ନୂଆ ଅଡ଼ୁଆରେ ଛନ୍ଦି ହେଉଛି ବିଏମ୍‌ସି

ଭୁବନେଶ୍ବର: ଆବର୍ଜନାକୁ ନେଇ ଦିନକୁ ଦିନ ବିଏମ୍‌ସି ନୂଆ ଅଡ଼ୁଆରେ ଛନ୍ଦି ହେବାରେ ଲାଗିଛି। ୫ ଦିନ ହେଲା ୱାର୍ଡ ନମ୍ବର ୬ ଓ ୭‌ରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଅଳିଆ ଉଠି ପାରି ନଥିବା ବେଳେ ଆଜି ରାମ୍‌କିର ସମସ୍ତ ୧୫ଟି ୱାର୍ଡରେ ସଫେଇ ବନ୍ଦ କରିଦେଇଛନ୍ତି ସଫେଇ କର୍ମଚାରୀ। ୪ ଦଫା ଦାବି ନେଇ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛି ଭୁବନେଶ୍ବର ମହାନଗର ନିଗମ ୱାର୍କର୍ସ ୟୁନିଅନ୍‌। ଏ ନେଇ ଆଜି ଭୁବନେଶ୍ବର ଡିସିପିଙ୍କୁ ସଂଘ ଦାବିପତ୍ର ପ୍ରଦାନ କରିଛି।

ଅନ୍ୟପଟେ ଜାଗୃତି ସଂସ୍ଥା ଅଧୀନରେ ଥିବା ୩୪ ନମ୍ବର ୱାର୍ଡରେ ଆଜି କର୍ମଚାରୀମାନେ କାମ ବନ୍ଦ କରି ଦେଇଛନ୍ତି। ଫଳରେ ଏହି ୱାର୍ଡରୁ ଅଳିଆ ଉଠି ପାରିନାହିଁ। ୧୦ ତାରିଖରେ ଦରମା ଦେବା ଦାବିରେ ସଫେଇ କର୍ମଚାରୀମାନେ କାମ ବନ୍ଦ କରିଥିବା କହିଛନ୍ତି। ଫଳରେ ୩୪ ନମ୍ବର ୱାର୍ଡରେ ଆବର୍ଜନା ଗଦା ହୋଇ ରହିଛି। ସନ୍ଧ୍ୟା ପର୍ଯ୍ୟନ୍ତ ଠିକାସଂସ୍ଥା ବୁଝାଇବାକୁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ସଫଳ ହୋଇ ନାହିଁ। ଏହି ୱାର୍ଡ ଦାୟିତ୍ବରେ ଥିବା ବିଏମ୍‌ସି ଅଧିକାରୀମାନେ କର୍ମଚାରୀଙ୍କୁ ବୁଝାଇବାକୁ ଉଦ୍ୟମ କରିନାହାନ୍ତି।  ତେବେ ଆସନ୍ତାକାଲି କର୍ମଚାରୀଙ୍କ ସହ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ରାମ୍‌କି ଅଧୀନରେ କାମ କରୁଥିବା ସଫେଇ କର୍ମଚାରୀଙ୍କ ଅଭିଯୋଗ ହେଲା, ସଂସ୍ଥା ଶ୍ରମ ବିଭାଗର ବିଜ୍ଞପ୍ତି ଅନୁସାରେ ସଂସ୍ଥା ଦରମା ଦେଉନାହିଁ।

ଏଣୁ ବର୍ଷ ବର୍ଷ ଧରି ଯେଉଁ ଟଙ୍କା ଏହି ବାବଦକୁ ବାକି ହିଛି ତାହା ସଂସ୍ଥା ପ୍ରଦାନ କରୁ। ଯେଉଁମାନେ ଓଭର ଟାଇମ୍‌ କରୁଛନ୍ତି ସେମାନଙ୍କୁ ସେ ବାବଦରେ ଟଙ୍କା ମିଳୁନାହିଁ। ନିୟମ ଅନୁସାରେ ସପ୍ତାହରେ ଗୋଟିଏ ଅଫ୍‌ ଦିନ ରହିଛି। କିନ୍ତୁ କର୍ମଚାରୀମାନେ କାମ କରୁଥିବାରୁ ଅଧିକ ଟଙ୍କା ଦିଆଯାଉ। ବର୍ଷକୁ ଦୁଇଥର ଦୁଇ ହଳ ୟୁନିଫର୍ମ ଓ ଛତା ବା ରେନ୍‌କୋଟ୍‌ ପ୍ରଦାନ କରାଯାଉ। ସଂସ୍ଥା ୨୦୨୦ ମସିହାରୁ ପ୍ରତ୍ୟେକ କର୍ମଚାରୀଙ୍କ ଠାରୁ ୧୦ ଟଙ୍କା କାଟି ରଖୁଛି। ଏହାକୁ ତୁରନ୍ତ ପ୍ରଦାନ କରାଯାଉ। ଏଭଳି ଦାବି କରି କର୍ମଚାରୀମାନେ କାମ ବନ୍ଦ କରିଥିବା ସଭାପତି ବିଷ୍ଣୁ ମହାନ୍ତି କହିଛନ୍ତି। ଅଧିକାରୀମାନଙ୍କ ଯୋଗୁ ୧୦ଟି ପ୍ୟାକେଜ୍‌ ଟେଣ୍ଡରରେ ହୋଇଥିବା ଗୁରୁଚଣ୍ଡାଳ ଦୋଷ ଯୋଗୁଁ ଏଭଳି ନୂଆ ନୂଆ ଅଡ଼ୁଆ ଆବର୍ଜନା ସଫେଇ ବାଟ ଓଗାଳିଛି।

ରାମ୍‌କିର ସବୁ ୱାର୍ଡରେ ବନ୍ଦ ହେଲା ସଫେଇ
ଜାଗୃତିର ୩୪ ନମ୍ବରରେ ବି କର୍ମଚାରୀଙ୍କ ଆନ୍ଦୋଳନ

ଅନ୍ୟପଟେ ରାମ୍‌କି କିଛି ଶୁଣିବାକୁ ପ୍ରସ୍ତୁତ ନାହିଁ। ଗତ ନଭେମ୍ବର ମାସରୁ ତା’ର ଟେଣ୍ଡର ଚୁକ୍ତି ଶେଷ ହୋଇଥିଲେ ମଧ୍ୟ ବିଏମ୍‌ସି ମାସିକିଆ ଚୁକ୍ତି ଅବଧି ବଢ଼ାଇ ଚାଲିଛି। ଏଣେ ବିଏମ୍‌ସି ୫୪ କୋଟି ବାକି ରଖିଥିବାରୁ କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହିଁ। ସେପଟେ ନୂଆ ସଂସ୍ଥା ନିଜ ଗୋଡ଼ରେ ଛିଡ଼ା ହୋଇ ପାରିନଥିବାରୁ ସମସ୍ତ ୱାର୍ଡର ଦାୟିତ୍ବ ନେଇ ପାରୁନାହିଁ। ଫଳରେ ବିଏମ୍‌ସି ଚାରିଆଡ଼ୁ ରୁନ୍ଧି ହୋଇ ଯାଇଛି।

ସମ୍ବନ୍ଧିତ ଖବର