କ୍ୟାପିଟାଲ ହସ୍ପିଟାଲର ହୃଦ୍‌ରୋଗ ବିଭାଗରେ ଲାଗିଲା ନୂଆ ଇକୋ ମେସିନ୍

କ୍ୟାଥଲ୍ୟାବ୍‌ ସଂପ୍ରସାରଣ ପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ହୃଦ୍‌ରୋଗ ବିଭାଗକୁ ସରକାର ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ଭିତ୍ତିରେ ବିଭାଗରେ ୨ଟି ଅତ୍ୟାଧୁନିକ ଇକୋ-ମେସିନ୍ ଲଗାଯାଇଛି। ଯଦିଓ ପୂର୍ବରୁ ଇକୋ ମେସିନ୍ ରହିଥିଲା, ମାତ୍ର ତାହା ପୁରୁଣା ହୋଇଯାଇଥିଲା। ନୂଆ ମେସିନ୍ ଯୋଗୁଁ କାର୍ଯ୍ୟ ଆହୁରି ସରଳ ହେବ ବୋଲି ଆଶା କରାଯାଉଛି।

ହୃଦ୍‌ରୋଗ ବିଭାଗକୁ ଅତ୍ୟାଧୁନିକ କରିବା ଲାଗି ଗତବର୍ଷ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡା. ପି.କେ ଦାସଙ୍କୁ ହୃଦ୍‌ରୋଗ ପ୍ରତିଷ୍ଠାନର ନିର୍ଦେଶକ ଭାବେ ଦାୟିତ୍ବ ଦିଆଯାଇଥିଲା। ହସ୍ପିଟାଲରେ ଆଞ୍ଜିଓପ୍ଲାଷ୍ଟି ଓ ଆଞ୍ଜିଓଗ୍ରାମ ତ୍ବରାନ୍ବିତ ହୋଇଛି। ହୃଦ୍‌‌ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଇକୋ, ଇସିଜି ଓ କ୍ୟାଥ‌ଲାବ୍‌ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ। ତେଣୁ ୨ଟି ନୂଆ ଇକୋ ମେସିନ୍ ଆସିବା ପରେ ହୃଦ୍‌ରୋଗୀଙ୍କ ଚିକିତ୍ସା ଦିଗରେ ଏହା ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।

ଅପରପକ୍ଷରେ ହସ୍ପିଟାଲରେ ୨୦୧୧ ମସିହାରୁ କାର୍ଯ୍ୟ କରୁଥିବା କ୍ୟାଥଲାବ୍‌କୁ ନେଇ ଅନେକ ସମୟରେ ସମସ୍ୟା ଦେଖା ଦେଉଥିବାରୁ ଏହାର ସଂପ୍ରସାରଣ କରାଯିବ। ଏଥିପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଏହାସହ ବିଭାଗରେ ୧୦ଶଯ୍ୟା ବିଶିଷ୍ଟ ହୃଦ୍‌ରୋଗ ଆଇସିୟୁ କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବରୁ ହସ୍ପିଟାଲର ଆଇସିୟୁ ଉପରେ ହୃଦ୍‌ରୋଗୀଙ୍କୁ ନିର୍ଭର କରିବାକୁ ପଡ଼ୁଥିଲା। ମାତ୍ର ନୂଆ ଆଇସିୟୁ ପ୍ରତିଷ୍ଠା ହେବା ପରେ ଏହା କେବଳ ହୃଦ୍‌ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ଆଗାମୀ ଦିନରେ ବିଭାଗରେ ଜଟିଳ ଅସ୍ତ୍ରୋପଚାର ପାଇଁ ଯୋଜନା ରହିଥିବାରୁ ଏହି ଆଇସିୟୁ ବେଶ୍ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ମାତ୍ର ଏବେ ଆବଶ୍ୟକ କର୍ମଚାରୀ ନିଯୁକ୍ତି ହୋଇପାରି ନ ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର