ଏଥର ନୂଆଦିଲ୍ଲୀ ଇଣ୍ଡିଆଗେଟ୍‌ ଲନ୍‌ରେ ‘ଓଡ଼ିଶା ପର୍ବ’

ଭୁବନେଶ୍ବର: ଝଟକିବ ପ୍ରାଚୀନ ଓଡ଼ିଶାର ଐତିହାସିକ ଗାଥା। ଉପଲବ୍ଧ ହେବ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ସାମଗ୍ରୀ। ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ସାଙ୍ଗକୁ ଆଧୁନିକ ନୃତ୍ୟ ସଂଗୀତର ଫ୍ୟୁଜନରେ ଦୁଲୁକିବ ମଞ୍ଚ। ନୂଆଦିଲ୍ଲୀର ଇଣ୍ଡିଆଗେଟ୍‌ ଲନ୍‌ରେ ହେବାକୁ ଯାଉଥିବା ‘ଓଡ଼ିଶା ପର୍ବ’ ଏହିପରି ଏକ ନିଆରା ଅବକାଶ ଆଣିଦେବ। ‘ଓଡ଼ିଆ ସମାଜ’ ପକ୍ଷରୁ ଆସନ୍ତା ୧୫ରୁ ୧୭ ପର୍ଯ୍ୟନ୍ତ ୩ ଦିନ ଧରି ୨ଲକ୍ଷ ୬୦ ହଜାର ବର୍ଗଫୁଟ ପରିବ୍ୟାପ୍ତ ଅଞ୍ଚଳରେ ଆୟୋଜିତ ହେବ ଏହି ପର୍ବ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହାକୁ ଉଦ୍‌ଘାଟନ କରିବେ। ଓଡ଼ିଶା ପର୍ବର ଏହି ତୃତୀୟ ସଂସ୍କରଣରେ ଓଡ଼ିଶାର ନିଆରା ସଂସ୍କୃତି, ଐତିହ୍ୟ, ପରମ୍ପରା, ପାରମ୍ପରିକ ଖାଦ୍ୟ, ବ୍ୟଞ୍ଜନ, ହସ୍ତତନ୍ତ ଓ ହସ୍ତକଳା ଉପଭୋଗ କରିବାର ସୁଯୋଗ ମିଳିବ। ‘ସୂର୍ଯ୍ୟ ଉଦୟ’ ଦୃଶ୍ୟ ସଦୃଶ ପ୍ରବେଶ ତୋରଣକୁ ସଜାଯିବ। ପଦ୍ମଫୁଲର ପ୍ରଚ୍ଛଦପଟରେ ଝଲସିବ ବିଶାଳ ମଞ୍ଚ। ଏହି ଅବସରରେ ‘ଉତ୍କଳ ଉଦୟ’ ଶୀର୍ଷକ ଏକ ୩ଡି ଫିଲ୍ମ ମୁଖ୍ୟ ଆକର୍ଷଣ ପାଲଟିବ। ଓଡ଼ିଶାର ପୁରସ୍କାରପ୍ରାପ୍ତ କାରିଗର, ବୁଣାକାର ପାରମ୍ପରିକ ହସ୍ତତନ୍ତ ତଥା ଶାଢ଼ି, ପୋଷାକ, କଳାକୃତି, ହାତ ତିଆରି ଆଭୂଷଣ ପ୍ରଦର୍ଶନ ଓ ବିକ୍ରୟ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ତାନ୍‌ସେନ୍‌ ସିଂ, ଅଭିଜିତ ମଜୁମଦାର, ପଙ୍କଜ ଜାଲ୍‌, ସୁସ୍ମିତା ଦାଶ, ସୌରିନ ଭଟ୍ଟ, ଅସୀମା ପଣ୍ଡା, ଚେଲ୍‌ସି ବେହୁରାଙ୍କ କଣ୍ଠରୁ ସଂଗୀତ ଶୁଣିବାକୁ ମିଳିବ। ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ତାଙ୍କ ପୁତ୍ର ମିତ୍ରଭାନୁ ମହାନ୍ତିଙ୍କ ଦ୍ବାରା ସ୍ବତନ୍ତ୍ର ସଂଗୀତ କାର୍ଯ୍ୟକ୍ରମ ‘ସ୍ମୃତି ପସରା’ ଉପଭୋଗ କରିବାର ସୁଯୋଗ ମିଳିବ। ଏଥିସହ ସୋନାଲ୍‌ ମାନସିଂହଙ୍କ ସମେତ ନାମକରା ନୃତ୍ୟଶିଳ୍ପୀମାନେ ଚିତ୍ତାକର୍ଷକ ନୃତ୍ୟ ଭେ‌ଟିଦେ‌ବେ। ଏତଦ୍‌ବ୍ୟତୀତ କଟକ, ବ୍ରହ୍ମପୁର, ସମ୍ବଲପୁର ସହରର ଷ୍ଟ୍ରିଟ୍‌ଫୁଡ୍‌, ଓଡ଼ିଆ ଥାଳି ଖାଇବାର ଅବସର ମିଳିବ। କାର୍ଯ୍ୟକ୍ରମରେ ସମସ୍ତଙ୍କ ପାଇଁ ନିଃଶୁଳ୍କ ପ୍ରବେଶର ବ୍ୟବସ୍ଥା ରହିବ।

ସମ୍ବନ୍ଧିତ ଖବର