ଭୁବନେଶ୍ବର: ନୂଆ ବିଏମ୍‌ସି କମିସନର୍‌ ବିଜୟ ଅମୃତ କୁଲାଙ୍ଗେ ଆସନ୍ତାକାଲି (ସୋମବାର) ବିଏମ୍‌ସି କମିସନର୍‌ ଭାବେ କାର୍ଯ୍ୟରେ ଯୋଗ ଦେବେ। ପୂର୍ବତନ କମିସନର ତଥା ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିବେ। ଏଥିପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣାପଡ଼ିଛି। ସେହିଭଳି ସେ କ୍ରୁଟ୍‌ର ସିଇଓ ଦାୟିତ୍ବରେ ମଧ୍ୟ ରହିବେ। ଏଣୁ ଉଭୟ ପଦରେ ସେ ଆସନ୍ତାକାଲି ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

Advertisment

‌ନୂଆ କମିସନର୍‌ଙ୍କ ସାମ୍ନାରେ ପୁଳାପୁଳା ଆହ୍ବାନ ରହିଛି। ଭୁଆସୁଣି ଡମ୍ପିଂୟାର୍ଡ ଓ ବାୟୋମାଇନିଂ ପ୍ରସଙ୍ଗ ତାଙ୍କ ପାଇଁ ପ୍ରମୁଖ ଆହ୍ବାନ ହେବାକୁ ଯାଉଛି। ସେଠାରେ ଗଦା ହୋଇଥିବା ଆବର୍ଜନା ପରିଚାଳନା ପାଇଁ ବାୟୋମାଇନିଂ ବ୍ୟବସ୍ଥା ହେବା ନିଷ୍ପତ୍ତି ହେବା ବେ‌ଳେ ଯଥେଷ୍ଟ ପରିମାଣର ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ପ୍ରସ୍ତୁତ କରାଯାଇ ନଥିବାରୁ ଦୈନିକ ବାହାରୁଥିବା ଆବର୍ଜନା ପରିଚାଳନା ହୋଇପାରୁନାହିଁ। ବଳକା ଆବର୍ଜନା ଗଦା କରିବାକୁ ବି ଜାଗା ନାହିଁ। ତେଣୁ ପ୍ରକଳ୍ପ ଝୁଲି ରହିଛି। ତେବେ ବ୍ରହ୍ମପୁରରେ ଶ୍ରୀ କୁଲାଙ୍ଗେ ଜିଲ୍ଲାପାଳ ଥିବା ବେଳେ ସ୍ବଚ୍ଛତା ପ୍ରତିଯୋଗିତାରେ ବ୍ରହ୍ମପୁର ସହର ଜାତୀୟସ୍ତରରେ ପୁରସ୍କୃତ ହୋଇଥିଲା। ଏଣୁ ଏଠାରେ ମଧ୍ୟ ଏସବୁ ପରିଚାଳନା କରିବା ତାଙ୍କ ପାଇଁ ସହଜ ହେବ ବୋଲି କୁହାଯାଉଛି। ଅନ୍ୟପଟେ ଜଳବନ୍ଦୀ ସମସ୍ୟା ସହ ଅନେକ ଆହ୍ବାନ ରହିଛି। କିନ୍ତୁ ନିର୍ବାଚିତ ଜନ ପ୍ରତିନିଧି ରହିଥିବାରୁ ଏ ସବୁର ସିଧାସଳଖ ପ୍ରଭାବ କମିସନରଙ୍କ ଉପରେ ନ ପଡ଼ି ପ୍ରତିନିଧିଙ୍କୁ ପ୍ରଭାବିତ କରିବା ସମ୍ଭାବନା ରହିଛି।