ନୂଆ ମୋଟର ଯାନ ଆଇନ : ଶୃଙ୍ଖଳିତ ବ୍ୟବସ୍ଥା କରିବାକୁ ଭୁବନେଶ୍ବର ଜିଲ୍ଲା କଂଗ୍ରେସର ପ୍ରସ୍ତାବ

ଭୁବନେଶ୍ୱର : ମୋଟର ଯାନ ଆଇନ ହେଉ କି ଅନ୍ୟ ଯେ କୌଣସି ଆଇନକୁ ମାନିବା‌ ଜଣେ ଶୃଙ୍ଖଳିତ ନାଗରିକର କର୍ତ୍ତବ୍ୟ। ଟ୍ରାଫିକ୍‌ ନିୟମ କଡ଼ାକଡ଼ି ଆଳରେ ସାଧାରଣ ଜନତାଙ୍କୁ ଦୁର୍ବ୍ୟବହାର ଆଦୌ ଗ୍ରହଣୀୟ ନୁ‌ହେଁ ବୋଲି କହିଛି ଭୁବନେଶ୍ବର ଜିଲ୍ଲା କଂଗ୍ରେସ। ଆଜି ଏକ ପ୍ରେସ୍‌ ବିବୃତିରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଶୃଙ୍ଖଳିତ ଟ୍ରାଫିକ୍‌ ବ୍ୟବସ୍ଥା ପାଇଁ କମିସନରେଟ୍‌ ଟ୍ରାଫିକ୍‌ ପୁଲିସକୁ କେତେଗୁଡ଼ିଏ ପ୍ରସ୍ତାବ ଦେଇଛନ୍ତି।

ବିଭିନ୍ନ ପ୍ରସ୍ତାବ ଦେଇ ସେ କହିଛନ୍ତି, ଏସ୍‌ପ୍ଲାନେଡ୍‌ ମଲ୍ ପାଖ କଟ୍‌ ଯୋଗୁଁ ଅଧିକ ଭିଡ଼ ହେଉଥିବାରୁ ଏହାକୁ ବନ୍ଦ କରି ଦିଆଯିବା ଉଚିତ। ଏଠାରେ ଥିବା ଅସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ, ଅଟୋ ଷ୍ଟାଣ୍ଡ ଏବଂ ବିଭିନ୍ନ ଗାଡ଼ି ପାର୍କିଂ ମଧ୍ୟ ନିଷିଦ୍ଧ ହେବା ଉଚିତ୍। ସେହିଭଳି ମଂଚେଶ୍ୱର ଶିଳ୍ପାଞ୍ଚଳକୁ ଯିବା ପାଇଁ ଉର୍ମି ହୋଟେଲ ସମ୍ମୁଖରେ ଥିବା କଟ୍‌କୁ ମଧ୍ୟ ବନ୍ଦ କରି ଦିଆଗଲେ କୌଣସି ଅସୁବିଧା ହେବ ନାହିଁ। ସେହି ଶିଳ୍ପାଂଚଳ ଓ ରସୁଲଗଡ ଯିବା ପାଇଁ ବାଟ ରହିଛି।

ସେହିପରି କଳ୍ପନା ଛକ ପରେ ବଡ଼ଗଡ଼ ଯିବାକୁ ଥିବା ରାସ୍ତାକୁ ସଂଯୋଗ କରୁଥିବା ରୋଡ ଡିଭାଇଡର କଳ୍ପନା ଛକର ଅତିପାଖରେ ହୋଇଥିବାରୁ ସେଠାରେ ଟ୍ରାଫିକ ଜାମ ରହୁଛି। ଅସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ଓ ଅଟୋ ପାର୍କିଂ ହଟାଇ ଡିଭାଇଡରକୁ ବନ୍ଦ କରାଗଲେ ଟ୍ରାଫିକ୍‌ ଶୃଙ୍ଖଳିତ ହୋଇ ପାରିବ। ୩ ଶହ ମିଟର ଆଗରେ ଥିବା କଟ୍‌ ଦେଇ ଲୋକମାନେ ଆସିପାରିବେ।

ବାଣୀବିହାର ୟୁନିଭରସିଟି ପଟୁ ରୂପାଲି ଛକ ଆଡ଼କୁ ଆସୁଥିବା ଗାଡ଼ିଚାଳକ ବାଣୀବିହାର ବ୍ରିଜ ତଳେ ନଯାଇ ସତସଂଗ ମନ୍ଦିର ପରେ ଅଣ୍ଡରପାସ୍‌ ଦେଇ ୟୁଟର୍ଣ୍ଣରେ ଆସିବା ଆବଶ୍ୟକ।

ବାଣୀବିହାର ଛକରେ ୟୁନିଭରସିଟି ପଟେ ଅସ୍ଥାୟୀ ଦୋକାନ ହଟାଯାଇ ରାସ୍ତାକୁ ପ୍ରଶସ୍ତ କରାଗଲେ ଭିଡ କମିବ। ବରମୁଣ୍ଡା ଆଡୁ ଆସୁଥିବା ମୁଖ୍ୟ ରାସ୍ତାରେ ଜୟଦେବ ବିହାର ପାଖରେ ଥିବା ଓଭରବ୍ରିଜ୍‌ରେ ଆଚାର୍ଯ୍ୟବିହାର ଯିବା ପାଇଁ କଟ୍‌ ସମ୍ମୁଖରେ ବସ୍‌ଷ୍ଟପ ରହିଛି। ଦୂରଗାମୀ ବସ୍‌ଗୁଡିକର ଷ୍ଟପେଜ ଜୟଦେବ ବିହାର ଛକଠାରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ଥିବା ରାସ୍ତାରେ ୪/୫ ଟି ଭିନ୍ନ ଭିନ୍ନ ସ୍ଥାନରେ କରାଗଲେ ଦୁର୍ଘଟଣା ଆଶଙ୍କା କମ୍‌ ରହିବ। ଝୁମ୍ପୁଡିଗୁଡ଼ିକୁ ମଧ୍ୟ ସଫା କରାଯିବା ଜରୁରୀ। ମ୍ୟୁଜିୟମ୍ ସମ୍ମୁଖରେ ଯେଉଁ ଛକ ରହିଛି ସେଠାରେ ବସ୍ ଷ୍ଟାଣ୍ଡ, ଅଟୋ ଷ୍ଟାଣ୍ଡ ଏବଂ ଉଠା ଦୋକାନୀ ରହିବା ଫଳରେ ସେ ଛକର ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ସେଠାରେ ଗାଡି ଚେକିଂ କରାଯିବା ଫଳରେ ଟ୍ରାଫିକ୍ ଜାମ୍ ପରିସ୍ଥିତି ଅଧିକ ଗୁରୁତର ‌ହୋଇପଡ଼ୁଛି। ସେହି ଛକରେ ଟ୍ରାଫିକ୍ ଜାମ୍‌ର ସୁଧାର ପାଇଁ ବ୍ୟବସ୍ଥା ଦରକାର। ବେଆଇନ ପାର୍କିଂ ସହ ଯଦି ଉଠାଦୋକାନୀ ଆସି ବସନ୍ତି, ତେବେ ସମ୍ପୃକ୍ତ ଥାନା ଇନ୍‌ସ୍‌ପେକ୍ଟରଙ୍କୁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସେ ଦାବି କରି କମିସନରେଟ୍‌ ଟ୍ରାଫିକ୍‌ ପୁଲିସକୁ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର