ରାଜଧାନୀରେ ମୁଣ୍ଡ ଟେକୁଛି ନୂଆ ନୂଆ ଗ୍ୟାଙ୍ଗ୍‌; ଲୋକେ ଆତଙ୍କିତ, ହଜିଗଲାଣି ପୁଲିସ ନିଦ

ବନ୍ଧା ହେଲେଣି ୩୦ରୁ ଅଧିକ, ଏବେ ବି ଅନେକ ଫେରାର୍

ଭୁବନେଶ୍ବର : ଦାଦାବଟି ଆଦାୟ କରିବାଠାରୁ ଆରମ୍ଭ କରି ଲୁଟ୍‌ପାଟ କରିବା ପାଇଁ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଖଣ୍ଡା, ଭୁଜାଲି ଓ କଟୁରିରେ ନିର୍ମମ ଭାବେ ହାଣୁଛନ୍ତି। ଏମିତିକି ବନ୍ଧୁକ ଫୁଟାଇ ଆତଙ୍କ ରଚୁଛନ୍ତି। ରାତିର ନିର୍ଜନତାରେ ରାଜରାସ୍ତାରେ ମେଳିବାନ୍ଧି ଘୂରି ବୁଲିବା, ଗାଡ଼ିରେ ଷ୍ଟଣ୍ଟ୍‌ କରିବା, ଖଣ୍ଡା ଓ ଭୁଜାଲି ବୁଲାଇ ସହରରେ ଆତଙ୍କ ରଚୁଛନ୍ତି। ଆଉ ଏଭଳି ଭୟଙ୍କର ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌‌ରେ ପୋଷ୍ଟ କରି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। କେତେବେଳେ ଲୋକେ କେବିଏନ୍‌ ଗ୍ୟାଙ୍ଗ୍‌ର ଶିକାର ହେଲେଣି ତ ପୁଣି କ‌େତେବେଳ କଟୁରି ଗ୍ୟାଙ୍ଗ, ଚକରା ଗ୍ୟାଙ୍ଗ, ଡେଭିଡ୍‌ ଗ୍ୟାଙ୍ଗ, କ୍ରାଉନ୍‌ ଗ୍ୟାଙ୍ଗ, ନାଇଟ୍‌ ରାଇଡର ଗ୍ୟାଙ୍ଗ, ପବ୍ଲିକ ଷଣ୍ଢ ଗ୍ୟାଙ୍ଗ୍‌ର ଆତଙ୍କ ରାଜଧାନୀବାସୀଙ୍କୁ ଆତଙ୍କିତ କଲାଣି। ରାଜଧାନୀରେ ମୁଣ୍ଡ ଟେକିଛନ୍ତି ଏଭଳି ଏକାଧିକ ଗ୍ୟାଙ୍ଗ। କମିସନରେଟ୍‌ ପୁଲିସ ଯେତେ ଗ୍ୟାଙ୍ଗକୁ ଠାବ କରି ଅଭିଯୁକ୍ତଙ୍କୁ ବାନ୍ଧୁଛି, ସେତେ ନୂଆ ନୂଆ ଗ୍ୟାଙ୍ଗର ତଥ୍ୟ ସାମ୍ନାକୁ ଆସୁଛି। ସବୁଠୁ ଚାଞ୍ଚଲ୍ୟକର କଥା ହେଉଛି କେତେକ ଗ୍ୟାଙ୍ଗ୍‌ର ମଙ୍ଗ ଧରିଥିବା ମୁଣ୍ଡିଆଳମାନେ ଉଚ୍ଚଶିକ୍ଷିତ। କିଏ ଇଂଜିନିୟରିଂ ଛାତ୍ର ତ କିଏ ଏମ୍‌ବିଏ ଛାତ୍ର। ଏମାନେ ବସ୍ତି ପିଲାଙ୍କୁ ସାମିଲ୍‌ କରି ସହରରେ ଅପରାଧର ସାମ୍ରାଜ୍ୟ ବିସ୍ତାର କରୁଛନ୍ତି।

ତୀକ୍ଷ୍ଣ ନଜର ରଖିଛୁ: ଡିସିପି
ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ପାଟ୍ରୋଲିଂ ଟିମ୍‌ ଗଠନ କରାଯାଇଛି। ସେମାନେ ପୁରା ସହର ଉପରେ ନଜର ରଖିଛନ୍ତି। ଏହାଛଡ଼ା ସମସ୍ତ ଥାନା ଏବଂ ସ୍ପେସାଲ୍‌ସ୍କ୍ବାର୍ଡ ଟିମ୍‌ ମଧ୍ୟ ଅପରାଧୀଙ୍କ ଉପରେ ନଜର ରଖିଛି। ଯଦି ଆଗକୁ ସେଭଳି କୌଣସି ଗ୍ୟାଙ୍ଗ ସକ୍ରିୟ ଥିବା ‌ନେଇ ସୂଚନା ମିଳେ ନିଶ୍ଚିତ ଗ୍ୟାଙ୍ଗକୁ ଠାବ କରାଯିବ। ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

ଏନ୍‌କାଉଣ୍ଟର୍‌ ପରେ ବି ଥମୁନି ଭାଇଗିରି
କମିସନରେଟ୍‌ ପୁଲିସ ରାଜଧାନୀରୁ ଗ୍ୟାଙ୍ଗ ମୂଳପୋଛ କରିବା ପାଇଁ ଗତ କିଛି ମାସ ମଧ୍ୟରେ ଜୋରଦାର ଚଢ଼ଉ କରିଛି। ୫ରୁ ଅଧିକ ଗ୍ୟାଙ୍ଗ୍‌ର ୩୦ରୁ ଅଧିକଙ୍କୁ ବାନ୍ଧିଲାଣି। ୫ରୁ ଅଧିକ ବନ୍ଧୁକ, ପୁଳାପୁଳା ଗୁଳି, କଟୁରି, ଖଣ୍ଡା ଭଳି ମାରଣାସ୍ତ୍ର ଜବତ କଲାଣି। ଏମିତିକି ଗ୍ୟାଙ୍ଗ୍‌ଙ୍କୁ ନିଷ୍କ୍ରିୟ କରିବା ପାଇଁ ପୁଲିସ ଏନ୍‌କାଉଣ୍ଟର ବି କଲା। ଯେତେ ବାନ୍ଧିଲେ କି ଏନ୍‌କାଉଣ୍ଟର କଲେ ବି ସେମାନଙ୍କୁ ଆୟତ୍ତ କରିବା କାଠିକର ପାଠ ହୋଇଛି। ଏନ୍‌କାଉଣ୍ଟର ପରେ ମଧ୍ୟ ପୁଲିସ ଦୁଇଟି ଗ୍ୟାଙ୍ଗକୁ ଠାବ କଲାଣି। ଅର୍ଥାତ ଏବେ ବି ଅନେକ ଗ୍ୟାଙ୍ଗର ଅପରାଧୀ ସହରରେ ସକ୍ରିୟ ଅଛନ୍ତି। ସେମାନେ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି।

ନିକଟରେ ଧରାପଡ଼ିଥିବା କେତେକ ଗ୍ୟାଙ୍ଗ୍‌
ଡେଭିଡ୍‌ ଗ୍ୟାଙ୍ଗ
ଏହି ଗ୍ୟାଙ୍ଗ୍‌ ସୁନ୍ଦରପଦା ଅଞ୍ଚଳରେ ଗଢ଼ିଉଠିଥିଲା। ଏମାନେ ରାତିରେ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ଖଣ୍ଡା, ଭୁଜାଲିରେ ଆକ୍ରମଣ କରି ଲୁଟନ୍ତି। ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ଧମକାଇ ଥାଆନ୍ତି। ଯିଏ ବଟି ନଦିଏ, ତାକୁ ନିର୍ମମ ଭାବେ ହାଣିବାକୁ ପଛାନ୍ତିନାହିଁ। ଗତ ୨ ତାରିଖରେ ଏହି ଗ୍ୟାଙ୍ଗକୁ ଧରିଥିଲା କମିସନରେଟ୍‌ ପୁଲିସ। ଗ୍ୟାଙ୍ଗର ରାଜେଶ ବେହରା, ବିରେନ୍‌ ରାଉତ, ବୀରେନ୍ଦ୍ର ଭୋଇ, ସୁନୀଲ ସାମଲ, ଅମର ସାମଲ, ମନୋଜ ଭୋଇ, ଦେବରାଜ ବେହେରା ୭ଜଣଙ୍କୁ ଗିରଫ କରି ବହୁ ମାରଣାସ୍ତ୍ର ଜବତ କରିଥିଲା। ଏମାନେ ଦାଦାବଟି ପାଇଁ ବୋତଣ୍ଡା ଅଞ୍ଚଳର ଜଣେ ଦୋକାନୀଙ୍କୁ ହାଣି ଗୁରୁତର କରିଥିବା ଘଟଣାରେ ପୁଲିସ ଗିରଫ କରିଥିଲା।

ଚକରା ଗ୍ୟାଙ୍ଗ
ରାଜଧାନୀରେ ଲୁଟ୍, ଛିନ୍‌ତାଇ, ଡକାୟତି ଓ ବୋମାମାଡ଼ ଭଳି ସଙ୍ଗିନ୍ ଅପରାଧ ରଚୁଥିଲା ଚକରା ଗ୍ୟାଙ୍ଗ। ସାରା ରାଜଧାନୀକୁ ନିଜ କବ୍‌ଜାକୁ ନେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ମେ ୧୧ ତାରିଖ ବିଳମ୍ବିତ ରାତିରେ ଚକରା ଗ୍ୟାଙ୍ଗ ସହ କମିସନରେଟ୍‌ ପୁଲିସର ମୁକାବିଲା ‌ହୋଇଥିଲା। ବରମୁଣ୍ଡା ଖେଳପଡ଼ିଆରେ ଏକାଠି ହୋଇ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ଚଢ଼ଉ କରିଥିଲା। ପୁଲିସ ଉପରକୁ ବୋମା ମାଡ଼କରି ଖସିବା ପାଇଁ ଉଦ୍ୟମ ବେଳେ ପୁଲିସ ଗୁଳିମାଡ଼ କରିଥିଲା। ଚକରା ଧରାପଡ଼ିବା ପରେ ତା’ଗ୍ୟାଙ୍ଗ ବାବଦରେ ବହୁ ତଥ୍ୟ ମିଳିଥିଲା। ତା’ ସହ ଗତ ୫ ମାସ ତ‌ଳେ ସାମିଲ ହୋଇଥିବା କୁଖ୍ୟାତ ରାଜେଶ ମହାପାତ୍ର ଓ ମା’ ଜ୍ୟେତ୍ସ୍ନା ମହାପାତ୍ର କଥା ପଦାକୁ ଆସିଥିଲା। ମା’ ପୁଅ ମିଶି ଅପରାଧର ବ୍ଲୁ-ପ୍ରିଣ୍ଟ ତିଆରି କରି ଲୁଟେରାଙ୍କୁ କାମରେ ଲଗାଉଥିଲେ। ଏମାନେ ବିଶେଷ କରି ଗହଣା ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିଲେ। ଲୁଟ୍‌ ସୁନାଗହଣା ବାବଦରେ କମିସନ ରଖି ଲୁଟେରାଙ୍କୁ ବାକି ଟଙ୍କା ଦେଉଥିଲେ। ଏପରିକି ପୁଲିସ୍‌ କବଳରୁ ରକ୍ଷା କରିବା ପାଇଁ ଅପରାଧୀମାନଙ୍କୁ ସେ ବସ୍ତିର ବିଭିନ୍ନ ଘରେ ଲୁଚାଇ ରଖୁଥିଲେ। କମିସନରେଟ୍‌ ପୁଲିସ ଗ୍ୟାଙ୍ଗର ୭ ଜଣଙ୍କୁ ବାନ୍ଧିଥିଲେ ମଧ୍ୟ ଅନେକ ପଦାରେ ବୁଲୁଛନ୍ତି।

କଟୁରି ଗ୍ୟାଙ୍ଗ
ଏହି ଗ୍ୟାଙ୍ଗ ଲୋକମାନଙ୍କୁ କେବଳ କଟୁରିରେ ହାଣି ଲୁଟୁଥିଲେ। ଦିନମାନ ବୁଲିବୁଲି ତଥ୍ୟ ସଂଗ୍ରହ କରୁଥିଲେ। ସନ୍ଧ୍ୟାରେ ବିଭିନ୍ନ ଛକ ଗଳିକନ୍ଦିରେ ଖଟି ଜମାଇ ଅପରାଧର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ନୂଆପଲ୍ଲୀ, ଖଣ୍ଡଗିରି, କଳ୍ପନା, ପୁରୁଣା ଭୁବନେଶ୍ବର, ଜଗନ୍ନାଥ ରୋଡ୍‌ ଅଞ୍ଚଳରେ ଏମାନଙ୍କର ବିଶେ‌ଷ ପ୍ରଭାବ ରହିଥିଲା। ଏହି ଗ୍ୟାଙ୍ଗ୍‌ର ଜଣେ ନାବାଳକ ସହ ପୁରୀ ଜିଲ୍ଲାର ନାରାୟଣ ବାରିକ, କଟକ ତିଗିରିଆର ରକି, ବରମୁଣ୍ଡା ହାଉସିଂବୋର୍ଡର ରାଜେଶ ସାମଲ, କେନ୍ଦ୍ରାପଡ଼ା ପଟାମୁଣ୍ଡାଇର ସୌମ୍ୟ ରଞ୍ଜନ ସିଂଙ୍କୁ କମିସନରେଟ୍‌ ପୁଲିସ ଗିରଫ କରିଥିଲା। ପାର୍ଟ ୱାନ୍ ଓ ପାର୍ଟ ଟୁ ଧରା ପଡ଼ିଥିବାବେଳେ ପୁଲିସ ନଜରରେ ପାର୍ଟ ଥ୍ରୀ।

କେବିଏନ୍‌ ଗ୍ୟାଙ୍ଗ
ଲୋକଙ୍କୁ ଆତଙ୍କିତ କରିବାକୁ ଖଣ୍ଡା, ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ସହ ଆତଙ୍କ ସୃଷ୍ଟିକାରୀ ଭିଡିଓ ତିଆରି କରି ଭାଇରାଲ୍‌ କରୁଥିବା କେବିଏନ୍‌ କିଛିଦିନ ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିଲା। ଗ୍ୟାଙ୍ଗର ମୁଖ୍ୟ ଦେବୀପ୍ରସାଦ ଜେନା ଓରଫ ବୁବୁ ୨୦ରୁ ଊର୍ଧ୍ବ ଯୁବକଙ୍କୁ ନେଇ ଗ୍ୟାଙ୍ଗ ଗଠନ କରି ଅପରାଧିକ କାଣ୍ଡ ଘଟାଉଥିଲା। ଏହି ଗ୍ୟାଙ୍ଗ୍‌ର ବିଭିନ୍ନ ଥାନାରେ ମାମଲା ଥିଲା। ବିଶେଷକରି ନୂଆପଲ୍ଲୀ, ଖଣ୍ଡଗିରି ଅଞ୍ଚଳକୁ ଟାର୍ଗେଟ୍‌ କରି ଅପରାଧ ଘଟାଉଥିଲେ। ପୁଲିସର ନିଦ ହଜାଇଥିବା ଏହି ଗ୍ୟାଙ୍ଗ୍‌କୁ ଧରିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ଥିଲା। ପ୍ରଥମେ କେବିଏନ୍ ଗ୍ୟାଙ୍ଗର ଜୀବିତୋଷ, ସୁମନ ଓ ନରେନ୍ଦ୍ରକୁ ପୁଲିସ ଗିରଫ କରିଥିଲା। ପରେ ଚେଙ୍ଗ ଓ ସନିଆ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଜାନୁଆରି ଶେଷ ବେଳକୁ ଗ୍ୟାଙ୍ଗର ମୁଖ୍ୟ ବୁବୁକୁ ପୁଲିସ ପୁରୀରୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର