ନନ୍ଦନକାନନରେ ନୂଆ ଅତିଥି: ମେଘା କୋଳରେ ୩ ଶାବକ

ବାରଙ୍ଗ : ଓଡ଼ିଆ ନବବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ନନ୍ଦନକାନନରେ ଖେଳିଯାଇଛି ଖୁସିର ଲହରି। ରାଜ୍ୟବାସୀଙ୍କୁ ନନ୍ଦନକାନନ ଦେଇଛି ଏକ ଖୁସି ଖବର। ପ୍ରାଣୀ ଉଦ୍ୟାନର ବାଘ ଖୁଆଡ଼ରେ ମା’ ବାଘୁଣୀ ମେଘା ୩ ନୂଆ ଶାବକକୁ ଜନ୍ମ ଦେଇଛି। ଆଖି ଫିଟି ନ ଥିବା ୩ ସଦ୍ୟଜାତ ବାଘ ଶାବକ ମା’ ମେଘା କୋଳରେ ଖେଳିବା ଆରମ୍ଭ କରିଦେଇଛନ୍ତି। ଏଯାଏ ନବଜାତକମାନଙ୍କର ଲିଙ୍ଗ ଚିହ୍ନଟ ହୋଇପାରିନାହିଁ। ତେବେ ଠିକ୍ ୫ ବର୍ଷ ପରେ ମା’ବାଘୁଣୀ ମେଘା ପୁଣି ମା’ ହୋଇଥିବାରୁ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହି ୩ ନବଜାତକ ବାଘଛୁଆଙ୍କୁ ମିଶାଇ ନନ୍ଦନକାନନରେ ମୋଟ ବାଘ ସଂଖ୍ୟା ୩୦ ହୋଇଛି। ଏମାନଙ୍କ ମଧ୍ୟରେ ୧୬ ସାଧାରଣ ନାଲି ରଙ୍ଗର, ୭ଟି ଧଳା ରଙ୍ଗର, ୪ଟି କଳା ରଙ୍ଗର ଓ ବର୍ଣ୍ଣ ତଥା ଲିଙ୍ଗ ଚିହ୍ନଟ ହୋଇ ନଥିବା ୩ ନବଜାତ ଅଛନ୍ତି।

ମହାବଳ ନନ୍ଦନ ଔରସରୁ ମେଘା ଗର୍ଭବତୀ ହେବା ପରେ ତା’ର ପ୍ରସବକୁ ନେଇ ଦିନ ଗଣନା ଚାଲିଥିଲା। ୧୦୨ ଦିନ ବିତିବା ପରେ କୌଣସି ମୁହୂର୍ତ୍ତରେ ସେ ଛୁଆ ଜନ୍ମ ଦେବ ବୋଲି ଆକଳନ କରାଯାଉଥିଲା। କାରଣ ଦୁଇ ଦିନ ହେଲା ମେଘା ଭଲରେ ଖାଇବା ପିଇବା କରୁନଥିଲା ଓ ଖୁଆଡ଼ରେ ଶୋଇ ରହୁଥିଲା। ଆକଳନ ଅନୁସାରେ ଆଜି ଭୋର୍‌ ସମୟରେ ତା’ କୋଳକୁ ଆସିଥିଲେ ୩ କୁନିକୁନି ଛୁଆ। ୩୧ ‘ଗ’ ଖୁଆଡ଼ ସିସିଟିଭି କ୍ୟାମେରାରୁ ମେଘା ୩ ଶାବକଙ୍କୁ ଜନ୍ମ ଦେଇଥିବାର ଦୃଶ୍ୟ ମିଳିଥିଲା। ଏହି ଖବର ପ୍ରଚାରିତ ହେବା ମାତ୍ରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଓ କର୍ମଚାରୀ ମହଲରେ ଆନନ୍ଦର ଲହରି ଖେଳି ଯାଇଥିଲା। ମା’ ଓ ଛୁଆମାନେ ସୁସ୍ଥ ଥିବା ଦେଖିବାକୁ ମିଳିଥିଲା ଓ ଛୁଆମାନେ ମେଘାଠାରୁ ସ୍ତନ୍ୟପାନ କରୁଥିବାର ଦୃଶ୍ୟ ସମସ୍ତଙ୍କୁ ଆମୋଦିତ କରିଥିଲା। ବାଘୁଣୀ ମେଘାର ଏହା ଦ୍ବିତୀୟ ଗର୍ଭ। ୨୦୧୬ ମସିହାରେ ମେଘା ପ୍ରଥମ ଗର୍ଭରୁ ଜନ୍ମ ଦେଇଥିବା ଦୁଇ ଅଣ୍ଡିରା ବାଘ ବାହୁବଳୀ ଓ କୁନ୍ଦନ ଏବେ ୫ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୧୩ ମସିହାରେ ସାତକୋଶିଆ ଜଙ୍ଗଲରୁ ଆସି ନନ୍ଦନକାନନରେ ମେଘା ପ୍ରେମରେ ଫସିଥିବା ନନ୍ଦନ ଔରସରୁ ବାହୁବଳୀ ଓ କୁନ୍ଦନ ଜନ୍ମ ନେଇଥିଲେ। ଏବେ ପୁଣି ସେମାନଙ୍କ ମିଳନରୁ ଆଉ ୩ଟି ଶାବକ ଜନ୍ମ ନେଇଛନ୍ତି। ପରେ ଏକ ସ୍ବତନ୍ତ୍ର ଉତ୍ସବରେ ସେମାନଙ୍କ ନାମକରଣ କରାଯିବ। ଏଥର ମେଘା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବ ବୋଲି ଆଶା କରାଯାଉଛି।

ବାଘୁଣୀର ମାଙ୍କଡ଼ ଶିକାର, ଓଟପକ୍ଷୀ ମୃତ
ବାରଙ୍ଗ/ତ୍ରିଶୁଳିଆ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘୁଣୀ ଆଦ୍ୟାଶା ଆଜି ଏକ ମାଙ୍କଡ଼ ଶିକାର କରିଛି। ଆଜି ପୂର୍ବାହ୍ନରେ ଆଦ୍ୟାଶା ନିଜ ଖୁଆଡ଼ ୩୨(କ)ରେ ଚଲାବୁଲା କରୁଥିବା ବେଳେ ଖାଦ୍ୟ ଅନ୍ବେଷଣରେ ଏକ ମାଙ୍କଡ଼ ପଶି ଆସିଥିଲା। ତେବେ ଆଦ୍ୟାଶା ଚତୁରତାର ସହ ତାକୁ କାବୁ କରିନେଇଥିଲା। ଏହି ଘଟଣା ଆଜି ବେଶ୍‌ କୌତୂହଳ ସୃଷ୍ଟି କରିଥିଲା।

ଅପରପକ୍ଷେ ପ୍ରାଣୀ ଉଦ୍ୟାନର ୭୧(କ) ଖୁଆଡ଼ରେ ରହୁଥିବା ଏକ ମାଈ ଓଟପକ୍ଷୀର ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତା’ ମୃତ୍ୟୁର କାରଣ ଅନ୍ତ୍ରାବରଜା ଯକୃତ ପ୍ରଦାହ (ପେରିଟୋନାଇଟିସ ହେପାଟାଇଟିସ୍), ଯାହା ବୀଜାଣୁ ଜନିତ ସଂକ୍ରମଣ କାରଣରୁ ହୋଇଥାଏ ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଥିବା ଓୟୁଏଟି ପ୍ରାଣୀ ଚିକତ୍ସା ନିଦାନ ବିଭାଗର ମୁଖ୍ୟ ପ୍ରଫେସର୍‌ ଡା. ସୁଶେନ ପଣ୍ଡା କହିଛନ୍ତି। ମୃତ ଓଟପକ୍ଷୀକୁ ୯ବର୍ଷ ବୟସ ହୋଇଥିଲା। ସେ ସପ୍ତାହେ ହେବ ଅସୁସ୍ଥ ଥିଲା। ତା’ ବାମ ଆଖିପତା ଉପରେ ଏକ କ୍ଷତ ହୋଇଥିଲା। ଠିକ୍‌ରେ ଖିଆପିଆ ମଧ୍ୟ କରୁନଥିଲା। ନନ୍ଦନକାନନର ପ୍ରାଣୀ ଚିକିତ୍ସକମାନେ ତା’ର ଚିକିତ୍ସା କରିବା ସତ୍ତ୍ବେ ଅବସ୍ଥାରେ ସୁଧାର ଆସି ନଥିଲା। ତେଣୁ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଓୟୁଏଟି ବିଶେଷଜ୍ଞଙ୍କର ପରାମର୍ଶ ନିଆଯାଇଥିଲା। ଗତ ୧୧ତାରିଖରେ ଓୟୁଏଟି ପ୍ରାଣୀ ଚିକିତ୍ସା ବିଭାଗର ଅସ୍ଥି ଶଲ୍ୟ ଚିକିତ୍ସା ବିଭାଗର ପ୍ରଫେସର୍‌ ଡା. ଇନ୍ଦ୍ରମଣୀ ନାଥ ତା’ର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ଆବଶ୍ୟକ ଚିକିତ୍ସା ପରାମର୍ଶ ଦେଇଥିଲେ। ଚିକିତ୍ସା ଚାଲିଥିବା ଅବସ୍ଥାରେ ଆଜି ଓଟପକ୍ଷୀଟିର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ୨୦୧୩ ମସିହାରେ ଦୁଇହଳ ଓଟପକ୍ଷୀଙ୍କୁ ଚେନ୍ନାଇସ୍ଥିତ ଚିଡ଼ିଆଖାନାରୁ ନନ୍ଦନକାନନକୁ ଅଣାଯାଥିଲା। ସେମାନଙ୍କ ମଧ୍ୟରୁ ଗୋଟିଏ ମାଈର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ୨ଟି ଅଣ୍ଡିରା ଓ ଗୋଟିଏ ମାଈକୁ ମିଶାଇ ମୋଟ ୩ଟି ଅଛନ୍ତି। ଏଠାକୁ ଆସିବା ପରଠାରୁ ମାଈ ଦୁଇଟି ପ୍ରତି ବର୍ଷ ଅଣ୍ଡାଦାନ ଋତୁରେ ଅଣ୍ଡାଦାନ କରିଥିଲେ ସୁଦ୍ଧା ସେଥିରୁ ଆଦୌ ଛୁଆ ବାହାରି ନାହାନ୍ତି।

ସମ୍ବନ୍ଧିତ ଖବର