ଭୁବନେଶ୍ୱର: କମିସନରେଟ୍ ପୁଲିସ ଅଧୀନରେ ଥିବା ୨୨ଟି ଥାନା ମଧ୍ୟରୁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଥାନା ଭାବେ ନୂଆପଲ୍ଲୀ ଥାନା ପରିଗଣିତ। ୨୨ ବର୍ଷ ପରେ ଏହି ଥାନାର ନବକଳେବର ହୋଇଛି। ଏଣିକି ନୂଆ କରି ନିର୍ମିତ ହୋଇଥିବା ଦୁଇ ମହଲା ଘରେ ଏହି ଥାନା ଚାଲିବ। ଆସନ୍ତା କାଲି(ରବିବାର)ଠାରୁ ଉକ୍ତ ନୂଆ ବିଲ୍ଡିଂରେ ଥାନା କାର୍ଯ୍ୟ ଆରମ୍ଭ ହେବ ବୋଲି ଆଇଆଇସି ଉମାକାନ୍ତ ପ୍ରଧାନ କହିଛନ୍ତି। ୨ ମହଲା ବିଶିଷ୍ଟ ଏହି ଘରର ତଳ ମହଲାରେ ୭ଟି ଓ ଉପର ମହଲାରେ ୩ଟି କୋଠରି ରହିଛି। ଉପର ମହଲାରେ ଥିବା ୩ଟି ରୁମ୍କୁ ଅଫିସର୍ ଓ ଷ୍ଟାଫ୍ ବାରାକ୍ ଭାବେ ବ୍ୟବହାର କରାଯିବ। ପ୍ରାୟ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୩ମାସ ମଧ୍ୟରେ କୋଠା ନିର୍ମାଣ ଶେଷ ହୋଇଛି ବୋଲି ଆଇଆଇସି ଶ୍ରୀ ପ୍ରଧାନ କହିଛନ୍ତି। ଡିସିପି ଅନୁପ ସାହୁ କହିଛନ୍ତି, ପୂର୍ବରୁ ଥାନାରେ ଭିତ୍ତିଭୂମିରେ ସମସ୍ୟା ରହିଥିଲା। ଫଳରେ କର୍ମଚାରୀଙ୍କଠାରୁ ଆରମ୍ଭ କରି ଅଭିଯୋଗକାରୀ ପର୍ଯ୍ୟନ୍ତ ସମସ୍ତେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏବେ ଅନେକ ସମସ୍ୟାର ସମାଧାନ ହୋଇପାରିବ। ପ୍ରକାଶ ଥାଉ କି, ଏହି ଥାନା ଅଧୀନରେ କଳିଙ୍ଗଷ୍ଟାଡିୟମ୍ ଏରିଆ, ବେହେରା ସାହି, ସାଲିଆ ସାହି, ଏକାମ୍ରକାନନ, ସିଆରପିଏଫ୍, ଇସ୍କନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଥିବାରୁ ପ୍ରତିଦିନ ବହୁ ଅଭିଯୋଗକାରୀ ଏଠାକୁ ଆସିଥାନ୍ତି। ମାତ୍ର ଏତେବଡ଼ ଅଞ୍ଚଳକୁ ସମ୍ଭାଳୁଥିବା ଥାନା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ନଥିଲା। ଜାଗା ନଥିବାରୁ ଥାନା ଚାରିପଟେ ଜବତ ଗାଡ଼ି ଓ ଅନ୍ୟାନ୍ୟ ଜିନିଷପତ୍ର ପଡ଼ି ରହୁଥିଲା। ୩ମାସ ତଳେ ପୁଲିସ କମିସନର୍ ଓ୍ଵାଇବି ଖୁରାନିଆ ସମସ୍ୟା ସଂପର୍କରେ ଅବଗତ ହେବା ପରେ ଥନା ସଂପ୍ରସାରଣ ନେଇ ସାଧାରଣ ପ୍ରଶାସନ ବିଭାଗକୁ ଜଣାଇଥିଲେ।
ନୂଆପଲ୍ଲୀ ଥାନାର ନବକଳେବର
୨ ମହଲା ଘରେ ଚାଲିବ ଥାନା
/sambad/media/post_attachments/wp-content/uploads/2018/05/police-station.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)