ଏମ୍ସ ଭୁବନେଶ୍ବରର କାର୍ଯ୍ୟନିର୍ବାହୀ ନିର୍ଦେଶକ ହେଲେ ପ୍ରଫେସର ଆଶୁତୋଷ ବିଶ୍ବାସ

ଉତ୍ତମ ରୋଗୀସେବା, ଶିକ୍ଷା ଓ ଗବେଷଣାକୁ ଗୁରୁତ୍ବ ଦେବାକୁ ପ୍ରତିଶ୍ରୁତି

ଭୁବନେଶ୍ବର : ଏମ୍ସ ଭୁବନେଶ୍ବରର ପ୍ରତ୍ୟେକ ବିଭାଗରେ ରୋଗୀଙ୍କୁ ଅନେକ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଏହାର ସମାଧାନ ପାଇଁ କିଭଳି ପଦକ୍ଷେପ ନିଆଯାଇ ପାରିବ ତାକୁ ଦୃଷ୍ଟି ଦେବେ ବୋଲି କହିଛନ୍ତି ପ୍ରଥମ କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ। ଦୀର୍ଘଦିନ ଧରି ଏମ୍ସ ଭୁବନେଶ୍ବର ଭାରପ୍ରାପ୍ତ ନିର୍ଦେଶକଙ୍କ ଭରସାରେ ଚାଲିବା ପରେ ସ୍ଥାୟୀ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବରେ ପ୍ରଫେସର ବିଶ୍ବାସ ଗୁରୁବାର ଦାୟିତ୍ବ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ଉତ୍ତମ ରୋଗୀସେବା, ଶିକ୍ଷା ଏବଂ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଗବେଷଣାକୁ ସେ ଗୁରୁତ୍ବ ଦେବେ। ଏଥିସହିତ ଏମ୍ସକୁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ଅନୁଷ୍ଠାନରେ ପରିଣତ କରିବା ପାଇଁ କାର୍ଯ୍ୟ କରିବେ। ୩୦ ବର୍ଷ ପରେ ସେ ଓଡ଼ିଶାକୁ ଫେରିଛନ୍ତି। ଏଠାରେ ରହି ନିଜର ସବୁ ସମୟ ଏମ୍ସ ପାଇଁ ଦେବେ ବୋଲି କହିଛନ୍ତି। ଅପରାହ୍ନ ୩ଟାରେ ଦାୟିତ୍ବ ଗ୍ରହଣ ପରେ ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଭାରପ୍ରାପ୍ତ ଡିଡିଏ ରଶ୍ମିରଞ୍ଜନ ସେଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧୀକ୍ଷକ ଏସଏନ ମହାନ୍ତି, ଡିନ୍‌ ଡାକ୍ତର ଦେବାଶିଷ ହୋତା, ଏସଇ କେପି ମିଶ୍ର, ଏଫଏ ପିକେ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

ପ୍ରଫେସର ବିଶ୍ବାସ ନବରଙ୍ଗପୁର ଜିଲ୍ଲାର ଅଧିବାସୀ। କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ଡାକ୍ତରଖାନାରୁ ଏମ୍‌ବିବିଏସ ଏବଂ ଏମକେସିଜି ମେଡିକାଲ କଲେଜ, ବ୍ରହ୍ମପୁରରୁ ପିଜି ସମାପ୍ତ କରିଛନ୍ତି। ଏମ୍ସ ନୂଆଦିଲ୍ଲୀ ମେଡିସିନ ବିଭାଗ ଏଚ୍‌ଓଡି ଭାବରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଛନ୍ତି। ଏମ୍ସ ଭୁବନେଶ୍ବରକୁ ଆସିବା ପୂର୍ବରୁ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଆଇଜିଏମ୍ଏସ୍), ପାଟନା (ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟ)ର ନିର୍ଦ୍ଦେଶକ ତଥା କୁଳପତି ଭାବରେ ‌କାର୍ଯ୍ୟ କରୁଥିଲେ। ଡାକ୍ତର ଅଶୋକ ମହାପାତ୍ର ପରେ ପୁଣି ଜଣେ ଓଡ଼ିଆଙ୍କୁ ମୁଖିଆ ଭାବରେ ଏମ୍ସ ଭୁବନେଶ୍ବର ପାଇବା ନେଇ ଅନେକ ଖୁସି ବ୍ୟକ୍ତ କରିଛନ୍ତି।

ଏଥିପୂର୍ବରୁ ଏମ୍ସରେ ଥିବା ଦୁଇ ଜଣ ନିର୍ଦେଶକ ପ୍ରଫେସର ଅଶୋକ ମହାପାତ୍ର, ପ୍ରଫେସର ଗୀତାଞ୍ଜଳି ବି. ଙ୍କୁ ନିର୍ଦେଶକ କୁହାଯାଉଥିଲା। ମାତ୍ର ଚଳିତ ବର୍ଷରୁ ଏମ୍ସ ଦିଲ୍ଲୀ ବ୍ୟତୀତ ସମସ୍ତ ଏମ୍ସ ନିର୍ଦେଶକଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦେଶକ କୁହାଯିବ।

ସମ୍ବନ୍ଧିତ ଖବର