ନୂଆ ନିୟମ ପୁରୁଣା ତଥ୍ୟ, ୬ରୁ ଅନଲାଇନ୍‌ରେ ହୋଲଡିଂ ଟିକସ

ନୂଆ ହିସାବରେ ଲୋକେ ଟିକସ ନ ଦେବା ଆଶଙ୍କାରେ ବିଏମ୍‌ସିର ଚାଲ୍‌

ଭୁବନେଶ୍ବର: ରାଜଧାନୀରେ ଘର କରିଥିବା ଲୋକଙ୍କ ହୋଲଡିଂ ଟିକସ ତଥ୍ୟ ଆସନ୍ତା ୬ ତାରିଖରୁ ବିଏମ୍‌ସି ୱେବସାଇଟ୍‌ରେ ଉପଲବ୍ଧ ହେବ। ଏହାକୁ ‌ଦେଖି ଟିକସ ଦାତା ଅନଲାଇନ୍‌ରେ ଟିକସ ଦେବେ। ଗତ ଅକ୍ଟୋବର ମାସରେ ବିଏମ୍‌ସି ହୋଲଡିଂ ଟିକସ ଆଦାୟ ନିୟମରେ ସଂଶୋଧନ ଆଣିଥିଲେ ମଧ୍ୟ ଅନଲାଇନ୍‌ରେ କିନ୍ତୁ ପୁରୁଣା ରେକର୍ଡ ଅପଲୋଡ୍‌ ହେବ। ଲୋକମାନେ ପୁରୁଣା ନିୟମ ଅନୁଯାୟୀ ଧାର୍ଯ୍ୟ ହୋଇଥିବା ହୋଲଡିଂ ଟିକସ ଦେବେ। ଏପଟେ ବିଏମ୍‌ସି ଅକ୍ଟୋବର ମାସରେ ନୋଟିସ୍‌ ଜାରି କରିଥିଲା ଯେ, ଏପ୍ରିଲ ୨୦୧୯ରୁ ପିଛିଲା ଭାବେ ନୂଆ ହୋଲଡିଂ ଟିକସ ଆଦାୟ ହେବ। କିନ୍ତୁ ଏବେ ଅନ୍‌ଲାଇନ୍‌ରେ ଯେଉଁ ତଥ୍ୟ ଅପଲୋଡ୍‌ ହେବ ତାହା ପୁରୁଣା।

ଏ ସମ୍ପର୍କରେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମର ଏବେ ୮୬ହଜାର ହୋଲଡିଂ ଟିକସଦାତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦ହଜାର ଲୋକଙ୍କର ତଥ୍ୟ ୱେବସାଇଟ୍‌ରେ ଅପଲୋଡ୍‌ ହୋଇଛି। କିନ୍ତୁ ସବୁ ପୁରୁଣା ହିସାବ ଅନୁଯାୟୀ। ଅକ୍ଟୋବର ମାସରେ ନୂଆ ନିୟମ ଅନୁଯାୟୀ ହୋଲଡିଂ ଟିକସ ଆଦାୟ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଟ୍ୟାକ୍ସ କଲେକ୍ଟରମାନେ ସେମାନଙ୍କ ଅଞ୍ଚଳରେ ଥିବା ଘରଗୁଡ଼ିକର ହୋଲଡିଂ ଟିକସ ପୁନଃମୂଲ୍ୟାୟନ କରି ନାହାନ୍ତି। ୱାର୍ଡ ଅଫିସରମାନେ ତଥ୍ୟ ଦେଇ ପାରି ନ ଥିବାରୁ ପୁରୁଣା ହିସାବ ଅନୁଯାୟୀ ହୋଲଡିଂ ଟିକସ ଅପଲୋଡ୍‌ ହେଉଛି।ଏପଟେ ବିଏମ୍‌ସିର ଜଣେ ଟ୍ୟାକ୍ସ କଲେକ୍ଟର କହିଛନ୍ତି ଯେ, ବିଏମ୍‌ସି ହଠାତ୍ ନୂଆ ନିୟମ ଅନୁଯାୟୀ ହୋଲଡିଂ ଟିକସ ଆଦାୟ କରିବାକୁ ନିଷ୍ପତ୍ତି ନେବା ସହ ପିଛିଲା ଭାବେ ଏପ୍ରିଲ ମାସରୁ ଆଦାୟ କରିବାକୁ ବିଜ୍ଞପ୍ତି ଜାରି କରିଛି। ଏବେ ଯଦି ଆମେ ପୁନଃ ମୂଲ୍ୟାୟନ କରି ଠିକ୍ ତଥ୍ୟ ଅନଲାଇନ୍‌ରେ ଦେବୁ ତେବେ ଲୋକଙ୍କୁ ୭ମାସର ପୁରୁଣା ଟିକସ ସହ ବର୍ତ୍ତମାନର ଟିକସ ଦେବାକୁ ପଡ଼ିବ। ଅଧିକ ଟିକସ ଦେଖିଲେ ହୋଲଡିଂ ଟିକସ ଦେବାକୁ ଡରିଯି‌ବେ। ତେଣୁ ମାର୍ଚ୍ଚ ପର୍ଯ୍ୟନ୍ତ ପୁରୁଣା ହିସାବ ଅନୁଯାୟୀ ଆଦାୟ କରାଯିବ। ଏହାପରେ ଆସନ୍ତା ଆର୍ଥିକ ବର୍ଷରୁ ନୂଆ ହିସାବରେ ଆଦାୟ ହେବ। ଉକ୍ତ ଟ୍ୟାକ୍ସ କଲେକ୍ଟରଙ୍କ କହିବାନୁଯାୟୀ, ବିଏମ୍‌ସି ପ୍ରଥମେ ଟିସିଏସ୍‌ ସହାୟତାରେ ହୋଲଡିଂ ଟିକସ ଡାଟାବେସ୍ ପ୍ରସ୍ତୁତ କରୁଥିଲା। କିନ୍ତୁ ଏଥିରେ ବହୁତ ତ୍ରୁଟି ରହିବାରୁ ଏହାକୁ ବନ୍ଦ କରାଯାଇଥିଲା। ଏହାପରେ ବିଭିନ୍ନ ୱାର୍ଡର ଟ୍ୟାକ୍ସ କଲେକ୍ଟରମାନଙ୍କୁ ଡାଟାବେସ୍‌ରେ ତଥ୍ୟ ଦାଖଲ କରିବାକୁ କୁହାଯାଉଛି। ବର୍ତ୍ତମାନର ସ୍ଥିତି ଯାହା ସେଥିରେ ୬ତାରିଖରୁ ଅନଲାଇନ୍‌ ବ୍ୟବସ୍ଥା ଆରମ୍ଭ ହେବା ସମ୍ଭବ ହେବ କି ନାହିଁ ଜଣାପଡ଼ୁନି।

ସେହିପରି ବିଏମ୍‌ସିର ଡେପୁଟି କମିସନର (ରାଜସ୍ବ) ଶ୍ରୀମନ୍ତ ମିଶ୍ର କହିଛନ୍ତି, ଅନଲାଇନ୍‌ରେ ହୋଲଡିଂ ଟିକସ ଆଦାୟ ପ୍ରକ୍ରିୟା ରାଜ୍ୟର ୧୧୪ଟି ସହରାଞ୍ଚଳରେ ଲାଗୁ ହେବ। ଡିସେମ୍ବର ୨ରୁ ଏହା ଆରମ୍ଭ ହେବାକୁ ଥିଲେ ହେଁ ପୌରସଂସ୍ଥାଗୁଡ଼ିକ ସବିଶେଷ ତଥ୍ୟ ଦେଇ ପାରି ନ ଥିବାରୁ ଏହା ୬ତାରିଖକୁ ଘୁଞ୍ଚିଛି। ରାଜ୍ୟର ସବୁଠୁ ଅଧିକ ହୋଲଡିଂ ଟିକସ ଆଦାୟ କରୁଥିବା ବିଏମ୍‌ସିରେ ଏହା ଯେପରି ସଫଳ ହେବ ସେଥିପାଇଁ ଉଦ୍ୟମ କରାଯାଉଛି। ଲୋକମାନଙ୍କୁ ନିଜ ଘର ପାଇଁ କେତେ ହୋଲଡିଂ ଟିକସ ଦେବାକୁ ପଡ଼ିବ ସେମାନେ ନିଜେ ମୂଲ୍ୟାୟନ କରି ତଥ୍ୟ ଦେବେ ଏବଂ ସେହି ଅନୁଯାୟୀ ଟିକସ ଦେବେ। ଯଦି କେହି ଭୁଲ୍‌ ତଥ୍ୟ ଦେଇଥିବେ ତେବେ ତାଙ୍କ ଠାରୁ ଜରିମାନା ଆଦାୟ ହେବ। ଏହାବାଦ୍ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ଲକ୍ଷ୍ୟରେ ଆସନ୍ତା ଜାନୁଆରି ସୁଦ୍ଧା ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

ସୂଚନାଯୋଗ୍ୟ, ଆବାସିକ ‌ହୋଲଡିଂ ଟିକସ ଆଦାୟ ପାଇଁ ଏବେ ଜମି ଓ ଘରର ମୂଲ୍ୟକୁ ହିସାବକୁ ନେଇ ୧୭.୫% ଟିକସ ଆଦାୟ ହେଉଛି। ଏଥିରେ ହୋଲଡିଂ ଟିକସ ବାବଦକୁ ୧୦%, ଲାର୍ଟିନ୍ ଟ୍ୟାକ୍ସ ବାବଦକୁ ୨.୫% ଏବଂ ଷ୍ଟ୍ରିଟଲାଇଟ୍‌ ବାବଦକୁ ୫% ହିସାବରେ ମୋଟ୍‌ ୧୭.୫% ହୋଲଡିଂ ଟିକସ ଆଦାୟ ହେଉଛି। ବିଏମ୍‌ସି ୨୫% ପର୍ଯ୍ୟନ୍ତ ହୋଲଡିଂ ଟିକସ ଆଦାୟ କରିପାରିବାର ନିୟମ ଥିଲେ ହେଁ ୧୭.୫% ଟିକସ ଆଦାୟ ହେଉଛି। ବିଏମ୍‌ସିର ହୋଲଡିଂ ଟିକସ ନିୟମ ଅନୁଯାୟୀ, ଘର ଯେତିକି ଅଞ୍ଚଳ (ବର୍ଗମିଟର) ରେ ନିର୍ମାଣ ହୋଇଥିବ ସେଥିରେ ୧୩.୬୫ଟଙ୍କା ଗୁଣି ହିସାବ ହେବ। ଏଥିରୁ ୧୫% ବାର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ କଟିବ। ଏଥିରେ ହୋଲଡିଂ ଟିକସ ଆଦାୟ ହେଉଥିବା ଜମିର ବେଞ୍ଚ ମାର୍କ ମୂଲ୍ୟର ୦.୫% ମିଶାଯିବ। ଯେତିକି ‌ଟଙ୍କା ହେବ ତାହା ହେଉଛି ଜମି ଓ ଘରର ବାର୍ଷିକ ମୂଲ୍ୟ। ଏହି ମୂଲ୍ୟର ୧୭.୫% ଜଣକୁ ହୋଲଡିଂ ଟିକସ ବାବଦକୁ ଦେବ। ଏବେ ବି ୧୯୯୮ ମସିହାରେ ବିଭିନ୍ନ ଅଞ୍ଚଳରେ ଥିବା ଜମିର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଟିକସ ହିସାବ ହେଉଛି। କିନ୍ତୁ ବିଏମ୍‌ସି ନୂଆ ନିୟମରେ ଏହାକୁ ବର୍ତ୍ତମାନ ଜମିର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର