୍ତି। ପ୍ରଫେସର ବିଶୋଇଙ୍କୁ ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସ୍ୱାଗତ କରିଥିଲେ। ଏହି ପରିଦର୍ଶନ ସମୟରେ ଏମ୍‌ସ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, କୁଳସଚିବ ବି.ବି ମିଶ୍ରଙ୍କ ସମେତ ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକା ତଥା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର