ରାଜଧାନୀରେ ଲୁଟେରାଙ୍କ ନୂଆ ‌ଚାଲ୍: ସିଟି ବସ୍‌ରେ ଟଙ୍କା ଫିଙ୍ଗି ଯାତ୍ରୀଙ୍କୁ ଲୁଟୁଛନ୍ତି, ଗୋଟିଏ ଦିନରେ ଦୁଇ ଜଣଙ୍କଠୁ ୫୦ ହଜାର ଲୁଟିଲେ

ଦୁଇ ଜଣଙ୍କୁ ଲୋକ ଧରିଲେ, ଟଙ୍କାଟିଏ ବି ମିଳିଲାନି

ଭୁବନେଶ୍ବର: ରାଜଧାନୀରେ ଲୋକଙ୍କୁ ଲୁଟିବା ଲାଗି ନୂଆ ଚାଲ୍ ବାହାର କରିଛନ୍ତି ଲୁଟେରା। ସିଟି ବସ୍‌ରେ ଟଙ୍କା ଫିଙ୍ଗି ଯାତ୍ରୀଙ୍କୁ ଅନ୍ୟମନସ୍କ କଲା ପରେ ମାତ୍ର କେଇ ସେକେଣ୍ଡରେ ସେମାନଙ୍କ ପକେଟ୍‌ରୁ ମନି ପର୍ସ ଗାଏବ କରି ଦେଉଛନ୍ତି। ଗତକାଲି ଆଚାର୍ଯ୍ୟବିହାର ନିକଟରେ ଅଳ୍ପ ସମୟ ବ୍ୟବଧାନରେ ଏଭଳି ଦୁଇଟି ଲୁଟ୍‌ ଘଟଣା ଉଭୟ ଯାତ୍ରୀ ଓ ପୁଲିସକୁ ଚିନ୍ତାରେ ପକାଇଛନ୍ତି। ଦୁଇଜଣ ସନ୍ଦିଗ୍ଧ ଲୁଟେରା ଧରା ପଡ଼ିଥିଲେ ହେଁ ଗ୍ୟାଙ୍ଗର ଅନ୍ୟ ୧୦ ଜଣ ସଦସ୍ୟ ଚକ୍‌ମା ଦେଇ ଖସିଯିବାକୁ ସକ୍ଷମ ହୋଇଛନ୍ତି। ସହିଦନଗର ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। କିନ୍ତୁ ମୋ ବସ୍ ଓ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବସ୍‌ରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ, ୟୁନିଟ୍-୮ ବିଏସଏନଏଲ୍ କଲୋନିରେ ରହୁଥିବା ବିଭୂତି ଭୂଷଣ ସେନାପତି ଗତକାଲି ସିଟିବସ୍‌ରେ ସିଆର୍‌ପିରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ଆସିଥିଲେ। ଆଚାର୍ଯ୍ୟବିହାର ବସଷ୍ଟପ୍‌ରେ ଗାଡ଼ି ରହିବା ସମୟରେ ତାଙ୍କୁ ସେହି ବସ୍‌ରେ ଥିବା ୬ ଜଣ ଯୁବକ ଯୋଜନାବଦ୍ଧ ଭାବେ ଘେରି ଯାଇ ଭିଡ଼ କରିଥିଲେ। ସେମାନଙ୍କ ମଧ୍ୟରୁ ବିଭୂତିଙ୍କୁ ଜଣେ କହିଥିଲା ତାଙ୍କ ପକେଟରୁ ତଳେ ଟଙ୍କା ପଡ଼ିଯାଇଛି। ବିଭୂତି ତଳକୁ ନଇଁବା ସମୟରେ ତାଙ୍କ ପକେଟରେ ଥିବା ୯ ଶହ ଟଙ୍କା ଧରି ସେମାନେ ଚମ୍ପଟ ମାରିଥିଲେ। କିନ୍ତୁ ବିଭୂତି ଜଣଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ହେଲେ ଧରା ପଡ଼ିଥିବା ଲୁଟେରା ପାଖରେ ଟଙ୍କା ନ ଥିଲା। ଲୁଟେରାର ନାଁ ହାସିମ୍ ଖାନ୍ ବୋଲି ଜଣାପଡ଼ିଛି। ଏହାର କିଛି ସମୟ ମଧ୍ୟରେ ସମାନ ଧରଣରେ ଆଉ ଏକ ଲୁଟ୍ ଘଟଣା ଘଟିଥିଲା। ରଣପୁର ଥାନା ରାଜସୁନାଖଳା ଅଞ୍ଚଳର ଜିତେନ୍ଦ୍ର କୁମାର ମହାନ୍ତ ନିଜର ଚିକିତ୍ସା ପାଇଁ ଘରୁ ୫୦ ହଜାର ଟଙ୍କା ଧରି ‘ମୋ ବସ୍‌’ରେ ଆସୁଥିଲେ। ଆଚାର୍ଯ୍ୟବିହାର ଷ୍ଟପେଜ୍ ନିକଟରେ ବସ୍ ଅଟକିଥିଲା। ଠିକ୍ ସେହି ସମୟରେ ବସ୍‌ରେ ଚଢ଼ିଥିବା ୬ ଜଣ ଯୁବକ ତାଙ୍କ ନିକଟକୁ ଲାଗି କରି ଠିଆ ହୋଇଥିଲେ। ସମାନ ଢଙ୍ଗରେ ଜଣେ ତଳେ କିଛି ଟଙ୍କା ପକାଇ ଦେଇଥିଲା ଏବଂ ଜି‌ତେନ୍ଦ୍ରଙ୍କୁ ତାଙ୍କର ପଡ଼ି ଯାଇଥିବା କହିଥିଲା। ଜିତେନ୍ଦ୍ର ତଳେ ପଡ଼ିଥିବା ଟଙ୍କା ଉଠାଇବା ସମୟରେ ତାଙ୍କ ପକେଟରେ ଥିବା ୫୦ ହଜାର ଟଙ୍କା ଧରି ଲୁଟେରାମାନେ ଚମ୍ପଟ ମାରିଥିଲେ। କିନ୍ତୁ ସେମାନଙ୍କ ଭିତରୁ ଜଣେ ଧରା ପଡ଼ି ଯାଇଥିଲା। ତା’ର ନାଁ ସାହାବଜାନ୍ ଓରଫ୍ ସାବଜାନ୍ ବୋଲି ଜଣାପଡ଼ିଥିଲେ ହେଁ ତା’ ନିକଟରୁ ଟଙ୍କା ମିଳି ନ ଥିଲା। ଏହି ଲୁଟେରା ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ଫେରାର ହୋଇ ଯାଇଥିବା ବେଳେ ଦୁଇଟି ମାମଲାରେ ପୁଲିସ ଲୁଟ୍ ଟଙ୍କା ଜବତ କରିବାରେ ବିଫଳ ହୋଇଛି।

ସମ୍ବନ୍ଧିତ ଖବର