ନୂଆ ପୁଲିସ କମିସନର୍‌ଙ୍କ ପାଇଁ କ’ଣ ରହିବ ଚ୍ୟାଲେଞ୍ଜ

ଆଜି ଯୋଗ ଦେବେ ଆଇପିଏସ୍‌ ସତ୍ୟଜିତ୍‌ ମହାନ୍ତି

ଭୁବନେଶ୍ୱର: ଆସନ୍ତାକାଲି ନୂଆ ପୁଲିସ କମିସନର୍‌ ଭାବେ ଯୋଗ ଦେବେ ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସତ୍ୟଜିତ ମହାନ୍ତି। କୋରାପୁଟ, ଜୟପୁର ଏସ୍‌ଡିପିଓଠାରୁ ଆରମ୍ଭ କରି କେନ୍ଦ୍ରାଞ୍ଚଳ, ଉତ୍ତରାଞ୍ଚଳ, ପଶ୍ଚିମଞ୍ଚାଳ ଡିଆଇଜି, ପଶ୍ଚିମଞ୍ଚାଳ ଆଇଜି ସମେତ ଅନେକ ପଦ ପଦବିରେ ରହି ଆସିଛନ୍ତି ସେ। ଏବେ ସେ ପୁଲିସ କମିସନର୍‌ ଭଳି ଗୁରୁ ଦାୟିତ୍ୱ ନେବେ। ନୂଆ ପୁଲିସ କମିସନର୍‌ ସତ୍ୟଜିତଙ୍କ ପାଇଁ କମିସନରେଟ ପୁଲିସରେ ରହିଛି ଅନେକ ଚ୍ୟାଲେଞ୍ଜ। କିଭଳି ସେ ଏହି ଚ୍ୟାଲେଞ୍ଜ ସବୁକୁ ଗ୍ରହଣ କରି ଆଗକୁ ବଢ଼ିବେ ତାହା ଦେଖିବାକୁ ବାକି ରହିଲା। ଆସନ୍ତୁ ଜାଣିବା ନୂଆ ପୁଲିସ କମିସନର୍‌ଙ୍କ ପାଇଁ କେତେକ ପ୍ରମୁଖ ଚ୍ୟାଲେଞ୍ଜ।

ହକି ବିଶ୍ୱକପ
ପୁଲିସ କମିସନର୍‌ ଭାବେ ସତ୍ୟଜିତ ଯୋଗ ଦେଉଦେଉ ତାଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ ହେବ ହକି ବିଶ୍ୱକପ। ଆସନ୍ତା ନଭେମ୍ବର ୨୮ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ ଡିସେମ୍ବର ୧୬ରେ ଶେଷ ହେବ। ଏହି ସମୟରେ କଳିଙ୍ଗ ଷ୍ଟାଡିୟମ୍‌, ଖେଳାଳି ଓ ଅଫିସିଆଲ୍‌ଙ୍କ ସୁରକ୍ଷା, ଟ୍ରାଫିକ୍‌ ନିୟନ୍ତ୍ରଣ ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ। ସୁରଖୁରୁରେ ବିଶ୍ୱକପ ଆୟୋଜନ କରାଇ ପାରିଲେ ସତ୍ୟଜିତ ରାଜ୍ୟ ସରକାରଙ୍କ ପ୍ରଶଂସାର ପାତ୍ର ହୋଇ ପାରିବେ।

ଭିଭିଆଇପି ସୁରକ୍ଷା
ଆସନ୍ତା ବର୍ଷ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରର ହେଭିେଓ୍ଵଟ ନେତା ଓଡ଼ିଶା ଆସିବେ। ଏହା ଛଡ଼ା ମଝିରେ ମଝିରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ମଧ୍ୟ ଓଡ଼ିଶା ଆସିିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେମାନଙ୍କ ସୁରକ୍ଷା, ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଉଠିବ ପ୍ରଶ୍ନ। ଏହା ହେବ ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ।

ସାଇବର୍‌ ଅପରାଧ
ସାଇବର ଅପରାଧ ଏବେ କମିସନରେଟ୍‌ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ବିଶେଷକରି ଭାଇରାଲ୍‌ ଭିଡିଓ ଏବେ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହେଲାଣି। ଏହା ଛଡ଼ା ଏଟିଏମ୍‌ ଠକେଇ, ବ୍ୟାଙ୍କ ଠକେଇ ଭଳି ଏକାଧିକ ସାଇବର୍‌ ଅପରାଧ ମଧ୍ୟ ବଢ଼ି ଚାଲିଛି ଦ୍ୱୈତନଗରୀରେ।

ଡ୍ରଗ୍‌ସ କାରବାର
ରାଜଧାନୀ କିଛି ଯୁବପିଢ଼ି ଏବେ ଡ୍ରଗ୍‌ସ ଭଳି ମାରାତ୍ମକ ନିଶା କବଳରେ ପଡ଼ିଯାଇଛନ୍ତି। ଗଳି କନ୍ଦିରେ ମିଳୁଛି ଏହି ଜହର। କମିସନରେଟ୍‌ ପୁଲିସ ଓ ଅବକାରୀ ବିଭାଗ ପ୍ରତ୍ୟେକ ଦିନ ଡ୍ରଗ୍‌ସ କାରବାର କରୁଥିବା ବେପାରୀଙ୍କୁ ଗିରଫ କରିବା ସହିତ କେଜି କେଜି ବ୍ରାଉନସୁଗାର ଜବତ କରୁଛି। ଚଢ଼ଉ ଚାଲିଛି ବେପାର ବି ବଢ଼ିଛି। ହଳଦୀପଡ଼ିଆକୁ ଛାଡ଼ି ଦେଲେ ଏବେ ଖଣ୍ଡଗିରି, ଶ୍ରୀଲିଙ୍ଗରାଜ, ଇନ୍‌ଫୋସିଟି, ମଞ୍ଚେଶ୍ୱର ଥାନା ଅଧୀନ ବିଭିନ୍ନ ସ୍ଥାନରେ ଡ୍ରଗ୍‌ସ କାରବାର ହେଉଛି। ବର୍ତମାନର ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଡ୍ରଗ୍‌ସ ମାଫିଆଙ୍କ ବିରୋଧରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମଧ୍ୟ କାରବାର ସଂପୂର୍ଣ ଭାବେ ବନ୍ଦ କରି ପାରି ନାହାନ୍ତି। ଏପରିକି ନିଶା କାରବାର ମୂଳ ଯାଏ କମିସନରେଟ୍‌ ପୁଲିସ ପହଞ୍ଚି ପାରିନାହିଁ।

ନାବାଳିକା ଓ ମହିଳାଙ୍କ ସୁରକ୍ଷା
ଦ୍ୱୈତନଗରୀରେ ନାବାଳିକା ଓ ମହିଳାଙ୍କ ସୁରକ୍ଷା ନୂଆ ପୁଲିସ କମିସନର୍‌ ସତ୍ୟଜିତଙ୍କ ପାଇଁ ଏକ ଆହ୍ଵାନ। ୪ ବର୍ଷରେ ୫ ଗୁଣା ବଢ଼ିଛି ଦୁଷ୍କର୍ମ। କେବଳ ଦୁଷ୍କର୍ମ କାହିଁକି ଦୁଇ ସହରରେ ଅସଦାଚରଣ ଭଳି ଘଟଣା ମଧ୍ୟ ବଢ଼ି ବଢ଼ି ଚାଲିଛି। ନାରୀ ସୁରକ୍ଷା ଏବେ କମିସନରେଟ୍‌ ପୁଲିସ ପାଇଁ ବିରାଟ ଚିନ୍ତାର କାରଣ ପାଲଟିଛି। ଏହା ନୂଆ ପୁଲିସ କମିସନର୍‌ ସତ୍ୟଜିତଙ୍କ ପାଇଁ ହେବ ଆଉ ଏକ ଚ୍ୟାଲେଞ୍ଜ।

ଜମି ମାଫିଆ
ଭୁବନେଶ୍ୱର ଓ କଟକରେ ଏବେ ଜମି ମାଫିଆ ଓ ବିଲଡର୍‌ମାନେ ସକ୍ରିୟ। ଜମି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରିଛନ୍ତି ଏହି ବିଲଡର୍‌। ଏମିତି କେଉଁ ଦିନ ନାହିଁ, ଯେଉଁ ଦିନ ବିଲଡର୍‌ମାନଙ୍କ ବିରୋଧରେ ଥାନାକୁ ଅଭିଯୋଗ ଆସୁନାହିଁ। କିନ୍ତୁ ପୁଲିସ ବିଭିନ୍ନ ସମୟରେ ଜମି ମାଫିଆ ଓ ବିଲଡର୍‌ମାନଙ୍କୁ ସମର୍ଥନ କରୁଥିବାରୁ ଅନେକ ସମାଲୋଚିତ ହୋଇଛି। ସାଧାରଣ ଲୋକ ମଧ୍ୟ ପୁଲିସ ଉପରୁ ଭରସା ତୁଟାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର