ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମକୁ ଲାଗି ଭୁବନେଶ୍ବର ଭଳି ଅବିକଳ ନୂଆ ସହର ଗଢ଼ା ହେବ। ପ୍ରାୟ ୧ଲକ୍ଷ ଜନବସତି ବିଶିଷ୍ଟ ଏହି ନୂଆ ସହରରେ ଅତ୍ୟାଧୁନିକ ସୁବିଧା ରହିବ। ରାସ୍ତାଘାଟ, ପାଣି, ବିଜୁଳି ଭଳି ମୌଳିକ ସୁବିଧା ସହ ଏହା ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିବ। ଆଇଟି ହବ୍‌ ହେବ। ଏଥିପାଇଁ ରାଜ୍ୟ ସରକାର ‘ନ୍ୟୁ ସିଟି’ ପ୍ରକଳ୍ପ ଘୋଷଣା କରିଥିବା ବେଳେ ଏବେ ଏହାକୁ ଫୋକସ୍‌ରେ ରଖିଛନ୍ତି। ବିଡିଏ ଏହି ପ୍ରକଳ୍ପ କାମ କରିବ। ଏହି ପ୍ରତୀକ୍ଷିତ ପ୍ରକଳ୍ପର ପ୍ରାଥମିକ ଡିପିଆରକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଏବେ ରାଜ୍ୟ ସରକାର ଚୂଡ଼ାନ୍ତ ଡିପିଆର ପ୍ରସ୍ତୁତିରେ ଲାଗିଛନ୍ତି। ଏଥିପାଇଁ ସିଙ୍ଗାପୁର କମ୍ପାନି ସୁରବନ୍‌ ଜ୍ୟୁରଙ୍ଗ(‌ଏସଜେ) ପ୍ରାଇଭେଟ୍‌ ଲିମିଟେଡ୍‌ ସହ ରାଜ୍ୟ ସରକାରଙ୍କ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି। 

Advertisment

ଏହି ଅନ୍ତର୍ଜାତୀୟ କମ୍ପାନି ‘ନ୍ୟୁ ସିଟି’ ପ୍ରକଳ୍ପର ଚୂଡ଼ାନ୍ତ ଡିପିଆର ପ୍ରସ୍ତୁତିରେ ଲାଗିଛି। ଏହି ପ୍ରକଳ୍ପ ସହ ଆଉ କେଉଁ କେଉଁ ସୁବିଧା ଯୋଡ଼ି ହେବ ଓ ପ୍ରକଳ୍ପର ସମୁଦାୟ ଖର୍ଚ୍ଚ କେତେ ହେବ, ତାର ଆକଳନ ଚାଲିଛି। ୪/୫ ମାସ ଭିତରେ ଡିପିଆର ପ୍ରସ୍ତୁତି ଶେଷ ସହ ଏହାର ଅନୁମୋଦନ ପରେ ପ୍ରକଳ୍ପ କାମ ଆରମ୍ଭ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଅପରପେକ୍ଷ ବଜାର ସ୍ଥିତିର ଅନୁଧ୍ୟାନ କରୁଛି ଅନ୍ତର୍ଜାତୀୟ ବାଣିଜ୍ୟିକ ରିୟଲ୍‌ ଇଷ୍ଟେଟ୍‌ କମ୍ପାନି ଜେଏଲ୍‌ଏଲ୍‌। କମ୍ପାନିକୁ ବି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ପ୍ରକଳ୍ପ ଅଞ୍ଚଳରେ ପାଚେରି ଓ ରାସ୍ତା ଆଦି ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଛି ଏବଂ ଏହି କାମ ବି ଆରମ୍ଭ ହୋଇସାରିଛି।

 ବିଡିଏ ପକ୍ଷରୁ ଜାଗା ଚିହ୍ନଟ ଶେଷ
୭୮୯ ଏକର ଜାଗାରେ ହେବ ପ୍ରକଳ୍ପ
୨୦୦ କୋଟି ଟଙ୍କାରେ ଚାଲିଛି ପାଚେରି, ରାସ୍ତା

କେନ୍ଦ୍ର ସରକାର ଦେଶର ୮ ସହରରେ ନ୍ୟୁ ସିଟି କରିବାକୁ ଘୋଷଣା କରିଥିଲେ ଏବଂ ଏଥିପାଇଁ ବିଭିନ୍ନ ରାଜ୍ୟର ସରକାରଙ୍କଠାରୁ ଆବେଦନ ଆହ୍ବାନ କରିଥିଲେ। ଓଡ଼ିଶାର ଏକମାତ୍ର ସହର ଭୁବନେଶ୍ବର ଏହି ଆବେଦନ ପ୍ରକ୍ରିୟାରେ ସାମିଲ୍‌ ହୋଇଥିଲା। ଓଡ଼ିଶା ସରକାର ଭୁବନେଶ୍ବରରେ ଏହି ପ୍ରକଳ୍ପ କରିବାକୁ ପ୍ରସ୍ତାବ ଦେଇଥିଲେ। ସେ ସମୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏକ ପ୍ରାଥମିକ ଡିପିଆର(ଡିଟେଲ୍‌ ପ୍ରୋଜେକ୍ଟ ରିପୋର୍ଟ) କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲା। କେନ୍ଦ୍ର ସରକାର ଚୟନଭିତ୍ତିରେ ଦେଶର ୮ ପ୍ରମୁଖ ସହର ଭିତରେ ଭୁବନେଶ୍ବରକୁ ସ୍ଥାନ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ଜୋରସୋରରେ ଏହି ପ୍ରକଳ୍ପକୁ ପୂର୍ଣ୍ଣରୂପ ଦେବାକୁ ଲାଗି ପଡ଼ିଛନ୍ତି ସରକାର। ତମାଣ୍ଡୋକୁ ଲାଗି ଭୁବନେଶ୍ବର ବାହାରେ ତିନି ରାଜସ୍ବ ଗ୍ରାମ ଗୋଠପାଟଣା, ମଳିପଡ଼ା ଓ ଦାଶପୁରକୁ ନେଇ ଏହି ନୂଆ ସହର ଗଢ଼ା ହେବ। ପୂର୍ବରୁ ୮ଶହରୁ ଅଧିକ ଏକର ଜାଗାରେ ଏହି ନ୍ୟୁ ସିଟି ପ୍ରକଳ୍ପ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ ଜଙ୍ଗଲ ଜମି ସମସ୍ୟା କାରଣରୁ ନିକଟରେ ଏହାକୁ ୭୮୯ ଏକରକୁ କମାଇ ଦିଆଯାଇଛି। ନୂଆ ଯୋଜନାରେ ଜଙ୍ଗଲ ଜମିକୁ ପ୍ରକଳ୍ପରୁ ବାଦ୍‌ ଦିଆଯାଇଛି।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ନିକଟରେ ଏହାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପ ପାଇଁ ଜମି ଚିହ୍ନଟ ପରେ ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ସୁରବନ୍‌ ଜ୍ୟୁରଙ୍ଗ ଓ ଜେଏଲ୍‌ଏଲ୍‌ କମ୍ପାନିଠାରୁ ଉଭୟ ଡିପିଆର ଓ ବଜାର ସ୍ଥିତି ଅନୁଧ୍ୟାନ ରିପୋର୍ଟ ହସ୍ତଗତ ପରେ କାମ ଆଗେଇବ। ପ୍ରକଳ୍ପ କାମ ପାଇଁ କେନ୍ଦ୍ର ସରକାର ୨୫ ପ୍ରତିଶତ, ରାଜ୍ୟ ସରକାର ୨୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବେ। ବାକି ୫୦ ପ୍ରତିଶତ ଟଙ୍କା ଋଣ ଆକାରରେ ଅଣାଯିବ।

ପ୍ରକଳ୍ପରେ କ’ଣ ରହିବ ସୁବିଧା
ପ୍ରାଥମିକ ଆକଳନ (ଡିପିଆର) ଅନୁଯାୟୀ, ଗୋଠପାଟଣା, ମଳିପଡ଼ା ଓ ଦାଶପୁରରେ ୭୮୯ ଏକର ଜାଗାରେ ପ୍ରସ୍ତାବିତ ନ୍ୟୁ ସିଟି ପ୍ରକଳ୍ପ ବାବଦରେ ମୋଟ ୮ହଜାର ୧୭୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ନୂଆ ସହରର ସମୁଦାୟ ଜନସଂଖ୍ୟା ୧ଲକ୍ଷ ରହିବ ଓ ହେକ୍ଟର ପିଛା ଜନସଂଖ୍ୟା ୨୦୦ ରହିବ। ୧୬ହଜାର ଘର ହେବ, ଯେଉଁଥିରୁ ୨୫ ପ୍ରତିଶତ ସଂରକ୍ଷିତ(ଏଏଚପି) ରହିବ। ୧୦୪ଲକ୍ଷ ବର୍ଗଫୁଟରୁ ଅଧିକ ଜାଗାରେ ଘରୋଇ ଆବାସ, ୬୫ଲକ୍ଷରୁ ଅଧିକ ବର୍ଗଫୁଟ ଜାଗାରେ ବାଣିଜ୍ୟିକ ଆବାସ, ୨୪ଲକ୍ଷରୁ ଅଧିକ ବର୍ଗଫୁଟ ଜାଗାରେ ଆଇଟି ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ରହିବ। ପ୍ରଶାସନିକ କୋଠ, ଶିକ୍ଷାନୁଷ୍ଠାନ, ଶିଳ୍ପ, ସ୍ବାସ୍ଥ୍ୟ, କ୍ରୀଡ଼ା, ପାଠାଗାର, କଳା ଓ ସଂସ୍କୃତି, ଆଞ୍ଚଳିକ ପରିବହନ ସେବା ସୁବିଧା ଆଦିର ବ୍ୟବସ୍ଥା କରାଯିବ। ଜମିରୁ ୪୫ ପ୍ରତିଶତରୁ ଅଧିକ ଜାଗାରେ ସବୁଜ ବଳୟ(ଗଛ ଲଗାଯିବ) ସୃଷ୍ଟି କରାଯିବ। ୧ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଗମନାଗମନ ସୁବିଧାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ଜାଗା ଚିହ୍ନଟ କରାଯାଇଛି। ଏହି ପ୍ରକଳ୍ପ ବିମାନବନ୍ଦରଠାରୁ ୧୨ କିମି, ମାଷ୍ଟରକ୍ୟାଣ୍ଟିନ ରେଳଷ୍ଟେସନ୍‌ଠାରୁ ୧୪ କିମି, ବରମୁଣ୍ଡା ବସଷ୍ଟାଣ୍ଡ୍‌ଠାରୁ ୮ କିମି, ଜାତୀୟ ରାଜପଥ-୧୬ଠାରୁ ୭ କିମି ଓ ପ୍ରସ୍ତାବିତ ରିଂ ରୋଡ୍‌ଠାରୁ ୭୦୦ ମିଟର ଦୂରରେ ରହିଛି।