ଜନସାଧାରଣଙ୍କ ଆସ୍ଥାଭାଜନ ହେବି: ସତ୍ୟଜିତ

କମିସନରେଟ୍‌ ପୁଲିସର ଷଷ୍ଠ କମିସନର୍‌

ଭୁବନେଶ୍ୱର: ଦ୍ୱୈତନଗରୀ ବାସିନ୍ଦାଙ୍କ ପାଇଁ ସେବା କରିବାକୁ ସୁଯୋଗ ମିଳିଛି। ଏଥିପାଇଁ ରାଜ୍ୟ ସରକାର ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସମସ୍ତେ ମିଳିମିଶି କାମ କରିବା। ଜନ ସାଧାରଣଙ୍କ ଆସ୍ଥାଭାଜନ ହେବା, ବିଶ୍ୱାସକୁ ନେବା। ପୁଲିସ କମିସନର୍‌ ହିସାବରେ ଏହା ହିଁ ହେବ ମୋର ପ୍ରଥମ କର୍ତବ୍ୟ। ଆଜି ଷଷ୍ଠ ପୁଲିସ କମିସନର ଭାବେ ବରିଷ୍ଠ ଆଇପିଏସ୍‌ ସତ୍ୟଜିତ ମହାନ୍ତି ଯୋଗ ଦେଇ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି।

ଆଜି ସକାଳ ପ୍ରାୟ ସାଢ଼େ ୧୧ଟା ବେଳେ ବରିଷ୍ଠ ଆଇପିଏସ୍‌ ଶ୍ରୀ ମହାନ୍ତି କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ। ପରେ ତାଙ୍କୁ ସ୍ୱାଗତ ଅଭିବାଦନ କରାଯାଇଥିଲା। ଏହି ଅବସରରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ  ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍‌ ପରିଚାଳନା ଓ ଭିଭିଆଇପିଙ୍କ ସୁରକ୍ଷା ବର୍ତମାନ ମୋ ପାଇଁ ଚ୍ୟାଲେଞ୍ଜ ହେବ। ଏହି ସମୟରେ ଅତିରିକ୍ତ ପୁଲିସ କମିସନର ସଂଜୟ କୁମାର, ଭୁବନେଶ୍ୱର ଡିସିପି ଅନୁପ ସାହୁ, କଟକ ଡିସିିପି ଅଖିଳେଶ ସିଂହଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଜନ୍ମ ଦିନରେ ନେଲେ ଦାୟିତ୍ୱ 

ଆଜି ବରିଷ୍ଠ ଆଇପିଏସ୍‌ ସତ୍ୟଜିତ ମହାନ୍ତିଙ୍କ ଜନ୍ମଦିନ। ତାଙ୍କୁ ୫୬ ପୂରି ୫୭ ବର୍ଷ ଚାଲିଲା। ଏଭଳି ଦିନରେ ସେ ଆଜି ପୁଲିସ କମିସନର ଭାବେ ଯୋଗ ଦେଇ ଏକ ଗୁରୁ ଦାୟିତ୍ୱକୁ ଗ୍ରହଣ କରିଛନ୍ତି। ଆଜି ସେ ଯୋଗ ଦେଉଦେଉ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ପ୍ରଥମେ କେକ୍‌ କଟା ଯାଇଥିଲା। ନୂଆ କମିସନର୍‌ଙ୍କୁ କେକ୍‌ ଖୁଆଇ ଥିଲେ ପୂର୍ବତନ ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆ। ଏହା ପରେ କାଗଜପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ମାସରେ ଉଦ୍‌ଘାଟନ ହେବ ୨ଟି ମଡେଲ ଥାନା

ଓଡ଼ିଶା ପୁଲିସ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଏକ ମଡେଲ ଥାନା ପ୍ରତିଷ୍ଠା କରିବାକୁ ଘୋଷଣା ହୋଇଛି। ଏହି କ୍ରମରେ କମିସନରଟ୍‌ ପୁଲିସ ଅଧୀନ ଭୁବନେଶ୍ୱର ସହରାଞ୍ଚଳରେ ଇନ୍‌ଫୋସିଟି ଓ କଟକ ସହରାଞ୍ଚଳରେ ମର୍କତନଗର ଥାନାକୁ ମଡେଲ ଥାନା ଭାବେ ଘୋଷଣା କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ବିଦାୟ ନେଲେ ଯୋଗେଶ ବାହାଦୁର

ଆଜି ଥିଲା ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆଙ୍କ ପାଇଁ କମିସନରେଟ୍‌ ପୁଲିସର ଶେଷ ଦିନ। ଆଜି ବିଦାୟ ନେଲା ବେଳେ ଶ୍ରୀ ଖୁରାନିଆ ସମସ୍ତ ଅଫିସରମାନଙ୍କ ସହିତ ହାତ ମିଳାଇଥିଲେ। ଏହି ସମୟରେ ସେ ଟିକେ ଭାବବିହ୍ଵଳ ହୋଇ ପଡ଼ିଥିଲେ।

କାହିଁକି ବଦଳିଲେ ପୁଲିସ କମିସନର୍‌?

ତିନି ବର୍ଷ ପୂରିନି। ମାତ୍ର ଅଢ଼େଇ ବର୍ଷ ହୋଇଛି। କିନ୍ତୁ ହଠାତ୍‌ ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆଙ୍କର ବଦଳି ହୋଇଗଲା ପୁଲିସ ମୁଖ୍ୟାଳୟର ପ୍ରୋଭିଜନିଂ ବିଭାଗକୁ। ସେଠାରେ ଥିବା ଏଡିଜି ସତ୍ୟଜିତ ମହାନ୍ତିଙ୍କୁ ପୁଲିସ କମିସନର ଭାବେ ଅବସ୍ଥାପିତ କଲେ ସରକାର। କାହିଁକି ଏମିତି ଅସମୟରେ ଶ୍ରୀ ଖୁରାନିଆଙ୍କୁ ବଦଳି କରାଗଲା ? ଏହି ପ୍ରଶ୍ନ ଏବେ ପୁଲିସ ମହଲରେ ଉଙ୍କି ମାରୁଛି। କାରଣ ଆଉ ମାତ୍ର କିଛି ମାସ ପରେ ହକି ବିଶ୍ୱକପ ଓ ସାଧାରଣ ନିର୍ବାଚନ ତୁଲାଇବା ଭଳି ଗୁରୁ ଦାୟିତ୍ୱ ଥିଲା ତାଙ୍କ ମୁଣ୍ଡରେ। କାହିଁକି ସରକାର ତାଙ୍କ ଉପରେ ଆଉ ଭରସା କରିପାରିଲେନି; ଏହାକୁ ନେଇ ଏବେ ଚର୍ଚା ଆରମ୍ଭ ହୋଇଯାଇଛି।

ଭିତିରି ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପୂର୍ବତନ ପୁଲିସ କମିସନର ଶ୍ରୀ ଖୁରାନିଆ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଆଗକୁ ହକି ବିଶ୍ୱକପ ଓ ସାଧାରଣ ନିର୍ବାଚନ ଥିବାରୁ ପୁଲିସ କମିସନରଙ୍କ ଏଭଳି ପ୍ରସ୍ତାବ ଉପରେ ଖପ୍ପା ହୋଇଥିଲେ ସରକାର। ଯେଉଁ କାରଣରୁ ତାଙ୍କ ଆସନ ଟଳମଳ ହେବା ଆରମ୍ଭ ହୋଇଥିଲା। ଏହି କାରଣରୁ ସେ ଲମ୍ବା ଛୁଟିରେ ଯାଇଥିଲେ। ଛୁଟିରୁ ଫେରିବା କ୍ଷଣି ତାଙ୍କର ବଦଳି ହେଲା।

ସେହିପରି ଆଜି ମଧ୍ୟ ପୂର୍ବତନ ପୁଲିସ କମିସନର ଶ୍ରୀ ଖୁରାନିଆ ଓ ନୂଆ କରି ଯୋଗ ଦେଇଥିବା ପୁଲିସ କମିସନର ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେବା ବେଳେ ଯେଉଁ କଥା ଅଜାଣତରେ ବାରମ୍ବାର ଦୋହରାଇଥିଲେ ତାହା ହିଁ ବଦଳିର ମୁଖ୍ୟ କାରଣ ବୋଲି କୁହାଯାଉଛି ବା ଚର୍ଚା ହେଉଛି।

ଆଜି ପୂର୍ବତନ ପୁଲିସ କମିସନର୍‌ ଶ୍ରୀ ଖୁରାନିଆ ଗଣମାଧ୍ୟମ ସହିତ ଆଲୋଚନା ବେଳେ କହୁକହୁ କହିଦେଲେ କି, କମିସନରେଟ ପୁଲିସରେ ଏବେ ଘୋର ମାନବ ସମ୍ବଳର ଅଭାବ ରହିଛି। ପାଖାପାଖି ୨ଶହରୁ ଅଧିକ ଏଏସ୍‌ଆଇ, ଏସ୍‌ଆଇ ପଦବି ଖାଲି ପଡ଼ିଛି। ଏଭଳି ସ୍ଥିତିରେ ହକି ବିଶ୍ୱକପ ଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ କରାଇବା କଷ୍ଟକର। ଏହା ପରେ ନୂଆ ପୁଲିସ କମିସନର୍‌ ଶ୍ରୀ ମହାନ୍ତି ତାଙ୍କ ପ୍ରଥମ ପ୍ରତିକ୍ରିୟାରେ ପାଖାପାଖି ୧୫ ମିନିଟ୍‌ ହକି ବିଶ୍ୱକପ ଆୟୋଜନର ସଫଳତା ହେବା ସମ୍ପର୍କରେ ଗଣମାଧ୍ୟମ ସହ ଆଲୋଚନା କରିଥିଲେ। ଦୁଇ ବରିଷ୍ଠ ଅଧିକାରୀଙ୍କ ଏଭଳି ହକି ବିଶ୍ୱକପ କଥାକୁ ଗଣମାଧ୍ୟମରେ ଆଲୋଚନା ପରେ ଏହା ମଧ୍ୟ ଏକ କାରଣ ହୋଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସିପିଙ୍କ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ

ନୂଆ ପୁଲିସ କମିସନର ସତ୍ୟଜିତ ମହାନ୍ତି ଆଜି ସଂଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିର ଯାଇଥିଲେ। ପ୍ରଥମେ ସିଦ୍ଧି ବିନାୟକ ଓ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ସେଠାରେ ସନ୍ଧ୍ୟା ଆଳତି କରିବା ସହ ଫେରିବା ବେଳେ ମା’ ପାର୍ବତୀ ଓ ଭୁବନେଶ୍ୱରୀଙ୍କ ଦର୍ଶନ କରିଥିଲେ। ପୁଲିସ କମିସନର୍‌ ଶ୍ରୀ ମହାନ୍ତିଙ୍କ ସହ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଜନାର୍ଦନ ପାଢ଼ୀ, ମନ୍ଦିର ସୁପରଭାଇଜର ରାଜ କିଶୋର ମହାପାତ୍ର, ମନ୍ଦିର ଓ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ। ମନ୍ଦିରରୁ ଫେରିବା ସମୟରେ ସେବାୟତମାନେ ତାଙ୍କ ସହ ଫଟୋ ଉଠାଇବାକୁ କହିଥିବା ବେଳେ ସେ ମନା କରିଥିଲେ।

ସମ୍ବନ୍ଧିତ ଖବର