ନୂତନ ଶିକ୍ଷାନୀତିରେ ଓଡ଼ିଆ ମାଧ୍ୟମକୁ ଗୁରୁତ୍ୱ ଦେବା ଆବଶ୍ୟକ
ଭୁବନେଶ୍ୱର: ଉଚ୍ଚଶିକ୍ଷା କେବଳ ନିଯୁକ୍ତି ନୁହେଁ, ବରଂ ଆତ୍ମନିର୍ଭରଶୀଳ କରାଏ। ମାତୃଭାଷା ମାଧ୍ୟମରେ ଉଚ୍ଚଶିକ୍ଷା ଖୁବ ସହଜ ଓ ବୁଝିବା ସାମର୍ଥ୍ୟ ବୃଦ୍ଧି କରିଥାଏ। ମାତ୍ର ଓଡ଼ିଶାରେ କେବଳ ଇଂରାଜୀ ଭାଷାରେ ଉଚ୍ଚଶିକ୍ଷା ଓ ଗବେଷଣା କାର୍ଯ୍ୟ ହେଉଥିବାରୁ ବେକାରି ବୃଦ୍ଧି ପାଉଛି। ତେଣୁ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ପୂର୍ବରୁ ପ୍ରଚଳିତ ଶିକ୍ଷାନୀତିକୁ ସମୀକ୍ଷା କରିବା ଆବଶ୍ୟକ ବୋଲି ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ଆଲୋଚନାଚକ୍ରରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସଂସ୍ଥା ପକ୍ଷରୁ ଗଠିତ ଓଡ଼ିଶାର ଉଚ୍ଚଶିକ୍ଷା ଢାଞ୍ଚା କମିଟିର ଆବାହକ ପ୍ରଫେସର ଓଁକାରନାଥ ମହାନ୍ତି କହିଥିଲେ, ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ସମୟରେ ଓଡ଼ିଆ ମାଧ୍ୟମକୁ ଗୁରୁତ୍ୱ ଦେବା ଆବଶ୍ୟକ। ଇସ୍ରାଏଲ, ଚୀନ, ଜାପାନ, କୋରିଆ ଭଳି ଏକ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇ ଉଚ୍ଚଶିକ୍ଷା ଓ ଗବେଷଣାରେ ଓଡ଼ିଆକୁ ଇଂରାଜୀ ସମକକ୍ଷ କରାଯିବା ସହ ପରେ ଆବଶ୍ୟକତା ଅନୁସାରେ ଇଂରାଜୀ ମାଧ୍ୟମ ଶିକ୍ଷାକୁ ପ୍ରତ୍ୟାହାର କରାଯିବା ଉଚିତ ବୋଲି କହିଥିଲେ। କେନ୍ଦ୍ର ଶିକ୍ଷା ବିଭାଗର ପ୍ରାକ୍ତନ ସଚିବ ଅରୁଣ କୁମାର ରଥ କହିଥିଲେ, ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ ହେଲେ ବିଶ୍ୱର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ଓଡ଼ିଶାକୁ ଆସିପାରିବେ। ଭାଷାକୁ ଗୁରୁତ୍ୱ ଦିଆଯାଇଥିବାରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଶିକ୍ଷା ସହିତ ଓଡ଼ିଆ ମାଧ୍ୟମରେ ସମସ୍ତ ପ୍ରକାରର ଶିକ୍ଷା ପ୍ରଦାନର ସୁଯୋଗ ମିଳିବ। ଅବସରପ୍ରାପ୍ତ ପଦାର୍ଥବିଜ୍ଞାନ ପ୍ରଫେସର ଡକ୍ଟର ଲମ୍ବୋଦର ପ୍ରସାଦ ସିଂହ କହିଥିଲେ, ଓଡ଼ିଆ ମାଧ୍ୟମରେ ବିଜ୍ଞାନ ଖୁବ ସହଜରେ ଉଚ୍ଚଶିକ୍ଷା ଓ ଗବେଷଣା କରାଯାଇପାରିବ। ମାତ୍ର ସରକାରଙ୍କ କୌଣସି ସ୍ପଷ୍ଟ ନିର୍ଦ୍ଦେଶାବଳୀ ନ ଥିବାରୁ ଓଡ଼ିଆରେ ଉଚ୍ଚଶିକ୍ଷା ହୋଇପାରୁନାହିଁ। ଅବସରପ୍ରାପ୍ତ ପ୍ରଶାସକ ସଞ୍ଜୀବଚନ୍ଦ୍ର ହୋତା ମାନବ ସମ୍ବଳର ଉପଯୋଗିତା ଓ ଅନ୍ୟ ଭିତ୍ତିଭୂମି ଦୃଢ଼ କରିବା ସହିତ ଯୁଗୋପଯୋଗୀ ପାଠ୍ୟକ୍ରମ ପ୍ରସ୍ତୁତି ତଥା ଏହାକୁ ସକ୍ଷମ କରିବାପାଇଁ ଉତ୍କୃଷ୍ଟ ପାଠାଗାର ଓ ପ୍ରୟୋଗଶାଳାର ଆବଶ୍ୟକତା ଅଛି ବୋଲି ମତ ଦେଇଥିଲେ। କାନାଡାର ବରିଷ୍ଠ ପ୍ରଫେସର ଡ. ତନ୍ମୟ ପଣ୍ଡା ଶିକ୍ଷା ଉଚ୍ଚଶିକ୍ଷାକୁ ସର୍ବଦା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସହ ଯୋଡ଼ି ରଖିବାକୁ ହେବ ବୋଲି କହିଥିଲେ। ରାଜ୍ୟ ଉଚ୍ଚଶିକ୍ଷା କାଉନସିଲର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ତଥା ପ୍ରାକ୍ତନ ରାଷ୍ଟ୍ରଦୂତ ଅବସର ବେଉରିଆ ଓ ଉପାଧ୍ୟକ୍ଷା ସିପ୍ରା ମଲ୍ଲିକ ପ୍ରଚଳିତ ଶିକ୍ଷାବ୍ୟବସ୍ଥାର ସମସ୍ୟା ଓ ସମାଧାନ ବିଷୟରେ ସୂଚନା ଦେଇଥିଲେ। ଆଲୋଚନାରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଧୀରେନ୍ଦ୍ରନାଥ କର, ପ୍ରଫେସର ବସନ୍ତ ପଣ୍ଡା, ନିରଦ ବରଣ ଖୁଣ୍ଟିଆ, ଯଶୋବନ୍ତ ସାମଲ, ଶ୍ୟାମ ଭୋଇ, ପ୍ରଫେସର ଅମୀୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମତ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ସଚିବ ଡକ୍ଟର ସୁବ୍ରତ ପୃଷ୍ଟି ଓ ସଂସ୍ଥାର ଉପାଧ୍ୟକ୍ଷ ପ୍ରଫେସର ନଟବର ଶତପଥୀ ଉପସ୍ଥିତ ଥିଲେ।