‘ନୂଆ ଭାରତ ପାଇଁ ନୂଆ ଶିକ୍ଷା ନୀତି’ ଶୀର୍ଷକ ବକ୍ତୃତା

ଶିକ୍ଷାକ୍ଷେତ୍ରରେ ଭାରତ ବିଶ୍ବଗୁରୁ

ଭୁବନେଶ୍ବର: ଶିକ୍ଷାକ୍ଷେତ୍ରରେ ଭାରତକୁ ବିଶ୍ବଗୁରୁ କୁହାଯାଏ। ସାରା ଦୁନିଆ ଏହି ଦେଶରୁ ହିଁ ଶିକ୍ଷା ଲାଭ କରିଛି। ତକ୍ଷଶୀଳା, ନାଳନ୍ଦା ପରି ଶିକ୍ଷାନୁଷ୍ଠାନ ବିଶ୍ବକୁ ଜ୍ଞାନ, ବିଜ୍ଞାନ ଓ ଅନୁସନ୍ଧାନର ମାର୍ଗ ଦେଖାଇଛି। ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ବିଦେଶ ଶିକ୍ଷାର ବଜାର ହୋଇଥିବା ବେଳେ ଭାରତ ପାଇଁ ତାହା ପରିବାର। କାରଣ ଭାରତୀୟ ପରମ୍ପରା ହେଉଛି ‘ବସୁଧୈବ କୁଟୁମ୍ବକମ୍‌’। ଅର୍ଥାତ ପୁରା ସ˚ସାର ଆମ ପରିବାର। ପରିବାରରେ ଭଲ ପାଇବା ଥାଏ। ଭାରତୀୟମାନେ ଅନ୍ୟର ଦୁଃଖରେ ଦୁଃଖୀ ହୋଇ ଅନ୍ୟର ସୁଖରେ ସୁଖୀ ହୋଇଥାନ୍ତି। ସେମାନଙ୍କ ବିଚାରଶକ୍ତି ଓ କତୃତ୍ବ ଦ୍ବାରା ହିଁ ଭାରତ ବିଶ୍ବଗୁରୁ ହୋଇପାରିଛି ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ କହିଛନ୍ତି।

ସୋଆ ବିଶ୍ବବିଦ୍ୟାଳୟରେ ଆୟୋଜିତ ‘ନୂଆ ଭାରତ ପାଇଁ ନୂଆ ଶିକ୍ଷା ନୀତି’ ଶୀର୍ଷକ ପ୍ରଥମ ସୋଆ ବକ୍ତୃତା ପ୍ରଦାନ କରି ଶ୍ରୀ ନିଶାଙ୍କ କହିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଆହ୍ବାନ ଥିଲା ‘ଜୟ ଜବାନ, ଜୟ କିଷାନ’। ଏହାସହ ‘ଜୟ ବିଜ୍ଞାନ’କୁ ଯୋଡିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାସହ ‘ଜୟ ଅନୁସନ୍ଧାନ’କୁ ଯୋଡିଛନ୍ତି। କାରଣ ଅନୁସନ୍ଧାନ ବିନା ଶିକ୍ଷା ସମ୍ଭବ ନୁହେଁ। ଶିକ୍ଷା କ୍ଷେତ୍ରରେ ଭାରତ ସହ କାହାର ତୁଳନା ନାହିଁ। ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଖୁବ୍‌ ଆଗରେ ପହଞ୍ଚିଛି। ଏବେ ଦେଶରେ ୧ହଜାରରୁ ଅଧିକ ବିଶ୍ବବିଦ୍ୟାଳୟ, ୪୫ ହଜାର ଡିଗ୍ରି କଲେଜ, ୧୬ଲକ୍ଷ ବିଦ୍ୟାଳୟ ରହିଛି। ୧କୋଟିରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ପଢ଼ାଉଛନ୍ତି। ୩୩ କୋଟିରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଆମେରିକାର ଜନସ˚ଖ୍ୟା ୩୨ କୋଟି ୮୮ ଲକ୍ଷ, ଯାହାକି ଭାରତର ଯୁବପିଢ଼ିଙ୍କ ସ˚ଖ୍ୟାଠାରୁ କମ୍‌। ତେଣୁ ଭାରତର ବିକାଶ ଯୁବପିଢ଼ିଙ୍କ ହାତରେ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପୋଖରିଆଲ୍‌ଙ୍କ ଦ୍ବାରା ଲିଖିତ ବଛା ବଛା ଗଳ୍ପକୁ ନେଇ ସୋଆର ନିର୍ଦ୍ଦେଶକ ଡ. ମହେନ୍ଦ୍ର ପ୍ରସାଦଙ୍କ ଓଡ଼ିଆରେ ସଙ୍କଳିତ ପୁସ୍ତକ ‘ସମୟର ଚିତ୍ରଶିଳ୍ପୀ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପୁସ୍ତକ ଉନ୍ମୋଚନ ସମୟରେ ସାହିତ୍ୟିକ ବିଭୂତି ପଟ୍ଟନାୟକ, କଥାକାର ଗୌରହରି ଦାସ, ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ପୁସ୍ତକର ଅନୁବାଦକ ମହେନ୍ଦ୍ର ପ୍ରସାଦ, ‘ଇଣ୍ତିଆ ଟୁଡେ’ର କନ୍‌ସଲଟିଙ୍ଗ୍‌ ଏଡିଟର‌୍‌ ଅଜିତ୍‌ କୁମାର ଝା, ପୋଖରିଆଲ୍‌ଙ୍କ ପରାମର୍ଶଦାତା ରାଜେଶ ନାଥ୍ୟାନି, ‘ପ୍ରମେୟ’ର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ସୋଆ କୁଳପତି ପ୍ରଫେସର ଆର କେ ଚୌହାନ୍‌ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନୂତନ ଭାବେ ନିର୍ମିତ ସମ୍‌ ଅଲ୍ଟିମେଟ୍‌ ମେଡି କେୟାରର ଏମରଜେନ୍ସି, ଟ୍ରମା ଆଇସିୟୁ ଓ ରେଡିଓଲୋଜି ବିଭାଗ ପରିଦର୍ଶନ କରିଥିଲେ। ନୂତନ ପିଜି ହଷ୍ଟେଲ୍‌ ଓ କନଭେନ୍‌ସନ୍‌ ସେଣ୍ଟରକୁ ମଧ୍ୟ ଉଦ୍‌ଘାଟନ କରାଯାଇଥିଲା।

ସମ୍ବନ୍ଧିତ ଖବର