ଭୁବନେଶ୍ୱର: ଏଣିକି କ୍ୟାପିଟାଲ୍ ହସ୍ପିଟାଲ୍ରେ ଅତ୍ୟାଧୁନିକ ସିଟି ସ୍କାନ୍ ସୁବିଧା ଉପଲବ୍ଧ ହେବ। ପୂର୍ବରୁ ହସ୍ପିଟାଲ୍ରେ ଥିବା ସିଟି ସ୍କାନ୍ ମେସିନ୍ରେ କେବଳ ମସ୍ତିଷ୍କ (ବ୍ରେନ୍)ସ୍କାନିଂ କରି ହେଉଥିବା ବେଳେ ନୂଆ ମେସିନ୍ରେ ପୂରା ଶରୀର ସ୍କାନିଂ କରିହେବ। ପୂରା ଶରୀର ସ୍କାନିଂ ପାଇଁ ଘରୋଇ ପରୀକ୍ଷା କେନ୍ଦ୍ରରେ ୫ହଜାର ଟଙ୍କା ବ୍ୟୟ କରିବାକୁ ପଡ଼ୁଥିବା ବେଳେ ଏ ସମସ୍ତ ସୁବିଧା କ୍ୟାପିଟାଲ୍ ହସ୍ପିଟାଲ୍ରେ ମାଗଣାରେ ଉପଲବ୍ଧ ହେବ। ପୁରୁଣା ଗାଇନିକ୍ ଓ୍ଵାର୍ଡ ପରିସରରେ ଏହି ମେସିନ୍ ସ୍ଥାପନ ହେବ। ହସ୍ପିଟାଲ୍ ପରିସରରେ ପୂର୍ବରୁ ଯେ ସିଟି ସ୍କାନ୍ ମେସିନ୍ ନଥିଲା ସେକଥା ନୁହେଁ, ମାତ୍ର ତାହା ୫-୬ ମାସ ଧରି ଅଚଳ ରହିଛି। ସ୍ଥିତି ଏମିତି ଯେ ୧୫ ବର୍ଷ ତଳର ଏହି ମେସିନ୍କୁ ପୁନଃ ମରାମତି କରାଯାଇପାରିଲା ନାହିଁ। ୧୫ ବର୍ଷ ତଳେ ଇନ୍ଫୋସିସ୍ ପକ୍ଷରୁ ୨ କୋଟି ଟଙ୍କା ବ୍ୟୟରେ କିଣାଯାଇଥିବା ସିଟି ସ୍କାନ୍ ମେସିନ୍ କ୍ୟାପିଟାଲ୍ ହସ୍ପିଟାଲ୍କୁ ଦାନ କରାଯାଇଥିଲା। ତେଣୁ ଏହି ମେସିନ୍ ଜରିଆରେ ଲୋକେ ବ୍ରେନ୍ ସ୍କାନିଂର ସୁଯୋଗ ପାଉଥିଲେ। ବାହାରେ ଏହି ସ୍କାନିଂ ପାଇଁ ୨୨୦୦ରୁ ୨୩ଶହ ଟଙ୍କା ଲାଗୁଥିବା ବେଳେ ଲୋକେ ହସ୍ପିଟାଲ୍ ପରିସରରେ ମାଗଣାରେ କରିପାରୁଥିଲେ। ମାତ୍ର ତାହା ୫ମାସରୁ ଊର୍ଧ୍ୱ ସମୟ ହେଲା ଅଚଳ ରହିବା ପରେ ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିଲା।
ଏନେଇ କ୍ୟାପିଟାଲ୍ ହସ୍ପିଟାଲ୍ର ନିର୍ଦେଶକ ଡାକ୍ତର ମନୋରଂଜନ ଦାଶ କହିଛନ୍ତି ଯେ, ଏହି ମେସିନ୍ ଜରିଆରେ ବହୁ ଗରିବ ଲୋକ ପୂର୍ବଭଳି ଉପକୃତ ହୋଇପାରିବେ। ଆଉ ପ୍ରାୟ ମାସେ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ଏହାକୁ ଆଉଟ୍ ରିସୋର୍ସ ତଥା ବାହ୍ୟ ସଂସାଧନ ପରିଚାଳନା କରିବ ବୋଲି ସେ କହିଛନ୍ତି। ଏହି ଅତ୍ୟାଧୁନିକ ମେସିନ୍କୁ କୋଟିଏରୁ ଊର୍ଧ୍ୱ ଟଙ୍କାରେ କିଣା ଯାଇଥିବା ବେଳେ ୩୫ ଲକ୍ଷ ଟଙ୍କାର ବୀମା କରାଯାଇଛି। ତେଣୁ ଦୀର୍ଘଦିନ ପରେ ପୁଣି ଲୋକେ ସିଟି ସ୍କାନ୍ ସେବା ମାଗଣାରେ ପାଇପାରିବେ।