ମେଣ୍ଢାଶାଳ: ବର୍ଷେରୁ ଅଧିକ ହେବ ଥାନା ନିର୍ମାଣ କରାଯାଇଛି। ସବୁ ପ୍ରକାର ଉପକରଣ ସହିତ ସିସିଟିଭି ମଧ୍ୟ ଲଗାଯାଇଛି। କିନ୍ତୁ ଥାନାଟିର ଉଦ୍‌ଘାଟନ ହୋଇ ନଥିବାବେଳେ ଏହା ଲୋକଙ୍କ କାମରେ ଆସୁନି। ମେଣ୍ଢାଶାଳ ଅଞ୍ଚଳରେ ଆଇନଶୃଙ୍ଖଳା ସ୍ଥିତିରେ ଉନ୍ନତି ଆଣିବା ଲକ୍ଷ୍ୟରେ ନିର୍ବାଚନ ପୂର୍ବରୁ ଗିରିଙ୍ଗାପୁଟଠାରେ  ନୂତନ ମେଣ୍ଢାଶାଳ ଶିଳ୍ପାଞ୍ଚଳ ଥାନା ନିର୍ମାଣ କରାଯାଇଥିଲା। ନବନିର୍ମିତ  ଏହି ଗୃହରେ ଲକ୍ଷାଧିକ ଟଙ୍କା ମୂଲ୍ୟର ବହୁ ଆସବାବପତ୍ର ଓ ମୂଲ୍ୟବାନ କମ୍ପ୍ୟୁଟର ରହିଛି। କିନ୍ତୁ କର୍ମଚାରୀ ନଥିବା ବେଳେ କୋଠା ମଧ୍ୟ କାମରେ ଲାଗୁନି। କେବଳ ସିସିଟିଭି ଲଗାଇ ବିଭାଗ ଦାୟିତ୍ବ ସାରିଦେଇଛି। ଅନ୍ୟପକ୍ଷରେ ପରିତ୍ୟକ୍ତ ଗୃହ ଭଳି ଏହା ମଦୁଆଙ୍କ ଆଡ଼ା ପାଲଟିଛି।

Advertisment

ଅନ୍ୟପକ୍ଷରେ ଗତ ୭ ମାସ ଧରି ମେଣ୍ଢାଶାଳ ଫାଣ୍ଡିରେ ମଧ୍ୟ ଫାଣ୍ଡି ଅଧିକାରୀ ନାହାନ୍ତି। ଏହି ଫାଣ୍ଡି ଅଞ୍ଚଳରେ ଥିବା ତିନିଟି ପଞ୍ଚାୟତର ଅଧିବାସୀ କୌଣସି ଅଭିଯୋଗ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅଞ୍ଚଳରେ ଚୋରା ଦେଶୀମଦ, ଗଞ୍ଜେଇ, ଚୋରା ମାଙ୍କଡ଼ାପଥର, ମୋରମ ଆଦି ମାଫିଆଙ୍କ ଦ୍ବାରା ଚାଲାଣ ହେଉଛି। ମେଣ୍ଢାଶାଳ ନୂତନ ଶିଳ୍ପାଞ୍ଚଳ ଥାନା କାର୍ଯ୍ୟକ୍ଷମ ହୋଇପାରିଲେ ଲୋକଙ୍କ ଆବଶ୍ୟକତା ପୂରଣ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ଏବେ ମେଣ୍ଢାଶାଳ ଫାଣ୍ଡି ଅଧିକାରୀ ନ ଥିବାରୁ ଫାଣ୍ଡି ଦାୟିତ୍ୱରେ ଦୁଇ ଜଣ କନେଷ୍ଟବଳ ଓ ପିସିଆର କର୍ମଚାରୀ ରହୁଛନ୍ତି। ଏହାର ସୁଯୋଗ ନେଇ ଏଠଶରେ ଅସାମାଜିକଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ସାଧାରଣତଃ ଅଞ୍ଚଳରେ ହେଉଥିବା ମାମଲା ଚନ୍ଦକା ଥାନାରେ ପଞ୍ଜୀକୃତ ହେଉଥିବାରୁ ଗରିବ ଲୋକେ ଚନ୍ଦକା ଥାନାକୁ ଯିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ ୧୯୮୧ ମସିହାରେ ଡେରାସ ସରକାରୀ କୃଷିଫାର୍ମରେ ତତ୍କାଳୀନ ଭୁବନେଶ୍ୱର ଏସ୍‌ପି କୁଳମଣି ଦେଓ ମେଣ୍ଢାଶାଳଠାରେ ଫାଣ୍ଡି ପ୍ରତିଷ୍ଠା କରିଥିଲେ। କିନ୍ତୁ ‌ଏବେ ଏହା କର୍ମଚାରୀ ସଂକଟର ସମ୍ମୁଖୀନ ହେଉଛି।