ଭୁବନେଶ୍ବର: ରାଜଧାନୀରେ ଷ୍ଟ୍ରିଟ୍ କ୍ରାଇମ୍ ଉପରେ ରୋକ୍ ଲଗାଇବା ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛି। ଏଥିପାଇଁ ପୁଲିସ୍ ପକ୍ଷରୁ ଆଜି ଷ୍ଟ୍ରିଟ୍ କ୍ରାଇମ୍ ହେଲ୍ପ-ଡେସ୍କ ନମ୍ବର(୭୦୭୭୭୯୮୧୧୧) ଜାରି କରାଯାଇଛି। ଏହି ହେଲ୍ପ ଲାଇନ୍ ଜରିଆରେ ସାଧାରଣ ଲୋକେ ଯେକୌଣସି ଅପରାଧ ସଂପର୍କିତ ଖବର ଦେଇପାରିବେ। ଖବର ପାଇବା ମାତ୍ରେ ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।
ସୂଚନାଯୋଗ୍ୟ, ରାଜଧାନୀରେ ଏବେ ବିଭିନ୍ନ ସ୍ଥାନରେ ଅସାମାଜିକଙ୍କ ଖଟି ଜମୁଛି। ସେହିଠାରୁ ହିଁ ଛୋଟବଡ଼ ଅପରାଧର ମଞ୍ଜି ବୁଣା ହେଉଛି। ସେମାନେ ମଦ, ଗଂଜେଇ, ବ୍ରାଉନସୁଗାର ଖାଇବା ସହ ସାଧାରଣ ଲୋକଙ୍କ ପାଇଁ ବିପଦର କାରଣ ସାଜୁଛନ୍ତି। ଅପରାଧ ଘଟି ସାରିବା ପରେ ପୁଲିସ୍ ଖବର ପାଇବା ବେଳକୁ ବହୁତ ଡେରି ହୋଇଯାଉଛି। ସେତେବେଳକୁ ଅପରାଧୀମାନେ ଫେରାର୍ ହୋଇଯାଉଛନ୍ତି। ତେଣୁ ଅପରାଧ ସଂଘଟିତ ହେବା ପୂର୍ବରୁ ତାକୁ କିପରି ଅଟକା ଯାଇପାରିବ ତଥା ଅପରାଧୀଙ୍କ ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ, ତା’ ଉପରେ ଗୁରୁତ୍ବ ଦେଇ ଆଜି ଉପରୋକ୍ତ ହେଲ୍ପ-ଡେସ୍କ ନମ୍ବର ଜାରି କରାଯାଇଛି। କେଉଁଠି ଅସାମାଜିକମାନେ ମେଳି ବାନ୍ଧି ଖଟି କରୁଥିଲେ କିମ୍ବା ମୋବାଇଲ୍, ଟଙ୍କା ଛିନ୍ତାଇ, ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ମଦ୍ୟପାନ, ଜୁଆ, ବ୍ରାଉନସୁଗାର ବେପାର ଚାଲୁଥିଲେ, ସେ ସଂପର୍କରେ ଲୋକେ ସିଧାସଳଖ ଉପରୋକ୍ତ ନମ୍ବରରେ ଅଭିଯୋଗ କରିପାରିବେ ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/65465sf46da54gad1gda132gd1d32g.jpg)
