ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର କେତୋଟି ପ୍ରକଳ୍ପ ରୂପ ନେଇଥିବାବେଳେ ୧୦ରୁ ଅଧିକ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଗଲାଣି। ଆସନ୍ତା କିଛି ମାସ ମଧ୍ୟରେ ଏହା ଚୂଡ଼ାନ୍ତ ରୂପ ନେବେ। ଏହି ସମୟରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ଲୋଗୋ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ସ୍ମାର୍ଟ ସିଟିର ୫ଟି ଭିଜନ୍ ନେଇ ନୂଆ ଲୋଗା ପ୍ରସ୍ତୁତ ହୋଇଛି। ଏଥିରେ ୫ଟି ରଙ୍ଗ ବ୍ୟବହାର ହୋଇଛି।
ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଲୋଗୋରେ ବ୍ୟବହାର ହୋଇଥିବା ରଙ୍ଗଗୁଡ଼ିକ ସ୍ମାର୍ଟସିଟିର ପ୍ରଜାପତି ସଦୃଶ ବିକାଶ, ଗତି ଏବଂ ଯୁବସୁଲଭ ଶକ୍ତିକୁ ସୂଚାଉଛି। ସ୍ମାର୍ଟ ସିଟି ଭୁବନେଶ୍ୱରର ୫ଟି ଭିଜନ୍ ଯଥା ବାସ କରିବା ପାଇଁ ସବୁଠୁ ଅନୁକୂଳ ସହର, ଇକୋ ଫ୍ରେଣ୍ଡଲି ସହର, ଶିଶୁ ଉପଯୋଗୀ, ସ୍ଥାନାନ୍ତରିତ ଉପଯୋଗୀ ସହର ଏବଂ ଆଞ୍ଚଳିକ ଅର୍ଥନୈତିକ କେନ୍ଦ୍ରକୁ ଏହି ଲୋଗାରେ ବିଭିନ୍ନ ରଙ୍ଗ ଓ ଚିହ୍ନ ମାଧ୍ୟମରେ ସ୍ଥାନିତ କରାଯାଇଛି। କଳା ରଙ୍ଗର ବୃତ୍ତାକାର ଚିହ୍ନ ଏବଂ ଅକ୍ଷର ଶକ୍ତି ଓ ସାମର୍ଥ୍ୟକୁ ସୂଚାଉଛି। ବର୍ଗାକାର ଚିହ୍ନଗୁଡ଼ିକ ଶକ୍ତି, ଏକତା, ଉଦ୍ଦେଶ୍ୟ, ସମରୂପତା, ବ୍ୟବସାୟିକତା, ଦକ୍ଷତାକୁ ବୁଝାଉଛି। ବର୍ଗାକାର ଚିହ୍ନକୁ ଛାୟାଙ୍କିତ ରଙ୍ଗ ଦେବା ଏବଂ ଓ୍ଵାଇଫାଇ ଚିହ୍ନ ରଖିବାର ଉଦ୍ଦେଶ୍ୟ ହେଲା ପ୍ରଯୁକ୍ତିବିଦ୍ୟାର ତତ୍ତ୍ୱକୁ ସୂଚାଇବା। ଏହାବାଦ୍ ଭୁବନେଶ୍ୱର ପୂର୍ବ ଭାରତରର ଶିକ୍ଷା, କ୍ରୀଡ଼ା, ଆଇଟି, ଐତିହ୍ୟ ଏବଂ ପୁଞ୍ଜିନିବେଶର ହବ୍ ପାଲଟିଥିବାବେଳେ ଲୋଗୋରେ ବୃତ୍ତାକାର ଚିହ୍ନ ରଖି ହବ୍ ବୋଲି ସ୍ପଷ୍ଟ କରାଯାଇଛି। ଏହାସହ ଏହି ବୃତ୍ତାକାର ଚିହ୍ନ ଧ୍ୟାନ, ଆନ୍ଦୋଳନ, ଗୋଷ୍ଠୀ ସମୁଦାୟ, ବନ୍ଧୁତା, ଭଲପାଇବା, ସମ୍ପର୍କ ଏବଂ ଏକତାକୁ ସୂଚାଇବ। ଏହିଭଳି ଲୋଗୋ ପ୍ରସ୍ତୁତ କରି ଭୁବନେଶ୍ୱର ଅନ୍ୟ ସ୍ମାର୍ଟ ସିଟି ଠାରୁ ସଂପୂର୍ଣ୍ଣ ଭିନ୍ନ ବୋଲି ଦର୍ଶାଇବା ସହ ନୂଆ ସୁଯୋଗର ସମ୍ଭାବନା ଅଛି ବୋଲି ଆମେ ଦର୍ଶାଇଛୁ। ଆସନ୍ତା ଗୁରୁବାର ମୁଖ୍ୟମନ୍ତ୍ରୀ ଏହି ନୂଆ ଲୋଗୋକୁ ଉନ୍ମୋଚନ କରିବେ।
ସେହିପରି ଭୁବନେଶ୍ୱର.ମି େଓ୍ଵବସାଇଟ୍ ଲୋକାର୍ପିତ ହେବ। ଏହି େଓ୍ଵବସାଇଟ୍ ଉପରେ ଜଣେ କ୍ଲିକ୍ କଲେ କ୍ଷଣିକରେ ଭୁବନେଶ୍ୱର ସମ୍ପର୍କରେ ସମସ୍ତ ସୂଚନା ପାଇପାରିବ। ସପିଂ ମଲ୍ଠାରୁ ଆରମ୍ଭ କରି ସିନେମା ହଲ୍, ହୋଟେଲ, ରେଷ୍ଟୁରାଣ୍ଟ, ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ପାର୍କ, ସଂଗ୍ରହାଳୟଠାରୁ ଆରମ୍ଭ ବିଭିନ୍ନ କାର୍ଯ୍ୟକ୍ରମ ସହ ଭୁବନେଶ୍ୱରର ଟିକନିଖ୍ ସୂଚନା ପାଇପାରିବେ। ଏହି େଓ୍ଵବସାଇଟ୍ ଓ ଏହା ସମ୍ପର୍କିତ ଏକ ଭିଡିଓକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ। ହକି ବିଶ୍ୱକପ୍ ପୂର୍ବରୁ ବିଭିନ୍ନ ଦେଶକୁ ଏହି ଭଡିଓ ପଠାଯିବ। ଏହି େଓ୍ଵବସାଇଟ୍ ଯେପରି ଅଧିକ ବ୍ୟବହାର ହୋଇପାରିବ ସେଥିପାଇଁ ଏହାର ଲିଙ୍କ ବିଭିନ୍ନ ସରକାରୀ େଓ୍ଵବସାଇଟ୍ରେ ଛଡ଼ାଯିବ।
ଭୁବନେଶ୍ୱର ସ୍ମାର୍ଟ ସିଟି ଘୋଷଣା ହେବା ପରେ ଯେଉଁ େଓ୍ଵବସାଇଟ୍ ପ୍ରସ୍ତୁତ ହୋଇଥିଲା ତାହା ଆକର୍ଷଣୀୟ ନଥିଲା। ଏପରିକି ଏଥିରେ ସ୍ମାର୍ଟ ସିଟିର କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ଉପଲବ୍ଧ ହେଉ ନଥିଲା। ତେଣୁ ଏବେ ନୂଆ ରୂପରେ ସ୍ମାର୍ଟ ସିଟି ଭୁବନେଶ୍ୱରର େଓ୍ଵବସାଇଟ୍ ଆସିବ। ଏଥିରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ସମସ୍ତ ତଥ୍ୟ ଏବଂ ସୂଚନା ରହିବ। ଏପରିକି ଏବେ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପ ପାଇଁ ବିଡିଏ ଓ ବିଏମ୍ସି େଓ୍ଵବସାଇଟ୍ରେ ଟେଣ୍ଡର ନୋଟିସ୍ ଦିଆଯାଉଥିବାବେଳେ ଏହାକୁ ଏବେ ସ୍ମାର୍ଟ ସିଟି େଓ୍ଵବସାଇଟ୍ରେ ଛଡ଼ାଯିବ।