ଭୁବନେଶ୍ବର : ସପ୍ତମ ଡିସିପି ଭାବେ ପ୍ରତୀକ ସିଂହ ବୁଧବାର ଦିନ ଭୁବନେଶ୍ବର କମିସନରେଟ୍ ପୁଲିସର ଦାୟିତ୍ବ ନେଇଛନ୍ତି। ବୁଧବାର ଅପରାହ୍ଣରେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା, ଭିଭିଆଇପି ସୁରକ୍ଷାକୁ ନିୟମିତ କାର୍ଯ୍ୟକ୍ରମ ଭାବେ ଗୁରୁତ୍ବ ଦିଆଯିବାକୁ ଥିବା ବେଳେ ୫-ଟିକୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଏହି ଅବସରରେ ସେ ସୂଚନା ଦେଇଛନ୍ତି। ସମ୍ପ୍ରତି ପୁଲିସ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ସେହିଭଳି ମାନବ ସମ୍ବଳ ଅଭାବ ସମସ୍ୟାର ସମାଧାନ ଓ ଅପରାଧ ନିୟନ୍ତ୍ରଣ ପାଇଁ ଥାନାସ୍ତରରୁ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି। ସଂଗିନ୍ ପୁରୁଣା ମାମଲାଗୁଡ଼ିକର ସମୀକ୍ଷା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ଆଜି ଦାୟିତ୍ବ ନେବା ଅବସରରେ କହିଛନ୍ତି।
ସେ କହିଛନ୍ତି ଯେ ସରକାର ପୁଲିସ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବାକୁ ୫-ଟି ନିୟମ କରିଛନ୍ତି। ଏହା ବି ବେଶ୍ ଜରୁରୀ। ତେଣୁ ରାଜ୍ୟରେ ଉଦାହରଣ ସୃଷ୍ଟି କଲା ଭଳି ରାଜଧାନୀ ଭୁବନେଶ୍ବରରେ ଏହାକୁ ଅଧିକ ଗୁରୁତ୍ବ ଦିଆଯିବ। ଆଇନଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣ ସବୁବେଳେ ପୁଲିସ ପାଇଁ ଆହ୍ବାନ ହୋଇଥାଏ। ତେଣୁ ସ୍ବାଭାବିକ ଭାବେ ସେହି ଦିଗରେ ରୀତିମତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆପରାଧିକ କାଣ୍ଡର ମୂଳ କାରଣକୁ ଖୋଜି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ। ବର୍ତ୍ତମାନର ସ୍ଥିତି ଓ କେଉଁଠି ସମସ୍ୟା ରହିଛି, ସେସବୁ ପାଇଁ ଥାନାସ୍ତରରୁ ସମୀକ୍ଷା ଆରମ୍ଭ କରାଯିବ। ପ୍ରତି ଥାନା ଅଞ୍ଚଳରେ ଘଟୁଥିବା ଅପରାଧ ରେକର୍ଡକୁ ଆଧାର କରି ଜୋନ୍ ଅଧିକାରୀ ଓ ଥାନା ଅଧିକାରୀମାନଙ୍କ ସହ ଆଲୋଚନା କରାଯିବ। ଯଦି କେଉଁଠି କିଛି ପରିବର୍ତ୍ତନ ଆବଶ୍ୟକ ହୁଏ, ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଅଣାଯିବ। ସେହିଭଳି ଯେଉଁ ସବୁ ଥାନାରେ ମାନବ ସମ୍ବଳକୁ ନେଇ ସମସ୍ୟା ରହିଛି, ତାହା ଉପରେ ତୁରନ୍ତ ବିଚାର କରାଯିବ। କିଛି ଦିନ ହେଲା ରାଜଧାନୀରେ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ଷ୍ଟ୍ରିଟ୍ କ୍ରାଇମ୍, ସାଇବର କ୍ରାଇମ୍, ଲୁଟ୍, ଛିନ୍ତାଇ, ଡକାୟତି ଓ ଗୁଳିକାଣ୍ଡ ବଢ଼ୁଥିବାରୁ ନୂଆ ଡିସିପି ଭାବେ ସେ କ’ଣ କରିବେ ବୋଲି ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ ଯେ ଏଥିପାଇଁ ସ୍ପେସାଲ୍ ସ୍କ୍ବାଡ୍ ଭଳି ବହୁତ ସ୍ବତନ୍ତ୍ର ଟିମ୍ ବ୍ୟବସ୍ଥା ରହିଛି। ସେସବୁକୁ ଅଧିକ ବ୍ୟବସ୍ଥିତ କରାଯିବା ସହ ପୁରୁଣା ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯିବ। ଅପରାଧ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ଆଜି ଅପରାହ୍ଣରେ ଭୁବନେଶ୍ବର ଡିସିପି କାର୍ଯ୍ୟାଳୟରେ ତାଙ୍କୁ ଅତିରିକ୍ତ ଡିସିପି ପିକେ ରାଉତ ଦାୟିତ୍ବ ଭାର ପ୍ରଦାନ କରିଥିଲେ। ଏହି ଅବସରରେ ସମସ୍ତ ଏସିପି, ଥାନା ଅଧିକାରୀ ଉପସ୍ଥିତ ରହି ପ୍ରତୀକ ସିଂଙ୍କୁ ସ୍ବାଗତ ଜଣାଇଥିଲେ। ଏହାପରେ ସେ ସମସ୍ତ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/m15.jpg)