ତିନି ପ୍ରମୁଖ ରାସ୍ତାରେ କେବୁଲ ବିଛା ଅଗଷ୍ଟରେ ସରିବ
ସ୍ମାର୍ଟ ଜନପଥ, ସଚିବାଳୟ ମାର୍ଗ ଏବଂ ବିଦ୍ୟୁତ ମାର୍ଗରେ ଓପିଟିସିଏଲ୍ ପକ୍ଷରୁ ଚାଲିଥିବା ଭୂତଳ କେବୁଲ୍ ବିଛା କାର୍ଯ୍ୟ ଅଗଷ୍ଟ ଶେଷ ସୁଦ୍ଧା ସାରିବାକୁ କୁହାଯାଇଛି। ଏହାସହ ରାସ୍ତା ଉପରେ ଥିବା ସମସ୍ତ ତାର, ପାଇପ୍ ଆଦିକୁ କାଢ଼ିବେ। ଆବଶ୍ୟକସ୍ଥଳେ ପାଇପ୍ ଯୋଗେ ଗ୍ୟାସ୍ ଯୋଗାଇବା ପାଇଁ ଗେଲ୍ ସହ ଆଲୋଚନା କରି ସ୍ୱତନ୍ତ୍ର କରିଡର୍ କରାଯିବ। ଭୂତଳ କେବୁଲ୍ ବିଛା କାର୍ଯ୍ୟ ଯେପରି ଜୋରଦାର୍ ହେବ, ସେଥିପାଇଁ ଦିନବେଳା ବି କାମ କରିବାକୁ ଓପିଟିସିଏଲ୍କୁ କୁହାଯାଇଛି। ଏଥିରେ ବ୍ୟବହାର ହେବାକୁ ଥିବା ଗାଡ଼ିକୁ ସହର ଭିତରକୁ ଛାଡ଼ିବାକୁ ଏବଂ କାମ କରିବାକୁ କମିସନରେଟ୍ ପୁଲିସ ଅନୁମତି ଦେବ। ବମିଖାଲ ଓଭରବ୍ରିଜ୍ ନିକଟରେ କେବୁଲ୍ ବିଛାଇବା ପାଇଁ ପୂର୍ତ୍ତ ବିଭାଗ ଆବଶ୍ୟକୀୟ ବ୍ୟବସ୍ଥା କରିବ। ସ୍ୱେରେଜ୍ ବୋର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟ ବି ଏହି ସମୟରେ ସରିବ। ସେପ୍ଟେମ୍ବର ୧୫ ପରେ କୌଣସି ରାସ୍ତା ଖୋଳା ଯିବନି। ସେପ୍ଟେମ୍ବର ୩୦ ପୂର୍ବରୁ ଖୋଳା ଯାଇଥିବା ରାସ୍ତା ପୋତାଯିବ। ଏହାପରେ ଏହି ରାସ୍ତାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେବ। ସେପ୍ଟେମ୍ବର ୧୫ ପୂର୍ବରୁ ବିଏମ୍ସି ଏନେଇ ସଂସ୍ଥା ଚିହ୍ନଟ କରିବ। ରାସ୍ତାରେ ଲ୍ୟାଣ୍ଡସ୍କେପିଂ ପାଇଁ ବିଡିଏ ଅଗଷ୍ଟ ସୁଦ୍ଧା ସଂସ୍ଥା ଚୟନ କରିବ।
ଅକ୍ଟୋବର ପ୍ରଥମ ସପ୍ତାହରୁ ଯାନ୍ତ୍ରିକ ସଫେଇ
ରାଜଧାନୀର ୮୦କିମି ରାସ୍ତାରେ ଯାନ୍ତ୍ରିକ ସଫେଇ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ବିଏମ୍ସି ପକ୍ଷରୁ ସଂସ୍ଥା ଚୟନ ଶେଷ ହୋଇଛି। ଏହି ସଫେଇ ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଚାଲିଛି। ଷ୍ଟାଡିୟମକୁ ଅନ୍ତର୍ଜାତୀୟ ସ୍ତରର ନିର୍ମାଣ କରାଯାଉଥିବା ବେଳେ ରାଜଧାନୀର ସୌନ୍ଦର୍ଯ୍ୟକରଣ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏଥିପାଇଁ ସମସ୍ତ କାର୍ଯ୍ୟ ଯେପରି ଧାର୍ଯ୍ୟସମୟରେ ଶେଷ ହେବ, ସେଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସହର ଭିତ୍ତିଭୂମି ଉନ୍ନତି ଏବଂ ସୌନ୍ଦର୍ଯ୍ୟକରଣ କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ଶେଷ ସୁଦ୍ଧା ବିଭିନ୍ନ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ଏହା ଧାର୍ଯ୍ୟ ସମୟରେ ଶେଷ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ପୂର୍ବ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ବିଶ୍ୱକପ୍ ପୂର୍ବରୁ ରାଜଧାନୀରେ ଚାଲିବାକୁ ଥିବା ୨୦୦ଟି ସିଟି ବସ୍ ନଭେମ୍ବର ପୂର୍ବରୁ ଆସିବ। ହେଲେ ଗତ ୮ତାରିଖରେ ବସିଥିବା ବୈଠକରୁ ଜଣାପଡ଼ିଛି ଯେ ସମସ୍ତ ୨୦୦ଟି ସିଟି ବସ୍ ଚାଲିବାକୁ ଡିସେମ୍ବର ମାସ ହୋଇଯିବ। ପ୍ୟାକେଜ୍ ୧ ଓ ୨ରେ ସିଟି ବସ୍ ଆସିବାକୁ ଥିବାବେଳେ ୧୫୦ଟି ମିଡ ଏବଂ ଷ୍ଟାଣ୍ଡାର୍ଡ ଏସି/ନନ୍ ଏସି ସିଟି ବସ୍ ଅକ୍ଟୋବର ଶେଷ ସପ୍ତାହରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) କର୍ତ୍ତୃପକ୍ଷଙ୍କୁ ମିଳିବ। ତେଣୁ ନଭେମ୍ବର ପ୍ରଥମ ସପ୍ତାହରେ ଏହାର ଶୁଭ ଉଦ୍ଘାଟନ ହେବ। ବାକି ୫୦ଟି ବସ୍ ଡିସେମ୍ବର ମାସରେ କର୍ତ୍ତୃପକ୍ଷଙ୍କୁ ମିଳିବ। ସେହିପରି ବସ୍ ଡିପୋ ପାଇଁ ଜମି ଚିହ୍ନଟ ହେବା ସହ ପାଚେରି ନିର୍ମାଣ ସରିଥିବା ବେଳେ ସେପ୍ଟେମ୍ବର ମାସରୁ କାମ ଆରମ୍ଭ ହେବ। ବସ୍ ଷ୍ଟପ୍/ବସ୍ କ୍ୟୁ ସେଲ୍ଟର ପାଇଁ କ୍ରୁଟ୍ ପକ୍ଷରୁ ସଂସ୍ଥା ଚୟନ ସରିଥିବା ବେଳେ ସମସ୍ତ ପ୍ରମୁଖ ରାସ୍ତାରେ ଏହାକୁ କାର୍ଯ୍ୟକାରୀ କରାଯିବ। କ୍ରୀଡ଼ା ବିଭାଗ ସହ ଆଲୋଚନା କରି ରାସ୍ତା ଚିହ୍ନଟ ହେବ। ସେହିପରି ହକି ବିଶ୍ୱକପ୍ ସମୟରେ କେଉଁଠି ଗାଡ଼ି ପାର୍କିଂ ହେବ, କେତେ ଅଞ୍ଚଳରେ କେତେ ଗାଡ଼ି ରହିପାରିବ, ତାହା ଅଗଷ୍ଟ ଶେଷ ସୁଦ୍ଧା ଚିହ୍ନଟ କରିବାକୁ କୁହାଯାଇଛି। କ୍ରୀଡ଼ା ବିଭାଗ କମିସନରେଟ୍ ପୁଲିସ ସହ ଆଲୋଚନା କରି ଏ ଦିଗରେ ନିଷ୍ପତ୍ତି ନେବ।
ନିର୍ମାଣ ହେବ ବିଶ୍ୱକପ୍ ସ୍ମାରକୀ
ପୁରୁଷ ହକି ବିଶ୍ୱକପ୍କୁ ସ୍ମରଣୀୟ କରିବା ପାଇଁ ରାଜଧାନୀରେ ଏକ ବିଶ୍ୱକପ୍ ସ୍ମାରକୀ ନିର୍ମାଣ ହେବ। ଏଥିପାଇଁ ଚଳିତ ସପ୍ତାହରେ ଶିିଳାନ୍ୟାସ କରାଯିବ। ଏହାକୁ ବିଶ୍ୱକପ୍ ସମୟରେ ଉଦ୍ଘାଟନ କରାଯିବ। ଏହାସହ ବିଶ୍ୱକପ୍ ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଐତିହ୍ୟ ପଦଯାତ୍ରା, ଏକାମ୍ର ପଦଯାତ୍ରା ପାଇଁ ସଂସ୍ଥା ଚୟନ ଚଳିତ ମାସ ଶେଷ ସୁଦ୍ଧା ସାରିବାକୁ କୁହାଯାଇଛି।
ଜଗନ୍ନାଥ ବସ୍ତି ଉଚ୍ଛେଦ ପାଇଁ କମିସନରେଟ୍ ପୁଲିସର ସହାୟତା ଲୋଡ଼ିଲା ବିଏମ୍ସି
କଳିଙ୍ଗ ଷ୍ଟାଡିୟମ ନିକଟରେ ଥିବା ଜଗନ୍ନାଥ ବସ୍ତିକୁ ଖୁବ୍ ଶୀଘ୍ର ଉଚ୍ଛେଦ କରାଯିବ। ଏହି ବସ୍ତିବାସିନ୍ଦାଙ୍କୁ ପଣ୍ଡାକୁଡ଼ିଆକୁ ସ୍ଥାନାନ୍ତର କରାଯିବ। ବସ୍ତି ବାସିନ୍ଦା ଉଚ୍ଛେଦକୁ ବିରୋଧ କରୁଥିବାରୁ ଅଧିକ ଫୋର୍ସ ଯୋଗାଇବାକୁ କମିସନରେଟ୍ ପୁଲିସର ସହାୟତା ଲୋଡ଼ିଛି ବିଏମ୍ସି। ବସ୍ତି ଉଚ୍ଛେଦ ପରେ ପ୍ରାୟ ୩ ଏକର ଜମି ଖାଲି ହେବ।
ବିଶ୍ୱକର୍ମା ମନ୍ଦିର ଉଚ୍ଛେଦ ନେଇ ନିଷ୍ପତ୍ତି ଖୁବ୍ ଶୀଘ୍ର
ଷ୍ଟାଡିୟମ ପାଚେରିକୁ ଲାଗି ଥିବା ବିଶ୍ୱକର୍ମା ମନ୍ଦିର ଉଚ୍ଛେଦ ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବା ପରେ ଏହାକୁ ବିରୋଧ କରି ମନ୍ଦିର ଟ୍ରଷ୍ଟ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି। ଏହି ଉଚ୍ଛେଦ ଉପରେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସ୍ଥଗିତାଦେଶ ଅଛି। ତେଣୁ ବିଡିଏ, ସାଧାରଣ ପ୍ରଶାସନ ବିଭାଗ, କ୍ରୀଡ଼ା ବିଭାଗ ପକ୍ଷରୁ ହାଇକୋର୍ଟରେ କାଉଣ୍ଟର ଆଫିଡେଭିଟ୍ ଦାଖଲ କରାଯାଇଛି। ହାଇକୋର୍ଟଙ୍କ ରାୟ ଯେପରି ସରକାରଙ୍କ ପକ୍ଷରେ ରହିବ, ସେଥିପାଇଁ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି।
ନଭେମ୍ବର ତୃତୀୟ ସପ୍ତାହରୁ ସାରା ସହରରେ ଓ୍ଵାଇଫାଇ
ହକି ବିଶ୍ୱକପ୍ ପୂର୍ବରୁ ସାରା ସହରରେ ଓ୍ଵାଇଫାଇ ସେବା ଆରମ୍ଭ ହେବ। ଏଥିପାଇଁ ୩୦୦ଟି ସ୍ଥାନରେ ଓ୍ଵାଇଫାଇ ପଏଣ୍ଟ ହେବ। ପ୍ରତ୍ୟେକ ସ୍ଥାନରେ ୨ଏମ୍ବିପିଏସ୍ ସ୍ପିଡରେ ଇଣ୍ଟରନେଟ୍ ସୁବିଧା ମିଳିବ। ଏଥିପାଇଁ ସେସୁକୁ ବିଦ୍ୟୁତ ସଂଯୋଗ ଦେବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/City-Bus.jpg)