ରାଜଧାନୀରେ ନୂଆ ଡିସିପି ପ୍ରତୀକ ସିଂଙ୍କ କଟକ ଖେଳ

ଭୁବନେଶ୍ବର : ୨୦୧୯ ସେପ୍ଟେମ୍ବର ୪। ରାତି ପ୍ରାୟ ସାଢ଼େ ୩ଟା। କୁଖ୍ୟାତ ଅପରାଧୀ ସୁଶାନ୍ତ ମାଝୀ ଓରଫ୍ ବେଲିଆକୁ ପିଛା କରୁଥାଏ କମିସନରେଟ୍ ପୁଲିସର ସ୍ପେସାଲ ସ୍କ୍ବାଡ୍। ହଠାତ୍ ବେଲିଆ ଅଣ୍ଟାରୁ ବନ୍ଧୁକ ବାହାର କରି ପୁଲିସକୁ ଗୁଳିମାଡ଼ କଲା। ଜବାବରେ ସ୍ପେସାଲ୍ ସ୍କ୍ବାଡ୍ ବି ଗୁଳି ଚଳାଇଲା ଓ ବେଲିଆର ବାମ ଗୋଡ଼ରେ ଗୁଳି ବାଜିଲା। ବେଲିଆ ନାଁରେ ଥିଲା ହତ୍ୟା, ଡକାୟତି, ଲୁଟ୍, ପୁଲିସ ଉପରକୁ ଗୁଳିମାଡ଼ ଭଳି ୧୦ରୁ ଅଧିକ ମାମଲା। ତେବେ ତାହା ଥିଲା କମିସନରେଟ୍ ପୁଲିସର ଭୁବନେଶ୍ବରରେ ଶେଷ ଏନ୍‌କାଉଣ୍ଟର୍। ଦୀର୍ଘ ୩୨ ମାସ ପରେ ଗତକାଲି ବିଳମ୍ବିତ ରାତିରେ ରାଜଧାନୀକୁ ପୁଣି ଏନକାଉଣ୍ଟର୍ ଫେରିଛି। କୁଖ୍ୟାତ ଡକାୟତ ଚକରାକୁ ପୁଲିସ ଏନ୍‌କାଉଣ୍ଟର୍ କରିଛି। ଭୁବନଶ୍ବେରରେ ନୂଆ ଡିସିପି ପ୍ରତୀକ ସିଂଙ୍କ ଇନିଂସ୍‌ ଆରମ୍ଭ ହେଉ ହେଉ ଏହି ଏନ୍‌କାଉଣ୍ଟର ଅପରାଧୀଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି।

ଅପରପକ୍ଷରେ ଡିସିପି ପ୍ରତୀକ ସିଂଙ୍କ ପା‌ଇଁ ଦ୍ବୈତନଗରୀରେ ଏହା ଚତୁର୍ଥ ଏନ୍‌କାଉଣ୍ଟର୍। ଏହା ପୂର୍ବରୁ ତାଙ୍କ ସମୟରେ କଟକରେ ୨ବର୍ଷ ମଧ୍ୟରେ ୩ଟି ବଡ଼ଧରଣର ଏନ୍‌କାଉଣ୍ଟର୍‌ ହୋଇଥିଲା। କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ ସକିଲ୍‌ର ସହଯୋଗୀ ଶେଖ୍ ବାବୁକୁ ଦରଘାବଜାର ପୁଲିସ ୨୦୨୧ ଏପ୍ରିଲ ୨୯ରେ ଏନ୍‌କାଉଣ୍ଟର କରିଥିଲା। ବାଲେଶ୍ବରରେ ଗ୍ୟାଙ୍ଗଷ୍ଟାର୍ ଶେଖ୍‌ ହାଇଦର ପୁଲିସ ଗୁଳିରେ ନିହତ ହୋଇଥିଲା। କନ୍ଦରପୁର ବାଲିଘାଟ ଗୁଳିକାଣ୍ଡ ଘଟଣାରେ ପୁଲିସ ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ୍ ରାକେଶ ଦାସ ଗୁରୁତର ହୋଇଥିଲା। କଟକରେ ହୋଇଥିବା ଏହି ସବୁ ଏନ୍‌କାଉଣ୍ଟରକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ ଡିସିପି ପ୍ରତୀକ। ତିନି ତିନିଟି ଏନ୍‌କାଉଣ୍ଟର ଯୋଗୁଁ କଟକର ଅପରାଧୀମାନେ ଛାନିଆ ହୋଇପଡ଼ିଥିଲେ।

ଏହା ବ୍ୟତୀତ ଦାଦାବଟି, ବାଲିଘାଟ ନିଲାମ ମାମଲାରେ ବଡ଼ବଡ଼ ନାମୀ ଅଭିଯୁକ୍ତଙ୍କୁ ଜେଲ୍‌ ହାଜତକୁ ପଠାଇବା ଓ ୨୦ ବର୍ଷରୁ ଅଧିକ କାଳ ପୁଲିସ ଆଖିରେ ଧୂଳି ଦେଇ ଫେରାର୍ ଥିବା ବିବନ ବିଶ୍ବାଳ ଭଳି ଚର୍ଚ୍ଚିତ ଅପରାଧୀଙ୍କୁ ଗିରଫ କରାଇବା ଘଟଣା ଡିସିପି ଶ୍ରୀ ସିଂଙ୍କୁ ଚର୍ଚ୍ଚାରେ ରଖିଥିଲା। ଏହି ସମୟରେ କିନ୍ତୁ ରାଜଧାନୀରେ ଅପରାଧର ଗ୍ରାଫ୍ ଉପରମୁହାଁ ହୋଇପଡ଼ିଥିଲା। ତେଣୁ ସେ ରାଜଧାନୀକୁ ବଦଳି ହୋଇ ଆସିବା ପରେ କଟକ ଘଟଣାର ପୁନରାବୃତ୍ତି ହେବ ବୋଲି କୁହାଯାଉଥିଲା। ଏହା ଗତକାଲି ରାତିରୁ ଆରମ୍ଭ ହୋଇଛି। ତେଣୁ ଆଗକୁ ଡିସିପି ପ୍ରତୀକଙ୍କ କଟକ ଖେଳ ରାଜଧାନୀରେ ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର