ଭୁବନେଶ୍ୱର : ଦୂର ହେବ ଆଚାର୍ଯ୍ୟବିହାରବାସୀଙ୍କ ଡ୍ରେନେଜ୍ ସମସ୍ୟା। ଏହି ଅଞ୍ଚଳ ଦେଇ ଯାଇଥିବା ଡ୍ରେନେଜ୍ ଚାନେଲ୍ ନମ୍ବର-୪ ପାଇଁ ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟେଣ୍ଡର ଆହ୍ଵାନ କରାଯାଇଛି। ସଫଳ ବିଡ୍ ସଂସ୍ଥା ଏହି କାର୍ଯ୍ୟକୁ ୧୧ ମାସ ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ୫କୋଟି ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି।
ଆଚାର୍ଯ୍ୟବିହାରବାସୀଙ୍କ ଲାଗି ଏହା ପ୍ରମୁଖ ସମସ୍ୟା ପାଲଟିଛି। ବର୍ଷା ୪ ମାସ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥାନ୍ତି। ସମଗ୍ର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବାଇକ୍, ସ୍କୁଟି ଭାସି ଯାଉଥିବା ପୂର୍ବରୁ ଦେଖିବାକୁ ମିଳିଛି। ଏପରିକି ଡ୍ରେନ୍ ପାଣିର ସ୍ରୋତରେ କାର୍ ବି କିଛି ଦୂର ପର୍ଯ୍ୟନ୍ତ ଭାସି ଯିବାର ନଜରି ରହିଛି। ୨୦୧୦, ୨୦୧୧ ଏବଂ ୨୦୧୨ରେ ଏହି ସମସ୍ୟା ଜଟିଳ ହୋଇଥିଲା। ଜୟଦେବବିହାର ପାର୍ଶ୍ୱରୁ ଆସିଥିବା ଏହି ମୁଖ୍ୟ ଚାନେଲ୍ ବର୍ଷା ସମୟରେ ଆଚାର୍ଯ୍ୟବିହାରଠାରେ ଜଳମଗ୍ନ ହୋଇଥାଏ। ଅଞ୍ଚଳବାସୀ ତଥା ସହରବାସୀଙ୍କୁ ହଟହଟା କରୁଥିବା ଏହି ଚାନେଲ୍ର ଜଳକୁ ବାଧାମୁକ୍ତ କରିବା ପାଇଁ ଏଠାରେ ବକ୍ସ ଟାଇପ୍ ଡ୍ରେନ୍ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଆଚାର୍ଯ୍ୟବିହାରଠାରେ ବର୍ଷା ସମୟରେ ଅଧିକ ଜଳ ପ୍ରବାହିତ ହେଲେ ଏହି ବକ୍ସ ଟାଇପ୍ ଡ୍ରେନ୍ରେ ବାହାରି ଯାଇ ଅପରପାର୍ଶ୍ୱରେ ମୁଖ୍ୟ ଚାନେଲ୍ରେ ମିଶିବ। ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି।
ଏହା ଦୀର୍ଘ ସ୍ଥାୟୀ ଯୋଜନା ହୋଇଥିବାରୁ ଜଳବନ୍ଦୀ ସମସ୍ୟା ସବୁ ଦିନ ପାଇଁ ଦୂର ହେବ। ଆଚାର୍ଯ୍ୟ ବିହାର ନିକଟରେ ଯାଇଥିବା ମୁଖ୍ୟ ଚାନେଲ୍କୁ ଅବରୋଧ ମୁକ୍ତ କରିିବା ପାଇଁ ୨୦୧୪ରେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ଉଚ୍ଛେଦ ହୋଇଥିଲା। ତେବେ ଜନସ୍ୱାସ୍ଥ୍ୟ ସଂସ୍ଥାର ପାଇପ୍ ଲାଇନ୍ ଏବଂ ସେସୁ ପକ୍ଷରୁ ବିଦ୍ୟୁତ୍ ଖୁଣ୍ଟଗୁଡ଼ିକ ହଟାଇବାରେ ସମୟ ଲାଗିଥିଲା। ଏବେ ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଡ୍ରେନେଜ୍ ଡିଭିଜନ୍ର ଏକ ଶାଖା ବିଏମ୍ସି ଅଧୀନକୁ ଆସିଛି। ବିଏମ୍ସିର ଏହି ଡିଭିଜନ୍ ମୁଖ୍ୟ ଚାନେଲ୍ଗୁଡ଼ିକର ଅବରୋଧ ହଟାଇବା, ମରାମତି ଏବଂ ନୂତନ ନିର୍ମାଣ ପାଇଁ କାର୍ଯ୍ୟ କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/drain.jpg)