ଭୁବନେଶ୍ବର: କିଛି ଦିନ ହେଲା ଭୁବନେଶ୍ବର-କଟକ କମିସନରେଟ୍ ପୁଲିସରେ ବଦଳି ହେବା ନେଇ ଜୋର୍ଦାର୍ ଆଲୋଚନା ଲାଗି ରହିଥିଲା। ଆଜି ସରକାର ରାଜ୍ୟରେ ଆଇପିଏସ୍ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଦୁର୍ଗାପୂଜା ପୂର୍ବରୁ କମିସନରେଟ୍ ପୁଲିସର ନବକଳେବର କରାଯାଇଛି। ପୁଲିସ କମିସନରଙ୍କଠାରୁ ଆରମ୍ଭ କରି ଅତିରିକ୍ତ ପୁଲିସ କମିସନର ଓ ଦୁଇ ଡିସିପିଙ୍କୁ ବଦଳି କରାଯାଇଛି। ରାଜଧାନୀର ଆଇନଶୃଙ୍ଖଳାଠାରୁ ଆରମ୍ଭ କରି ଟ୍ରାଫିକ୍ ସମସ୍ୟା, ନିଶା କାରବାର, ଅପରାଧ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଆଦି ନୂଆ ଅଧିକାରୀଙ୍କ ପାଇଁ ବଡ଼ ଆହ୍ବାନ ହୋଇ ରହିବ। ନୂଆ ଅଧିକାରୀମାନେ ଏସବୁ ଆହ୍ବାନର ସାମ୍ନା କରି କିଭଳି ଲୋକଙ୍କୁ ନ୍ୟାୟ ଦେବାରେ ସଫଳ ହେବେ, ତାହା ଉପରେ ସବୁ ମହଲରେ ନଜର।
୧୯୯୪ ବ୍ୟାଚ୍ ଆଇପିଏସ୍ ତଥା ପୁଲିସ କମିସନର ସଞ୍ଜୀବ ପଣ୍ଡାଙ୍କ ସ୍ଥାନରେ ୧୯୯୮ ବ୍ୟାଚ୍ ଆଇପିସଏସ୍ ତଥା ଏଡିଜି(ଅପରେସନ୍) ସୁରେଶ ଦେବଦତ୍ତ ସିଂଙ୍କୁ ଦ୍ବୈତନଗର ନୂତନ ପୁଲିସ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୨୦୦୮ ବ୍ୟାଚ୍ ଆଇପିସ୍ ତଥା ଅନୁଗୁଳ ଏସ୍ପି ଉମାଶଙ୍କର ଦାଶଙ୍କୁ ଅତିରିକ୍ତ ପୁଲିସ କମିସନର ଭାବେ ଦ୍ବୈତନଗରୀକୁ ଫେରାଇ ଅଣାଯାଇଛି। ୨୦୧୪ ବ୍ୟାଚ୍ ଆଇପିଏସ୍ ଅଫିସର ତଥା ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ ସ୍ଥାନରେ ୨୦୧୧ ବ୍ୟାଚ୍ ଆଇପିସଏସ୍ ଅଫିସର ତଥା ପୁରୀ ଏସ୍ପି ପିନାକ ମିଶ୍ରଙ୍କୁ ଭୁବନେଶ୍ବର ଡିସିପି ଭାବେ ଅବସ୍ଥାପିତ କରାଯାଇଛି। ୨୦୦୮ ବ୍ୟାଚ୍ ଆଇପିଏସ୍ ତଥା କଟକ ଡିସିପି ପ୍ରକାଶ ଆର୍ଙ୍କ ସ୍ଥାନରେ ୨୦୧୩ ଆଇପିଏସ୍ ଅଫିସର ତଥା ଗଞ୍ଜାମ ଏସ୍ପି ଜଗମୋହନ ମୀନାଙ୍କୁ କଟକ ଡିସିପି ଭାବେ ଦାୟିତ୍ବ ଦିଆଯାଇଛି।
ନୂଆ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ୧୯୭୧ ମସିହାରେ ଉତ୍ତରପ୍ରଦେଶରେ ଜନ୍ମ। ସେ ଜଣେ ମେଧାବୀ ଛାତ୍ର ଥିଲେ। ୧୯୯୪ ମସିହାରେ ରାଜନୀତିବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିବା ପରେ ୧୯୯୭ ମସିହାରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ପିଏଚ୍ଡି ଲାଭ କରିଥିଲେ। ଏହି ସମୟରେ ସେ ଆଇପିଏସ୍ ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ସାମ୍ବାଦିକତା ପାଇଁ ଆଗ୍ରହ ଥିବାରୁ ଆହ୍ଲାବାଦରେ ମାସ୍ କମ୍ୟୁନିକେସ୍ନ ଡିଗ୍ରି ହାସଲ କରିଥିଲେ। କିଛି ଦିନ ପାଇଁ ସେ ଦୈନିକ ଜାଗରଣ, ନବ ଭାରତ, ହିନ୍ଦୁ ଭଳି ଜାତୀୟସ୍ତରର ଖବରକାଗଜ ପାଇଁ ସାମ୍ବାଦିକତା କରିଥିଲେ। ୧୯୯୭ ମସିହାରେ ସେ ଆଇପିଏସ୍ ପାଇବା ପରେ ପ୍ରଥମେ ୨୦୦୦ ମସିହାରେ ବାଲିଗୁଡ଼ା ଏସ୍ଡିପିଓ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ୨୦୦୨ ମସିହାରେ ଏସ୍ପି ଭାବେ ସେ ମାଲକାନଗିରିରେ ଯୋଗଦେଇଥିଲେ।
ଏହାପରେ ୨୦୦୪ରେ ମୟୂରଭଞ୍ଜ ଏସ୍ପି ଏବଂ ଠିକ୍ ବର୍ଷକ ପରେ ୨୦୦୫ ମସିହାରେ ସମ୍ବଲପୁର ଏସ୍ପି, ୨୦୦୮ରେ ଗଞ୍ଜାମ ଏସ୍ପି, ୨୦୦୯ରେ ବ୍ରହ୍ମପୁର ଏସ୍ପି, ୨୦୧୦ରେ ଜଗତସିଂହପୁର ଏସ୍ପି ଭାବେ କାର୍ଯ୍ୟ କରିଥିଲେ। ୨୦୧୨ ମସିହାରେ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ଡିଆଇଜି ଦକ୍ଷିଣାଞ୍ଚଳ ରେଞ୍ଜ(କୋରାପୁଟ)ରେ ନିଯୁକ୍ତି ପାଇଥିଲେ। ବର୍ଷକ ପାଇଁ ସେଠାରେ କାର୍ଯ୍ୟ କରିବା ପରେ ୨୦୧୪ ମସିହାରେ ଡିଆଇଜି(ସିଆଇଏସ୍ଏଫ୍) କେନ୍ଦ୍ରୀୟ ଡେପୁଟେସନ୍ରେ ଯାଇଥିଲେ। ୭ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନ୍ରେ ରହିବା ପରେ ୨୦୨୧ ମସିହାରେ ଓଡ଼ିଶା ଫେରିଥିଲେ। ୨୦୨୧ ଜୁଲାଇରେ ଆଇଜି (ହେଡ୍ କ୍ବାର୍ଟର) ନିଯୁକ୍ତି ପାଇଥିଲେ। ୨୦୨୩ ଜାନୁଆରିରେ ଏଡିଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ଏଡିଜି(ଅପରେସନ୍) ଭାବେ ଦାୟିତ୍ବରେ ଅଛନ୍ତି।