ନୂଆ ‌ମୋଟର ଯାନ ଆଇନ : ନିୟମ ଲାଗୁ କରିବାକୁ ବଳ ଅଛି ତ!

ନୂଆ ‌ମୋଟର ଯାନ ଆଇନ ଆଜିଠାରୁ ପୁଣିଥରେ କଡ଼ାକଡ଼ି ଲାଗୁ କରାଯାଇଛି। କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି ଯେ ସିସିଟିଭି ମାଧ୍ୟମରେ ନିୟମ ଉଲ୍ଲଂଘନକାରୀଙ୍କୁ ଧରାଯିବ, ଆବଶ୍ୟକସ୍ଥଳେ ବଡି କ୍ୟାମେରାରେ ଏବଂ ରାସ୍ତାରେ ନିୟମ ଉଲ୍ଲଂଘନକାରୀଙ୍କୁ ଅଟକାଇ ଜରିମାନା ଆଦାୟ କରାଯିବ। ଯିଏ ନିୟମ ଖିଲାପ କରିଥି‌ବେ, ଗାଡ଼ି ମାଲିକ ଠିକଣାରେ ଚାଲାଣ ପହଞ୍ଚିଯିବ। ଏମିତି ଗୁଡ଼ାଏ କଥା କହି ପୁଲିସ ନାଲିଆଖି ଦେଖାଇଛି। ହେଲେ ପୁଲିସର ଏହି ନାଲିଆଖିକୁ ସାଥ୍ ଦେବାକୁ ରାଜଧାନୀରେ ସେତିକି ବୈଷୟିକ ଭିତ୍ତିଭୂମି ନାହିଁ। ସିସିଟିଭି ବହୁ ପ୍ରମୁଖ ସ୍ଥାନରେ ଲାଗିଥିଲେ ବି ଏହା କାମ କରୁନି। ଅର୍ଥାତ୍‌ ଏଥିରେ ଫଟୋ ଉଠିଲେ ବି ପୁଲିସ୍‌ ନିକଟରେ ପହଞ୍ଚିବାର ବ୍ୟବସ୍ଥା ନାହିଁ। ଦ୍ରୁତ ଗତିରେ ଯାଉଥିବା ଗାଡ଼ିର ବେଗ ମାପିବା ଯନ୍ତ୍ର କାମ କରୁନି, ନାଲିବତି ସିଗନାଲ୍ ମାନୁ ନ ଥିବା ଗାଡ଼ିର ନମ୍ବର ପ୍ଲେଟ୍ ଫଟୋ ଉଠା ଯାଇପାରୁନି। ଯାହା କିଛି କାମ କରୁଛି, କେବଳ ରୁପାଲି ଛକରେ। ପୁଲିସ ପକ୍ଷରେ ସବୁଠି ଚେକିଂ କରିବାକୁ ମାନବସମ୍ବଳ ବି ନାହିଁ। ତେଣୁ କମିସନରେଟ୍ ପୁଲିସ ନିୟମ କଡ଼ାକଡ଼ି କରିବାକୁ ଯେଉଁ ତାଗିଦ୍‌ କରୁଛି ତାହା ଶୁଖିଲା ବାହାସ୍ଫୋଟ ବୋଲି ଆଜି ଜଳଜଳ ହୋଇ ବାରି ହୋଇପଡ଼ିଛି।

ଆର୍‌ଟିଓର ଚଢ଼ଉ : ୪ ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦାୟ
ପୂର୍ବ ଘୋଷଣା ମୁତାବକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଆଜି ଜୋରଦାର ଚଢ଼ଉ ହୋଇଛି। ୩ଟି ଜାଗାରେ ଆର୍‌ଟିଓ-୧ ଓ ୨ଟି ଜାଗାରେ ଆର୍‌ଟିଓ-୨ ଅଧିକାରୀମାନେ ଚଢ଼ଉ କରି ମୋଟ ୪ ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଆର୍‌ଟିଓ-୧ ଦଳ ୫୮ ଜଣ ଉଲ୍ଲଂଘନକାରୀଙ୍କୁ ଧରି ପାଖାପାଖି ୧ ଲକ୍ଷ ୩୩ ହଜାର ଟଙ୍କାର ଚାଲାଣ କାଟିଥିବା ବେଳେ ଆର୍‌ଟିଓ-୨ ଦଳ ୪୬ଜଣ ଉଲ୍ଲଂଘନକାରୀଙ୍କଠାରୁ ୩ ଲକ୍ଷ ୩୨ ହଜାର ଟଙ୍କାର ଚାଲାଣ କାଟିଥିଲେ।

ଦ୍ରୁତଗତି ଓ ବିପରୀତ ଦିଗ(ରଙ୍ଗ ରୁଟ୍‌)ରେ ଗାଡ଼ି ଚାଳନାରେ ସର୍ବାଧିକ ଓ ହେଲ୍‌ମେଟ୍‌ ଚେକିଂରେ ସର୍ବନିମ୍ନ ଚାଲାଣ କଟାଯାଇଛି। ଆଇଗିଣିଆ ଛକରେ ସବୁଠାରୁ ଅଧିକ ନିୟମ ଉଲ୍ଲଙ୍ଘନକାରୀ ବିପରୀତ ଦିଗରେ ଗାଡ଼ି ଚଳାଇ ଧରାପଡ଼ିଥିଲେ। ବାଣୀବିହାର ଛକରେ ଯାଞ୍ଚ ଟିମ୍‌କୁ ଦେଖି ଅନେକ ଫେରି ଯାଇଥିବା ଦେଖାଯାଇଥିଲା। ତେବେ ଦୁଇଟି ଜାଗା‌ରେ ମୋଟା ଅଙ୍କର ଜରିମାନାକୁ ନେଇ ଉତ୍ତେଜନା ହୋଇଥିଲା। ଆଗକୁ ଏହି ଚଢ଼ଉ ଲଗାତାର ହେବ ବୋଲି ଆରଟିଓ ପକ୍ଷରୁ ସୂଚନା ମିଳିଛି। ଏହାବ୍ୟତୀତ କମିସନରେଟ୍‌ ପୁଲିସ ପକ୍ଷରୁ ମଧ୍ୟ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି। ତେବେ ଶେଷ ଖବର ଲେଖା ହେବା ବେଳକୁ ଏ ସଂପର୍କିତ ତଥ୍ୟ ମିଳି ପାରିନଥିଲା।

ସ୍ପିଡ୍‌ ଡିଟେକ୍ଟର୍‌ ଅଚଳ
ଦ୍ରୁତ ଗାଡ଼ି ଚାଳକଙ୍କ ଉପରେ ରୋକ୍ ଲଗାଇବା ପାଇଁ ୬ଟି ସ୍ଥାନରେ ସ୍ପିଡ୍ ଡିଟେକ୍ଟର ତଥା ସ୍ପିଡ୍ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ ଲାଗିଥିଲା। ଏଜିରୁ କ୍ୟାପିଟାଲ ହସ୍ପିଟାଲ ଛକ ମଧ୍ୟରେ, ସୈନିକ ସ୍କୁଲ ଛକ ନିକଟରେ, ଜାତୀୟ ରାଜପଥ-୧୬ରେ ବରମୁଣ୍ଡା, ଜୟଦେବ ବିହାର, ବାଣୀବିହାର ଛକରେ, ରଘୁନାଥପୁରରେ ଏହି ବ୍ୟବସ୍ଥ‌ା ଲାଗୁ ହୋଇଥିଲା। ଦୁଇଟି ଛକ ମଧ୍ୟରେ ଗାଡ଼ିର ଗତି କେତେ ଥିଲା, ତାହା ଏକାଧିକ ଫ୍ରେମ୍‌ ମଧ୍ୟରେ ସମୟକୁ ଦେଖି ଚିହ୍ନଟ କରିଥାନ୍ତା। ଏହାସହ ନମ୍ବର ପ୍ଲେଟ୍‌ର ଫଟୋ ଉଠାଇଥାନ୍ତା। ଏଥିରେ ପୁଲିସ୍‌ର ହଟ୍‌ ଲିଷ୍ଟ, ୱାଣ୍ଟେଡ୍‌ ଥିବା ଗାଡ଼ି, ଚୋରା ଗାଡ଼ି ବି ସହଜରେ ଚିହ୍ନଟ କରାଯାଇପାରିବାର ବ୍ୟବସ୍ଥା ହୋଇଛି ବୋଲି କୁହାଯାଇଥିଲା। କିନ୍ତୁ ବାଣୀବିହାର ଛକ ବ୍ୟତୀତ ଅନ୍ୟ ସବୁଠି ଅଚଳ ହୋଇପଡ଼ିଛି।

ସହର ଭିତରେ ଘଣ୍ଟା ପ୍ରତି ୫୦
ରାଜଧାନୀ ଭିତରେ ବାଇକ୍, କାର୍‌ ଏବଂ ଭାରୀଯାନ ଚାଲିଲେ ବି ସେମାନଙ୍କ ସ୍ପିଡ୍‌ ଘଣ୍ଟା ପ୍ରତି ୫୦ କିମିରୁ ଅଧିକ ହେବନି। ଜାତୀୟ ରାଜପଥରେ ପଳାସୁଣିରୁ ବାଲିକୁଦା ପର୍ଯ୍ୟନ୍ତ ୭୦ କିମି ବେଗରେ ଗାଡ଼ି ଯାତାୟାତ କରିପାରିବ। ଏହାଠାରୁ ଅଧିକ ସ୍ପିଡ୍‌ରେ ଗାଡ଼ି ଚଲାଇଲେ ଜରିମାନା ଆଦାୟ ହେବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

କୁଆଡ଼େ ଗଲା ରେଡ୍‌ ଲାଇଟ୍‌ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ୍‌
ରୁପାଲି ଛକ, କଳ୍ପନା ଛକ, ବିମାନବନ୍ଦର ଛକ, ନିକୋ ପାର୍କ ଛକ, ପାୱାର ହାଉସ୍ ଛକ, କଳିଙ୍ଗ ହସ୍ପିଟାଲ ଛକ, ପଟିଆ ଛକରେ ରେଡ୍‌ ଲାଇଟ୍‌ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ ଡିସେମ୍ବର ୧, ୨୦୧୮ରୁ ଲାଗୁ ହୋଇଥିଲା। ଏଥିରେ ଟ୍ରାଫିକ୍ ଛକରେ ଥିବା ନାଲିବତି ସିଗନାଲ୍‌କୁ ଯଦି କେହି ମାନୁନଥିବେ, ସେମାନଙ୍କଠାରୁ ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ବ୍ୟବସ୍ଥାରେ ଉପରୋକ୍ତ ଛକ ଦେଇ ଯାଉଥିବା ପ୍ରତ୍ୟେକ ଗାଡ଼ି ଉପ‌େର ନଜର ରଖାଯାଇଥାନ୍ତା। ସିଗନାଲ୍‌ରେ ନାଲିବତି ଜଳିବା କ୍ଷଣି ଏହା ନିୟମ ଉଲ୍ଲଂଘନକାରୀଙ୍କୁ ଧରିଥାନ୍ତା। ଗାଡ଼ିର ପଛପାର୍ଶ୍ବରୁ ଏହା ଫଟୋ ଉଠାଇବା ସହ ନମ୍ବର ପ୍ଲେଟ୍‌ର ଫଟୋ ନେଇଥାନ୍ତା। ଏହାସହ ଗାଡ଼ିର ସମସ୍ତ ରେକର୍ଡ ‘ବାହନ’ ଡାଟାବେସ୍‌ରୁ ସଂଗ୍ରହ କରି ଭୁବନେଶ୍ବର ଅପରେସନ୍ ସେଣ୍ଟର (ବିଓସି)କୁ ପଠାଇ ଦେଇଥାନ୍ତା। ସେଠାରୁ ଇ-ଚାଲାଣ ନିୟମ ଉଲ୍ଲଂଘନକାରୀଙ୍କ ମୋବାଇଲ୍‌ ନମ୍ବରକୁ ଏବଂ ମେଲ୍‌ ଆଇଡିକୁ ପଠାଇବାକୁ ଯୋଜନା ହୋଇଥିଲା। ହେଲେ ଏହା ଏବେ କେବଳ ରୁପାଲି ଛକରେ କାମ କରୁଛି। ବାକି ସ୍ଥାନରେ କ୍ୟାମେରା ଠିକ୍‌ ଥିଲେ ହେଁ ଇଣ୍ଟରନେଟ୍ ସୁବିଧା ନଥିବାରୁ ଏହା ଅଚଳ ହୋଇପଡ଼ିଛି।

ରାତି ସାରା ଜଗିବେନି ଆବେଦନକାରୀ
ଲର୍ଣ୍ଣର୍ସ ଲାଇସେନ୍ସ ତଥା ଅନ୍ୟାନ୍ୟ ଆବେଦନ ପାଇଁ ରାତି ସାରା ଆର୍‌ଟିଓ ଅଫିସ୍‌ ପରିସରରେ ଜଗି ରହୁଛନ୍ତି ଆବେଦନକାରୀ। ଗର୍ଭବତୀ ଓ ଶିଶୁକୁ ଧରି ମହିଳା ମଧ୍ୟ ଧାଡ଼ି ବାନ୍ଧୁଛନ୍ତି। ଏଭଳି ଖବର ପ୍ରକାଶ ପାଇବା ପରେ ତନାଘନା ହୋଇଛି। ଆଗକୁ କେହି ଯେଭଳି ରାତି ସାରା ଜଗି ରହିବେନି ବା ‘ଆଗ ଆସିଲେ ଆଗ ସୁଯୋଗ ମିଳିବା’ ବ୍ୟବସ୍ଥା ଆଉ ରହିବନି। ଏ ନେଇ ଆର୍‌ଟିଓ-୧ ପ୍ରଦୀପ ମହାନ୍ତି ବିଜ୍ଞପ୍ତି ଜାରି କରିଛନ୍ତି। ଯେତେବେଳେ ଲର୍ଣ୍ଣର୍ସ ଲାଇସେନ୍ସ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରୁଛନ୍ତି ସେଠାରେ ସ୍ଲଟ୍‌ ବୁକିଂ ସୁବିଧା ରହିଛି। ଏହି ସୁବିଧାକୁ ଆପଣାଇ ନିଜ ଇଚ୍ଛାରେ ଏକ ତାରିଖ ନେଇ ପାରିବେ। ନିର୍ଦ୍ଧାରିତ ତାରିଖରେ ଆସି ସହଜରେ କାଗଜପତ୍ର ପ୍ରସ୍ତୁତ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର