ଭୁବନେଶ୍ୱର: ଆକ୍ସନ ମୁଡ୍ରେ ନୂଆ ଡିସିପି ଉମାଶଙ୍କର ଦାଶ। କର୍ତ୍ତବ୍ୟରେ ଅବହେଳା ପାଇଁ ଜଣେ ଏସ୍ଆଇଙ୍କୁ ନିଲମ୍ବିତ କରିଛନ୍ତି। ଲକ୍ଡାଉନ୍ ବେଳେ ଆଚାର୍ଯ୍ୟବିହାରରେ ଡ୍ୟୁଟି କରିବା ପାଇଁ ଦାୟିତ୍ବ ପାଇଥିବା ସହିଦନଗର ଥାନା ଏସ୍ଆଇ ସଞ୍ଜୟ କୁମାର ଜେନା ନିଲମ୍ବିତ ହୋଇଛନ୍ତି। ଏ ନେଇ ତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେ କାରଣ ଲେଖି ଡିସିପିଙ୍କୁ ଜଣାଇବା ପରେ ତାଙ୍କ ଉପରୁ ନିଲମ୍ବନ ଉଠିବା ନ ଉଠିବା ଉପରେ ବିଚାର କରାଯିବ। ତେବେ କାର୍ଯ୍ୟରେ ଯୋଗ ଦେବାର ମାତ୍ର ୩ ଦିନ ମଧ୍ୟରେ ଡିସିପିଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ପୁଲିସ୍ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ସୂଚନାଯୋଗ୍ୟ, ଗତ ୨୩ ତାରିଖ ଦିନ କୋଭିଡ୍ ମୁକାବିଲା ପାଇଁ ନାକାବନ୍ଦୀଗୁଡ଼ିକରେ କିଭଳି ଏନ୍ଫୋର୍ସମେଣ୍ଟ ଚାଲିଛି, ଦେଖିବା ପାଇଁ ଡିସିପି ବିଭିନ୍ନ ନାକାଗୁଡ଼ିକ ବୁଲୁଥିଲେ। ସେତିକିବେଳେ ଆଚାର୍ଯ୍ୟବିହାର ନାକାରେ ସମ୍ପୃକ୍ତ ଅଫିସର୍ ନଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଉଛି ବୋଲି ଡିସିପି ଘୋଷଣା କରିଥିଲେ। ଡିସିପିଙ୍କୁ ଏଭଳି ଆକ୍ସନ ମୁଡ୍ରେ ଦେଖି ଅନ୍ୟ କର୍ମଚାରୀମାନେ ଛାନିଆ ହୋଇଛନ୍ତି। ପ୍ରତି ନାକାବନ୍ଦୀରେ କର୍ମଚାରୀ ଓ ଅଧିକାରୀ ତତ୍ପର ହୋଇଥିବା ଦେଖିବାକୁ ମିଳିଛି। କେତେକ କର୍ମଚାରୀ ଡ୍ୟୁଟି ବେଳେ ମୋବାଇଲ ଧରିବା ଛାଡ଼ି ଦେଇଛନ୍ତି।