ଭୁବନେଶ୍ବର: ତ୍ରିଲୋଚନ ମହାରଣା। କଲେଜ ପଢ଼ିବା ସମୟରେ ରେଳ ବିଭାଗରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିଲେ। ଯେଉଁଥିପାଇଁ ୨୦୧୮ରେ ପଦାର୍ଥ ବିଜ୍ଞାନରେ ସ୍ନାତକ କରୁଥିବା ସମୟରେ ଏଏଲ୍ପି ରେଲୱେ ମେନ୍ସ ପ୍ରତିଯୋଗିତା ପରୀକ୍ଷା ଦେଇଥିଲେ। ହେଲେ ଉତ୍ତୀର୍ଣ୍ଣ ହୋଇପାରି ନଥିବାରୁ ତ୍ରିଲୋଚନଙ୍କ କ୍ୟାରିଅର ଦୋଦୂଲ୍ୟମାନ ହୋଇପଡ଼ିଥିଲା। ବାରମ୍ବାର ନିରାଶ ହେବା ପରେ ଭୁବନେଶ୍ବର ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ)ର ଇଲେକ୍ଟ୍ରୋନିକ୍ସ ମେକାନିକ୍ ବିଭାଗରେ ନାମ ଲେଖାଇଥିଲେ। ୨୦୨୨ରେ ଆଇଟିଆଇରୁ ଶିକ୍ଷା ଶେଷ କରିବା ପରେ ବିଜୁ ପଟ୍ଟନାୟକ ଇନ୍ଷ୍ଟିଚ୍ୟୁଟ୍ ଫର୍ ଟ୍ରେନିଂ ଅଫ୍ ଟ୍ରେନର୍ସ(ବିପିଆଇଟିଓଟି)ରେ ସିଆଇଟିଏସ୍ ତାଲିମ ନେବା ପରେ ଏବେ ଭବାନୀପାଟଣା ଶିଳ୍ପ ତାଲିମ ଅନୁଷ୍ଠାନରେ ସହକାରୀ ତାଲିମ ଅଧିକାରୀ(ଏଟିଓ) ଭାବେ କାର୍ଯ୍ୟ କରୁଛନ୍ତି।
କେବଳ ତ୍ରିଲୋଚନ ନୁହନ୍ତି, ତାଙ୍କ ଭଳି ଅନେକ ଛାତ୍ରଛାତ୍ରୀ ଆଜି ଆଇଟିଆଇ ଭୁବନେଶ୍ବରକୁ ଗୌରବାନ୍ବିତ କରିଛନ୍ତି। ଛାତ୍ରୀ ଅପରିକାଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ଅପରିକାଙ୍କ ମା’ଙ୍କ ସ୍ବପ୍ନ ଥିଲା ଝିଅ ଆତ୍ମନିର୍ଭରଶୀଳ ହେଉ। ଦଶମ ଶେଷ କରିବା ପରେ ଆଇଟିଆଇ ଭୁବନେଶ୍ବରରେ ଇଲେକ୍ଟ୍ରୋନିକ୍ସ ମେକାନିକ୍ ଟ୍ରେଡ୍ରେ ନାମ ଲେଖାଇବା ସହ କ୍ୟାରିଅର ଆରମ୍ଭ କରିଥିଲେ। ୨୦୨୩ରେ ଉତ୍ତୀର୍ଣ୍ଣ ହେବା ପରେ ଏକ ଘରୋଇ କମ୍ପାନିର କ୍ୟାମ୍ପସ ଚୟନରେ ଭାଗନେଇ ନିଜର ଯାତ୍ରା ଆରମ୍ଭ କରିଥିଲେ। ଆଜି ଅପରିକା ଆଇଟିଆଇ ଭୁବନେଶ୍ବର ପ୍ରତ୍ୟେକ ଝିଅଙ୍କ ପାଇଁ ଆଦର୍ଶ ଭାବେ ପରିଗଣିତ ହେଉଛନ୍ତି। ଅନ୍ୟ ଜଣେ ଛାତ୍ରୀ ବିଦୁସ୍ମିତା ନାୟକ। ଯୁବ ସମାଜ ପାଇଁ ପାଲଟିଛନ୍ତି ଜ୍ବଳନ୍ତ ଉଦାହରଣ। ଛୋଟ ବେଳକୁ ମା’ଙ୍କୁ ହରାଇଥିବା ବିଦୁସ୍ମିତା ସୁଭଦ୍ରା ମହତାବ ସେବା ସଦନ ଆଶ୍ରମରେ ରହି ସ୍କୁଲ ପାଠ୍ୟକ୍ରମ ଶେଷ କରିଥିଲେ। ଏହାପରେ ଆଇଟିଆଇରେ ଇଲେକ୍ଟ୍ରୋନିକ୍ସ ମେକାନିକ୍ ଟ୍ରେଡ୍ରେ ନାମ ଲେଖାଇବା ସହ ସ୍ବପ୍ନକୁ ସାକାର କରିବାକୁ ଲାଗିପଡ଼ିଥିଲେ। ୨୦୨୪ରେ ଦ୍ବିତୀୟ ବର୍ଷରେ ଶିକ୍ଷା ଗ୍ରହଣ କରୁଥିବା ସମୟରେ କ୍ୟାମ୍ପସରେ ଏକ ଘରୋଇ ସଂସ୍ଥାରେ ନିଯୁକ୍ତି ପାଇ ଏହି ସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି।
ଏଭଳି ଜଣଙ୍କ ପରେ ଜଣେ ଛାତ୍ରଛାତ୍ରୀଙ୍କ ସଫଳତା ଆଜି ଶିକ୍ଷାନୁଷ୍ଠାନକୁ ବହୁ ଆଗକୁ ବଢ଼ାଇଛି। ଏନ୍ସିଭିଟି ଦ୍ବାରା ଅନୁବନ୍ଧିତ ପାଠ୍ୟକ୍ରମ ଯଥା ଇଲେକ୍ଟ୍ରିସିଆନ୍, ଫିଟର, ଇଲୋକ୍ଟ୍ରୋନିକ୍ ମେକାନିକ୍, ଡ୍ରେସ୍ ମେକିଂ, ଆର ଆଣ୍ଡ ଏସି, ୱେଲ୍ଡର୍, ଫୁଡ୍ ପ୍ରଡକ୍ସନ୍, ସ୍ମାର୍ଟ ଫୋନ୍ ଟେଷ୍ଟିଂ ଟେକ୍ନିସିଆନ୍, ବ୍ରେକର ଆଣ୍ଡ କନ୍ଫେକ୍ସନର ପରି ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରି ଆଜି ଛାତ୍ରଛାତ୍ରୀ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମ ଖୋଲାଯାଉଥିବାରୁ ଅନେକ ଛାତ୍ରଛାତ୍ରୀ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ପାଇବା ସହ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ୨୦୨୪ କ୍ୟାମ୍ପସ ଚୟନରେ ମଧ୍ୟ ଏଠାକାର ପିଲାମାନେ ଉଚ୍ଚ ଦରମାରେ ନାମକରା କମ୍ପାନିରେ ନିଯୁକ୍ତି ପାଇବା ସହ ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି ବୋଲି ଆଇଟିଆଇ ଅଧ୍ୟକ୍ଷ ଜିତାମିତ୍ର ଶତପଥୀ କହିଛନ୍ତି।