ଚିନ୍ତା ବଢ଼ାଇଲାଣି ଇ-ସିଗାରେଟ୍: କେଉଁ ଆଇନରେ ନିଷିଦ୍ଧ ପାଇଁ ଚାଲିଛି ତର୍ଜମା

ଭୁବନେଶ୍ବର: ରାଜଧାନୀ ବଜାରରେ ଇ-ସିଗାରେଟ୍ ବିକ୍ରି ହେବା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି। ପୂର୍ବରୁ ଅନଲାଇନ୍‌ରେ ଇ-ସିଗାରେଟ୍ ମିଳୁଥିବା ବେଳେ ଏବେ ଖୋଲା ବଜାରରେ ଏହା ବିକ୍ରି ହେବା ବିଭାଗକୁ ଅଡ଼ୁଆରେ ପକାଇଛି। ଏହାକୁ ନିଷିଦ୍ଧ ଘୋଷଣା କରିବା ପାଇଁ ନିର୍ଦ୍ଦିଷ୍ଟ ନିୟମ କାନୁନ ନ ଥିବାରୁ କେଉଁ ଆଇନରେ ଏହାର ବିକ୍ରି ଉପରେ ରୋକ୍‌ ଲାଗି ପାରିବ, ତାହାକୁ ନେଇ ତର୍ଜମା ଜାରି ରହିଛି। କେବଳ ଇ-ସିଗାରେଟ୍ ନୁହେଁ, ହୁକା ଉପରେ ମଧ୍ୟ ନିୟନ୍ତ୍ରଣ ଆଣିବାକୁ ସ୍ବାସ୍ଥ୍ୟ ବିଭାଗ ଉଦ୍ୟମ କରୁଥିବା ଜଣାପଡ଼ିଛି। ଅଭ୍ୟାସଗତ ଭାବେ ସିଗାରେଟ ଟାଣୁଥିବା ବ୍ୟକ୍ତିମାନଙ୍କୁ ଏଥିରୁ ନିବୃତ୍ତ କରିବା ଲାଗି ଇ-ସିଗାରେଟ୍ ବଜାରକୁ ଆସିଥିଲା। ସିଗାରେଟ ଅଭ୍ୟାସ ଛଡ଼ାଇବା ଲାଗି ଲୋକମାନେ ଏହାକୁ ବ୍ୟବହାର କରିବା ଆରମ୍ଭ କରିଥିଲେ। ମାତ୍ର ପରବର୍ତୀ ସମୟରେ ଇ-ସିଗାରେଟ୍‌କୁ ଅନ୍ୟ ସାଧାରଣ ସିଗାରେଟ୍ ଭଳି ଲୋକମାନେ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ବ୍ୟାଟେରି ଓ କ୍ୟାଟ୍ରିଜ୍‌ରେ ଏହା ପରିଚାଳିତ ହେଉଥିବା ବେଳେ ଏଥିରୁ ଧୂଆଁ ବାହାରି ନ ଥାଏ। ଫଳରେ ଆଖପାଖରେ ଥିବା ଲୋକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥାଏ। କିନ୍ତୁ ଇ-ସିଗାରେଟ୍‌ରେ ମଧ୍ୟ ନିକୋଟିନ୍ ମିଶାଇ ଲୋକମାନେ ଟାଣୁଥିବା ନଜରକୁ ଆସିଛି। ଯାହାକି ଅନ୍ୟ ସିଗାରେଟ୍ ଭଳି ମଧ୍ୟ ଦେହ ପାଇଁ କ୍ଷତିକାରକ।

ପ୍ରଥମ ରାଜ୍ୟଭାବେ ପଞ୍ଜାବ ଏହାକୁ ନିଷିଦ୍ଧ ଘୋଷଣା କରିଥିବା ବେଳେ ଅନ୍ୟ ୭/୮ଟି ରାଜ୍ୟ ଏହା ଉପରେ ରୋକ୍ ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ଓଡ଼ିଶାରେ ଏହାର ବ୍ୟବହାର ନୂଆ ହୋଇଥିଲେ ହେଁ ଦିନକୁ ଦିନ ଲୋକଙ୍କ ଭିତରେ ଚାହିଦା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ରାଜଧାନୀର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଇ-ସିଗାରେଟ୍‌ର ବିକ୍ରି ଆରମ୍ଭ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଛି। ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବା କଥା, ଇ-ସିଗାରେଟ୍‌କୁ କିଭଳି ନିଷିଦ୍ଧ ଘୋଷଣା କରାଯିବ, ତାହାକୁ ନେଇ ତର୍ଜମା ଆରମ୍ଭ ହୋଇଛି। ନିକଟରେ ପୁଲିସ ଅଧିକାରୀଙ୍କ ସହ ବିଭାଗର ହୋଇଥିବା ବୈଠକରେ ଏହାକୁ ନେଇ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କୁ ଏଥିପାଇଁ ପ୍ରସ୍ତାବ ଦିଆଯାଇଛି। ସରକାର ଅନୁମୋଦନ ଦେବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡ୍ରଗ୍‌ସ ଏଣ୍ଡ କସ୍‌ମେଟିକ୍‌ସ ଆଇନ ଅନୁସାରେ ଏହାକୁ ନିଷିଦ୍ଧ କରିବା ଉପରେ ଆଲୋଚନା ହେଉଛି। ପୂର୍ବରୁ ଅନଲାଇନ୍‌ରେ ଏହା ବିକ୍ରି ଚାଲିଥିବା ବେଳେ ରାଜଧାନୀରେ ଏହାର ବିକ୍ରି ଆରମ୍ଭ ହୋଇଥିବା ସୂଚନା ମିଳିଥିବା ଅଧିକାରୀ କହିଛନ୍ତି। ଅପରପକ୍ଷରେ ରାଜ୍ୟ ଡ୍ରଗ୍‌ସ ନିର୍ଦେଶାଳୟ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଇ-ସିଗାରେଟ୍‌ରେ ଭେପର ନିଆଯାଉଥିବା ବେଳେ ନିକୋଟିନ୍ ବ୍ୟବହାର କରାଯାଉଥିବାରୁ ତାହା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ପଞ୍ଜାବ ସରକାର ପ୍ରଥମେ ଏହାକୁ ନିଷିଦ୍ଧ ଘୋଷଣା କରିଛନ୍ତି। ପଞ୍ଜାବ ଖାଦ୍ୟ ସୁରକ୍ଷା ଓ ଡ୍ରଗ୍‌ସ କଣ୍ଟ୍ରୋଲ ଗୋଟିଏ ବିଭାଗ ଭାବେ କାର୍ଯ୍ୟ କରୁଛି। ଗୁଟ୍‌ଖା ଓ ଅନ୍ୟାନ୍ୟ ତମାଖୁ ଖାଦ୍ୟ ଶ୍ରେଣୀର ଅନ୍ତର୍ଭୁକ୍ତ। ମାତ୍ର ଅନ୍ୟ ରାଜ୍ୟରେ ଏହାକୁ ନେଇ ମାମଲା କୋର୍ଟର ବିଚାରାଧୀନ ରହିଛି। ଅପରପକ୍ଷରେ ଇ-ସିଗାରେଟ୍‌ରେ ଜଣେ ଲୋକକୁ ବାଦ୍ ଦେଲେ ଅନ୍ୟମାନଙ୍କ ଉପରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ହେଉ ନ ଥିବାରୁ ତେଣୁ ଟୋବାକୋ ଆଇନରେ ଏହାକୁ ଧରିବା କଷ୍ଟକର। ମାତ୍ର ବାର ଓ କ୍ଲବ୍‌ରେ ଥିବା ହୁକାରେ ନିକୋଟିନ୍ ବ୍ୟବହାର ହେଉଛି କି ନାହିଁ, ତାହାର ଯାଞ୍ଚ ଆରମ୍ଭ ହୋଇଛି। ଇ-ସିଗାରେଟ୍ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଆସିବା ପରେ ହିଁ ପରବର୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର