ଆସିବ ନୂଆ ପାର୍କିଂ ନୀତି

ଜିଆଇଜେଡ୍‌ ପ୍ରସ୍ତୁତ କରୁଛି ଚିଠା ପ୍ରସ୍ତାବ, ୬ମାସ ପରେ ଲାଗୁ ହେବ, ମଲ୍‌ରୁ ଦୋକାନ, ବଡ଼ ପ୍ରତିଷ୍ଠାନ ପାଇଁ ନିୟମ କଡ଼ାକଡ଼ି ହେବ

ଭୁବ‌ନେଶ୍ବର : ରାଜଧାନୀର ପାର୍କିଂ ବ୍ୟବସ୍ଥା ସଜାଡ଼ିବା ପାଇଁ ବିଏମ୍‌ସି ପକ୍ଷରୁ ଖୁବ୍‌ ଶୀଘ୍ର ନୂ୍ଆ ପାର୍କିଂ ନୀତି ଆସିବ। ଏନେଇ ଜିଆଇଜେଡ୍‌ ସଂସ୍ଥାକୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ, ବିଭିନ୍ନ ପ୍ରକାରର ପାର୍କିଂ ନିୟମ, କମିସନରେଟ୍‌ ପୁଲିସର ଟ୍ରାଫିକ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଦିଆଯାଇଛି। ଏହି ସମସ୍ତ ପ୍ରକ୍ରିୟା ଆସନ୍ତା ୬ମାସ ଭିତରେ ଶେଷ କରି ନୂଆ ପାର୍କିଂ ନୀତି ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

ନୂଆ ପାର୍କିଂ ନୀତିରେ କେଉଁ କେଉଁ ଅଞ୍ଚଳରେ ଗାଡ଼ି ପାର୍କିଂ ହୋଇପାରିବ, କେଉଁଠି ଗାଡ଼ି ପାର୍କିଂ ପାଇଁ କେତେ ଟଙ୍କା ଦେବାକୁ ପଡ଼ିବ, କିଏ ପାର୍କିଂ ଫି’ ଆଦାୟ କରିପାରିବେ, କେଉଁ କେଉଁ ସଂସ୍ଥା କେତେ ପାର୍କିଂ ଅଞ୍ଚଳ ରଖିବେ, ପାର୍କିଂ ନିୟମ ଖିଲାପ କଲେ କେତେ ଜରିମାନା ଆଦାୟ ହେବ, ଯେଉଁ ସଂସ୍ଥା ପାଇଁ ଟ୍ରାଫିକ ବ୍ୟବସ୍ଥା ଭୁଶୁଡ଼ିବ, ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ, ସେନେଇ ନିୟମ ରହିବ। ବିଶେଷକରି ବିଭିନ୍ନ ସପିଂ ମଲ୍‌, ସିନେମା ହଲ୍‌, ବିଭିନ୍ନ ଅନୁଷ୍ଠାନ, ବଡ଼ବଡ଼ ଦୋକାନଗୁଡ଼ିକରେ ପାର୍କିଂ ସୁବିଧା ନଥିବାରୁ ରାଜଧାନୀର ଟ୍ରାଫିକ ବ୍ୟବସ୍ଥା ଉଜୁଡ଼ୁଛି। ଯେଉଁମାନଙ୍କ ପାର୍କିଂ ବ୍ୟବସ୍ଥା ଅଛି, ସେମାନେ ଲୋକଙ୍କଠାରୁ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରୁଥିବାରୁ ଲୋକ ରାସ୍ତା ଉପରେ ଗାଡ଼ି ରଖୁଛନ୍ତି। ଏମାନଙ୍କ ଉପରେ ଲଗାମ କଷିବାକୁ ବି ନୂଆ ପାର୍କିଂ ନୀତିରେ ନିୟମ ରହିବ ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ନୂ୍ଆ ପାର୍କିଂ ନୀତି ଆସିଲେ ସାଧାରଣ ଲୋକ ଆଉ ଅସୁବିଧାର ସମ୍ମୁଖୀନ ହେବେନି। ଟ୍ରାଫିକ ବ୍ୟବସ୍ଥାରେ ବି ପରିବର୍ତ୍ତନ ଆସିବ ବୋଲି ବିଏମ୍‌ସି କମିସନର କହିଛନ୍ତି।

ସେହିପରି ନୂଆ ପାର୍କିଂ ନୀତିରେ ଇନଷ୍ଟିଚ୍ୟୁସନାଲ ପାର୍କିଂକୁ ୩ବର୍ଷ ପାଇଁ ନିଲାମ ଦିଆଯିବ। ଏହି ସମୟ ପାଇଁ ହିଁ ସଂସ୍ଥାଗୁଡ଼ିକ ବିଏମ୍‌ସିରେ ତିନିଟି ପର୍ଯ୍ୟାୟରେ ଟଙ୍କା ଜମା କରିବେ। ‌କିନ୍ତୁ ଯେଉଁମାନେ ଇନଷ୍ଟିଚ୍ୟୁସନାଲ୍‌ ପାର୍କିଂ ପାଇଁ ବିଏମ୍‌ସିରେ ଟଙ୍କା ଜମା କରି‌ ପାର୍କିଂସ୍ଥଳୀ ନେବେ ସେମାନେ ଲୋକଙ୍କଠାରୁ ପାର୍କିଂ ଫି’ ଆଦାୟ କରିପାରିବେନି ବୋଲି ନିୟମ ହେବ। ଯିଏ ଆଦାୟ କରିବେ ତାଙ୍କଠାରୁ ଜରିମାନା ଆଦାୟ ହେବ। ଅପରପକ୍ଷେ ବିଏମ୍‌ସି ପାର୍କିଂ ନୀତିରେ ପରିବର୍ତ୍ତନ ଆଣି ୨୦୧୬ରେ ସଂଶୋଧନ କରିଥିଲା। ଏହି ସମୟରେ ଲମ୍ବା ଚଉଡ଼ା ଯୋଜନା କରି ନୂଆ ନିୟମ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ତିନି ବର୍ଷ ମଧ୍ୟରେ ଏହାକୁ ଲାଗୁ କରାଯାଇପାରିଲାନି। ପୁରୁଣା ବ୍ୟବସ୍ଥା ଅନୁଯାୟୀ ପାର୍କିଂସ୍ଥଳୀ ଆବଣ୍ଟନ ହେଉଛି ଓ ଫି’ ବି ଆଦାୟ ହେଉଛି। ତେଣୁ ନୂଆ ନିୟମକୁ ବିଏମ୍‌ସି କିପରି ଲାଗୁ କରୁଛି ତାହା ଦେଖିବାକୁ ରାଜଧାନୀବାସୀ ‌ଅପେକ୍ଷା କରିଛନ୍ତି।

୮ ପ୍ୟାକେଜ୍‌ରେ ରହିବ ୩୧ଟି ପାର୍କିଂ ଅଞ୍ଚଳ

ନୂଆ ପାର୍କିଂ ନୀତି ଆସିବା ପୂର୍ବରୁ ରାଜଧାନୀରେ ଭୁଶୁଡ଼ି ପଡ଼ିଥିବା ଟ୍ରାଫିକ ବ୍ୟବସ୍ଥାକୁ ସଜାଡ଼ିବାକୁ ବିଏମ୍‌ସି ୮ଟି ପ୍ୟାକେଜ୍‌ରେ ୩୧ଟି ପାର୍କିଂସ୍ଥଳୀକୁ ଆବଣ୍ଟନ କରିବା ସହ ୨୫ଟି ପାର୍କିଂସ୍ଥଳୀ ପାଇଁ ନିଲାମ ଡାକିବାକୁ ନିଷ୍ପତ୍ତି ନେଇଛି। ସେପ୍ଟେମ୍ବର ୨୭ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ପାର୍କିଂସ୍ଥଳୀ ଆବଣ୍ଟନ ହେବ। ବର୍ଷକ ପାଇଁ ଏହି ନିୟମ ଲାଗୁ ହେବ ବୋଲି ଜଣାପଡ଼ିଛି। ବିଏମ୍‌ସି କର୍ତ୍ତୃପକ୍ଷ ନୂଆ ପାର୍କିଂ ନୀତି ଯେବେ ଲାଗୁ କରିବେ ସେହି ସମୟରେ ଏହା ଉପରେ ବିଚାର କରିବାକୁ ବି ଯୋଜନା ଅଛି।

ବିଏମ୍‌ସି ପକ୍ଷରୁ ୧୦୦ମିଟର ପରିଧିକୁ ନେଇ ଗୋଟିଏ ଲେଖାଏଁ ପ୍ୟାକେଜ୍ କରାଯାଇଛି। ଏଥିରେ ପ୍ୟାକେଜ୍‌ ୧ରେ ଶିଶୁ ଭବନରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ରହିଛି। ଏଥିରେ ସେହିଭଳି ପ୍ୟାକେଜ୍ ୨ରେ ଶ୍ରୀ ଲେଦରରୁ ଅଶୋକା ମାର୍କେଟ୍‌, ପ୍ୟାକେଜ୍‌ ୩ରେ ମାଷ୍ଟର କ୍ୟାଣ୍ଟିନରୁ ଶ୍ରୀୟା ଛକ, ପ୍ୟାକେଜ୍ ୪ରେ ଶ୍ରୀୟ ଛକରୁ ହୋଟେଲ ମାରିଅନ ରହିଛି। ଏଥିରେ ଶ୍ରୀୟା ଛକରୁ ପଣ୍ଡା ଲାଇଫ୍‌ ଷ୍ଟାଇଲ୍‌ ପର୍ଯ୍ୟନ୍ତ ଅଞ୍ଚଳ ଯାଉଛି। ପ୍ୟାକେଜ୍-୪ରେ ଖାରବେଳନଗର, ସତ୍ୟନଗର ଓ ସହିଦନଗରର କିଛି ଅଞ୍ଚଳ ଯାଉଛି। ପ୍ୟାକେଜ୍‌-୫ରେ ସହିଦନଗର ଅଞ୍ଚଳ, ପ୍ୟାକେଜ୍‌-୬ରେ ୟୁନିଟ-୧ ଅଞ୍ଚଳ, ପ୍ୟାକେଜ୍-୭ରେ ଭୌମ ନଗର, ପ୍ୟାକେଜ୍-୮ରେ ୟୁନିଟ-୪ ଅଞ୍ଚଳ ଯାଉଛି। ବାକି ୨୫ଟି ସ୍ଥାନରେ ଗୋଟିକିଆ ପାର୍କିଂ ସ୍ଥଳ ଆବଣ୍ଟନ ହେବ। ଗୋଟିଏ ପ୍ୟାକେଜ୍ ଅଞ୍ଚଳରେ ଲୋକମାନେ ବାରମ୍ବାର ଗାଡ଼ି ପାର୍କିଂ କଲେ ବି ଗୋଟିଏ ଟିକେଟ୍‌ କାଟିବେ। ଏ‌ଠାରେ ଗୋଟିଏ ଟିକେଟ୍‌ର ବୈଧତା ୪ଘଣ୍ଟା ରହିବ। କେବଳ ଚାରିଚକିଆ ହାଲୁକା ଗାଡ଼ି (କାର୍‌) ପାଇଁ ପାର୍କିଂ ଅବଧି ୨ଘଣ୍ଟା ରହିବ ବୋଲି ଜଣାପଡ଼ିଛି।

ବିଏମ୍‌ସି ଦୁଇ ବର୍ଷ ତଳେ ଏହି ପ୍ୟାକେଜ୍ ପାର୍କିଂ ବ୍ୟବସ୍ଥା ଲାଗୁ କରିଥିଲେ ହେଁ କେହି ନିଲାମ ନେଇଥିଲେ। ସେତେବେଳେ ୪ଟି ପ୍ୟାକେଜ୍‌ରେ ପୂରା ରାଜଧାନୀର ପାର୍କିଂ ବ୍ୟବସ୍ଥା ଥିବା ବେଳେ ଏବେ ଏହାକୁ ଭାଙ୍ଗି ୮ଟି ପ୍ୟାକେଜ୍ କରାଯାଇଛି ଏବଂ ୨୫ଟି ଗୋଟିକିଆ ନିଲାମ ଡାକିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର