ସାଇବର ଠକଙ୍କ ନୂଆ ଚାଲ୍, ଯୁବକଙ୍କ ନଗ୍ନ ଭିଡିଓ ରେକର୍ଡ କରି ବ୍ଲାକ୍‌ମେଲିଂ

ଟଙ୍କା ନ ପଠାଇଲେ ଭିଡିଓ ଭାଇରାଲ୍‌ କରିଦେବାକୁ ଧମକ

ଭୁବନେଶ୍ବର: କେନ୍ଦୁଝର ବଡ଼ବିଲ୍ ଥାନା ଅଞ୍ଚଳର ଜଣେ ଯୁବକଙ୍କ ନଗ୍ନ ଭିଡିଓ ରେକର୍ଡିଂ କରି ସାଇବର ଠକ ତାଙ୍କୁ ବ୍ଲାକ୍‌ମେଲ୍ କରିବା ଆରମ୍ଭ କରିଛି। ଅନ୍‌ଲାଇନ୍‌ରେ ଆକାଉଣ୍ଟ ନମ୍ବରକୁ ଟଙ୍କା ନ ପଠାଇଲେ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ସାର୍ବଜନୀନ କରିଦେବ ବୋଲି ଧମକ ମଧ୍ୟ ଦେଇଛି। ବଡ଼ କଥା ହେଉଛି, ଆଜି ଗୋଟିଏ ଦିନରେ ବଡ଼ବିଲ୍ ଥାନାର ଦୁଇଟି ଅଞ୍ଚଳରେ ଏଭଳି ଘଟଣା ହୋଇଛି। ମାତ୍ର ଲୋକଲଜ୍ଜା ଭୟରେ ପୀଡ଼ିତମାନେ ଥାନାରେ ଅଭିଯୋଗ କରିନଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, କିଛିଦିନ ତଳେ ଯୁବକଙ୍କୁ ଫେସବୁକରେ ଏକ ଅଜଣା ଆଇଡିରୁ ଫ୍ରେଣ୍ଡ ରିକ୍ବେଷ୍ଟ ଆସିଥିଲା। ଆଇଡିରେ ଏକ ସୁନ୍ଦର ଯୁବତୀଙ୍କ ଫଟୋ ଥିଲା। ପରେ ଯୁବତୀ ତାଙ୍କୁ ମେସେଂଜର୍ ଜରିଆରେ ପ୍ରେମ ନିବେଦନ କରିଥିଲେ। ଏହା ପରେ ଉଭୟ ନମ୍ବର ଆଦାନ ପ୍ରଦାନ କରି ହ୍ବାଟ୍ସଆପ୍ ଜରିଆରେ ନଗ୍ନ ଭିଡିଓ ଚାଟିଂ କରିବେ ବୋଲି ସ୍ଥିର କରିଥିଲେ। ଏହା ପରେ ଯୁବକ ଜଣକ ହ୍ବାଟ୍‌ସାଆପ୍‌ରେ ନିଜର ନଗ୍ନ ଭିଡିଓରେ ଚାଟିଂ କରୁଥିବା ବେଳେ ଅପରପକ୍ଷରୁ ଜଣେ ଯୁବତୀଙ୍କ ନଗ୍ନ ଭିଡିଓର ରେକର୍ଡିଂ କେବଳ ଦେଖିବାକୁ ମିଳିଥିଲା। ପରେ ହ୍ୟାକର୍ ଯୁବକଙ୍କ ଭିଡିଓକୁ ରେକର୍ଡିଂ କରି ମାତ୍ର ୩୧୫୦ ଟଙ୍କା ମାଗିଥିଲା। ସେଥିରୁ ୧୫୦ ଟଙ୍କା ଟ୍ରାନ୍‌ଜାକ୍ସନ୍ ଚାର୍ଜେସ୍ ଥିବା ବେଳେ ବାକି ୩ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ପୁନଃ ଫେରିଯିବ ବୋଲି ହ୍ୟାକର୍ କହିଥିଲା। ମନର ବିଶ୍ବାସ ଜନ୍ମାଇବା ପାଇଁ ହ୍ୟାକର୍ ତାଙ୍କୁ ଏକ ନମ୍ବରରେ ଗୁଗୁଲ୍ ପେ’ ନଚେତ୍ ଫୋନ୍ ପେ’ କରିବାକୁ କହିଥିଲା। ମାତ୍ର ଯୁବକ ଜଣକ ଏହା ନ କରିବାରୁ ସେ ଭିଡିଓକୁ ସବୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଦେବ ବୋଲି ଧମକ ଦେଇଥିଲା।

ଏହା ପରେ ୟୁଟ୍ୟୁବ୍ ଚ୍ୟାନେଲ୍‌ର ହେମନ୍ତ ମଲହୋତ୍ରା ନାମରେ ଜଣେ ୟୁଟ୍ୟୁବର୍ ଯୁବକଙ୍କୁ ହ୍ବାଟ୍‌ସଆପ୍‌ ଜରିଆରେ ମେସେଜ୍ କରି କିଛି ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହା ଛାଡ଼ିବେ ବୋଲି କହିଥିଲେ। ଏହା ସହ ପରିବାର ଲୋକ, ସାଙ୍ଗ, ସଂପର୍କୀୟଙ୍କୁ ମଧ୍ୟ ଏହି ନଗ୍ନ ଭିଡିଓ ପଠାଇବେ ବୋଲି ଧମକ ଦେଇଛନ୍ତି। ଏ ନେଇ ଯୁବକ ଜଣକ ଖୁବ୍ ଚିନ୍ତିତ ଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା କ୍ରାଇମ୍‌ ବ୍ରାଞ୍ଚର ଅତିରିକ୍ତ ମହାନିର୍ଦ୍ଦେଶକ ପୂର୍ବରୁ ଏଭଳି ସାଇବର ଠକେଇ ନେଇ ସତର୍କ ସୂଚନା ଜାରି କରିଥି‌ଲେ। ଏହି ଭଳି ଅନେକ ଘଟଣା ଲୋକଲୋଚନକୁ ଆସିବା ପରେ ବିଜ୍ଞପ୍ତି ଜାରି କରି ପୁଲିସ୍ ଲୋକଙ୍କୁ ସଚେତନ କରିଥିଲେ ମଧ୍ୟ ଲୋକେ ଚେତୁନାହାନ୍ତି। ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି,ଏଭଳି ସାଇବର ଠକେଇକୁ ସାମାଜିକ ଗଣମାଧ୍ୟମରେ ଡାର୍ଟି ଟକ୍ ବା ନ୍ୟୁଡ୍ କଲ୍ ସ୍କାମ୍ କୁହାଯାଏ ଏବଂ ବୈଷୟିକ ଭାଷାରେ ‘ସେକ୍ସଟ୍ରୋକ୍ସନ’କୁହାଯାଏ। ଏଥିରୁ ନିଜକୁ ରକ୍ଷା କରିବାକୁ ବା ସଚେତନ ରହିବାକୁ ହେଲେ ନିଜ ସାମାଜିକ ଗଣମାଧ୍ୟମ ଆଇଡିକୁ ଲକ୍ କରିବା ସହ ଅଜଣା ଲୋକଙ୍କ ରିକ୍ବେଷ୍ଟ ଆସିଲେ ଗ୍ରହଣ କରନ୍ତୁ ନାହିଁ। ଏହା ସହିତ ସାମାଜିକ ଗଣମାଧ୍ୟମରେ କାହା ସହ ସେକ୍ସଟ୍ରୋକ୍ସନ ବା ଅଶ୍ଳୀଳ ଚାଟିଂ କରନ୍ତୁ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ହ୍ୟାକର୍ ପଠାଇଥିବା କ୍ୟୁଆର୍ କୋଡ୍ ସ୍କାନ୍ କରିବା ମାତ୍ରେ ଆପଣଙ୍କ ଆକାଉଣ୍ଟରୁ ଆପେ ଆପେ ଟଙ୍କା କଟିଯିବ। ପଇସା ପାଇବା ଆଶାରେ ଯଦି ଆପଣ କୌଣସି ଅଜଣା ବ୍ୟକ୍ତି ଦେଇଥିବା କ୍ୟୁଆର୍ କୋଡ୍ ସ୍କାନ୍ କରିବେ ତେବେ ନିଜ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର