ମାର୍ଚ୍ଚ ୧୧ରେ ମହାଶିବରାତ୍ରୀ : ଜାଗରରେ ହେବ ତ ଏକାମ୍ରକ୍ଷେତ୍ରର ନବରୂପ ଦର୍ଶନ?

ଭାବାବେଗର ସମ୍ମାନ ରଖିବେ ସରକାର!

ପୁରୁଣା ଭୁବନେଶ୍ୱର: ମାର୍ଚ୍ଚ ୧୧ରେ ମହାଶିବରାତ୍ରୀ। ଭକ୍ତ ତଥା ଶ୍ରଦ୍ଧାଳୁମାନେ ଜାଗର ବ୍ରତ କରି ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଦର୍ଶନ କରିବେ। ଏହା ଲକ୍ଷ ଲକ୍ଷ ଓଡ଼ିଆଙ୍କ ଭାବାବେଗର କଥା। ପ୍ରତିବର୍ଷ ଏହି ଦିନକୁ ଅପେକ୍ଷ‌ା କରନ୍ତି ଜାଗର ବ୍ରତଧାରୀ। କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ସୃଷ୍ଟି କରିଛି ଆଶଙ୍କା। ବିଧି ଅନୁସାରେ ପରମ୍ପରା ସିନା ହେବ, କିନ୍ତୁ ଜାଗର ବ୍ରତୀମାନଙ୍କୁ ମହାଦୀପ ଦର୍ଶନର ସୁଯୋଗ ମିଳିବ କି ନାହିଁ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ପୁଣି କରୋନା କଡ଼ ଲେଉଟାଇ ଥିବାରୁ କଟକଣା ଫେରିବା ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ମହାଶିବରାତ୍ରୀରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିପାରିବେ କି ନାହିଁ, ତାହାକୁ ନେଇ ସେବାୟତ ଓ ଶ୍ରଦ୍ଧାଳୁମାନେ ଦ୍ବନ୍ଦ୍ବରେ ଅଛନ୍ତି। ତେ‌ଣୁ ସରକାର ଓଡ଼ିଆ ପ୍ରାଣର ଭାବାବେଗକୁ ସମ୍ମାନ ଜଣାଇ କଟକଣା କୋହଳ କରି ମହାଦୀପ ଦର୍ଶନ କରିବା ସୁଯୋଗ ସୃଷ୍ଟି କରନ୍ତୁ ବୋଲି ବିଭିନ୍ନ ମହଲରୁ ଦାବି ହେଲାଣି।

ମୁଖ୍ୟ କଥା ହେଉଛି ଏବେ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟୀକରଣ ହୋଇଛି। ନବରୂପ ପାଇଛି ଏକାମ୍ର କ୍ଷେତ୍ର। ମହାଶିବରାତ୍ରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏକାମ୍ର କ୍ଷେତ୍ରର ନବରୂପ ଓ ମହାଦୀପ ଦେଖିବାକୁ ଚାହିଁ ବସିଛନ୍ତି। ପୂର୍ବରୁ ସ୍ଥାନାଭାବ ଓ ଜାମ୍‌ ଯୋଗୁଁ ଅଧିକ ସଂଖ୍ୟାରେ ଲୋକେ ମହାଦୀପ ଦର୍ଶନ କରିପାରୁନଥିଲେ। ମାତ୍ର ଏଥର ରାଜ୍ୟ ସରକାର ମହାଶିବରାତ୍ରୀକୁ ଲକ୍ଷ୍ୟ ରଖି ମନ୍ଦିର ଚାରିପଟେ ବିସ୍ତୀର୍ଣ୍ଣ ଅଞ୍ଚଳକୁ ମୁକ୍ତ କରି ସୌନ୍ଦର୍ଯ୍ୟୀକରଣ କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସେଦିନ ସହଜରେ ମହାଦୀପ ଦେଖି ପାରିବେ ବୋଲି ରାଜ୍ୟ ସରକାର ଯୋଜନା କରି ଏହା ଘୋଷଣା କରିଥିଲେ।

କିନ୍ତୁ କରୋନା କଟକଣାକୁ ନେଇ ପୁଣି ଚିନ୍ତା ବଢ଼ିଛି। କଟକଣା ଲାଗୁ ହେବା ଭୟ ଘାରିଛି। ତେଣୁ ଶ୍ରଦ୍ଧାଳୁମାନଙ୍କ ଭାବାବେଗର ସମ୍ମାନ ରକ୍ଷା କରନ୍ତୁ ବୋଲି ସରକାରଙ୍କୁ ବିଭିନ୍ନ ମହଲରୁ ଅନୁରୋଧ କରାଯାଉଛି। ଏନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ଆଜି ବିଏମ୍‌ସି କମିସନରଙ୍କୁ ଏକ ଚିଠି ଲେଖିଛନ୍ତି। ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ପାଇଁ ଅନୁମତି ଦିଅନ୍ତୁ ବୋଲି ସେବାୟତମାନେ ଦାବି କରିଛନ୍ତି। ସେବାୟତଙ୍କ କହିବା ଅନୁଯାୟୀ ଗତ ବର୍ଷ ରଥ ତିଆରି ହେଲା, ଅଥଚ ରୁକୁଣା ରଥଯାତ୍ରା ହେଲା ନାହିଁ। ଶ୍ରୀକ୍ଷେତ୍ରରେ ସବୁ କିଛି ପର୍ବ ପାଳନ ହୋଇପାରୁଥିବାବେଳେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରେ ଭିନ୍ନ ନିୟମ ଲାଗୁ ହେଉଛି। ତେବେ ପ୍ରସିଦ୍ଧ ମହାଶିବରାତ୍ରୀ ପାଳନରେ ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳୁ।

କାରଣ ମହାଶିବରାତ୍ରୀରେ ଜାଗର ବ୍ରତ ଏକ ବଡ଼ ବ୍ରତ। କରୋନା କଟକଣାରେ ଭକ୍ତଙ୍କୁ ଠାକୁର ଦର୍ଶନର ଅନୁମତି ମିଳୁ ବୋଲି ସେମାନେ ଦାବି କରିଛନ୍ତି। ପୂଜାପଣ୍ଡା ନିଯୋଗ ସଭାପତି କାଶିନାଥ ପୂଜାପଣ୍ଡା କହିଛନ୍ତି ଯେ ମହାଶିବରାତ୍ରୀ ଦେଖିବାକୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଚାହିଁ ବସିଥାନ୍ତି। ତେଣୁ ମହାଶିବରାତ୍ରୀ ପାଇଁ ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳୁ। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଓ ଟ୍ରଷ୍ଟ ବୋର୍ଡର ବରିଷ୍ଠ ସଭ୍ୟ ଅବନୀ ପଟ୍ଟନାୟମଙ୍କ କହିବା ଅନୁଯାୟୀ ମହାଶିବରାତ୍ରୀ ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳନ ହେବ। ପରମ୍ପରା ମଧ୍ୟ ରହିବ। ତେବେ ଏସ୍‌ଓପି ଜାରି ହୋଇଥିବାରୁ ସେଦିନ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ ବିଏମ୍‌ସି ସହ ଆଲୋଚନା ପରେ ସ୍ଥିର କରାଯିବ।

ସମ୍ବନ୍ଧିତ ଖବର