ବାଣୀବିହାର ଆରଓବିକୁ ନେଇ ନୂଆ ଅଡ଼ୁଆ, ପିତାପଲ୍ଲୀ ପଟେ ଟ୍ରାଫିକ୍‌ ଡାଇଭର୍ସନ ବାତିଲ

ଭିଏସ୍‌ଏସ୍‌ ନଗର ଦେଇ ଯିବ ଗାଡ଼ି, ତିଆରି ହେବ ସର୍ଭିସ ରୋଡ୍‌, ଯାଞ୍ଚ କଲା କମିଟି

ଭୁବନେଶ୍ବର: ବାଣୀବିହାର ରେଳ ଓଭର ବ୍ରିଜ୍‌ (ଆରଓବି) ନିର୍ମାଣକୁ ନେଇ ନୂଆ ଅଡ଼ୁଆ ସୃଷ୍ଟି ହୋଇଛି। ପିତାପଲ୍ଲୀରୁ ଚନ୍ଦକା ଦେଇ କଟକ ଯିବା ରାସ୍ତାରେ ଭାରୀଯାନ ଚଳାଚଳ ସମ୍ଭବ ହୋଇ ନାହିଁ। ଦୀର୍ଘ ଦିନ ଧରି କମିସନରେଟ୍‌ ପୁଲିସ ଅନୁଧ୍ୟାନ କରିବା ପ‌ରେ ଏହି ନିଷ୍କର୍ସରେ ପହଞ୍ଚିଛି। ଏଣୁ ସମସ୍ତ ଗାଡ଼ି ଏହି ଆରଓବି ପାଖରୁ ବାମପଟକୁ ବୁଲି ଭିଏସ୍‌ଏସ୍‌ ନଗର ଓ ମଞ୍ଚେଶ୍ବର ଶିଳ୍ପାଞ୍ଚଳ‌ ଦେଇ ପଳାସୁଣିରେ ବାହାରିବାକୁ ସ୍ଥିର ହୋଇଛି। ଏଥପାଇଁ ଏକ ସବ୍‌କମିଟି ଗଠନ ହୋଇଛି। ପୂର୍ତ୍ତ ସଚିବ କ୍ରିଷନ କୁମାରଙ୍କ ନେତୃତ୍ବରେ କମିଟି ଘଟଣାସ୍ଥଳ ବୁଲି ସମ୍ଭାବ୍ୟତା(ଫିଜିବିଲିଟି) ଯାଞ୍ଚ କରିଛି। ତେବେ ଭିଏସ୍‌ଏସ୍‌ ନଗର ଦେଇ ଯାଇଥିବା ରାସ୍ତାରେ ଭାରୀଯାନ ଚଳାଚଳ ଅସମ୍ଭବ ବୋଲି ଯାଞ୍ଚ ବେଳେ ଜଣାପଡ଼ିଛି। ଏଣୁ ଏହି ଆରଓବି ନିକଟରୁ ବାମପଟକୁ ଏକ ନୂଆ ସର୍ଭିସ୍‌ ରୋଡ୍‌ ତିଆରି ‌ହେବାକୁ ସ୍ଥିର କରାଯାଇଛି। ସର୍ଭିସ ରୋଡ୍‌ ତିଆରି ହେବା ପରେ ଆରଓବି ନିର୍ମାଣ ହେବ ବୋଲି ଜଣାପଡ଼ିଛି। ଫଳରେ ଆରଓବି ନିର୍ମାଣ ଅନିଶ୍ଚିତତା ଆଡ଼କୁ ଠେଲି ହୋଇଯାଇଛି।

ସୂଚନା ମୁତାବକ, ବାରଙ୍ଗରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ୪ର୍ଥ ରେଳଧାରଣା ବିଛା ଯାଉଛି। କଟକ ଯିବା ବେଳକୁ ୨୦ ମିନିଟ୍‌ ଲାଗୁଥିବା ବେଳେ ଆସିବା ପାଇଁ ଏକଘଣ୍ଟା ଲାଗୁଛି। ଏହି ନୂଆ ଧାରଣା ହେଲେ ସମୟ କମ୍‌ ଲାଗିବା ସହ ରେଳ ଟ୍ରାଫିକ୍‌ ସୁଗମ ହେବ। ୨୦୧୦ ମସିହାରୁ ବାରଙ୍ଗରୁ ବାଣୀବିହାର ଆରଓବି ଓ ଆରଓବି ପାଖରୁ ମାଷ୍ଟର କ୍ୟାଣ୍ଟିନ୍‌ ଷ୍ଟେସନ ଯାଏ ନୂଆ ଧାରଣା ବିଛା ସରିଛି। କେବଳ ଏହି ଆରଓବି ତଳେ ବାକି ରହିଛି। ୧୦ ବର୍ଷ ହେବ ଏହି ଆରଓବି ନିର୍ମାଣ ହେବାକୁ କେବଳ ଯୋଜନା ହେଉଛି। ପ୍ରଥମେ ଏନ୍‌ଏଚ୍‌ଏଆଇ (ଜାତୀୟ ରାଜପଥ କର୍ତ୍ତୃପକ୍ଷ) ଏହାକୁ ନିର୍ମାଣ କରିବାକୁ ଥିଲା। ପରେ ଏନ୍‌ଏଚ୍‌ଏଆଇ ଅମଙ୍ଗ ହେବାରୁ ଏହାକୁ ଆରଭିଏନ୍‌ଏଲ୍‌ (ରେଳ ବିକାଶ ନିଗମ ଲିମିଟେଡ୍‌) କରୁଛି। ଆରଓବି ନିର୍ମାଣ ପାଇଁ ଗୋଟିଏ ବର୍ଷ ହେଲା ଟେଣ୍ଡର ମଧ୍ୟ ସରିଛି। ହେଲେ ଏହି ଟ୍ରାଫିକ୍‌ ଡାଇଭର୍ସନ ଅଡ଼ୁଆ ଏବେ ପ୍ରକଳ୍ପକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ନୂଆ ସର୍ଭିସ ରୋଡ୍‌ ତିଆରି ହେବ, ସେଥିରେ ଭାରିଯାନ ସମେତ ଦୈନିକ ଯାତ୍ରୀବାହୀ ବସ୍‌ ଓ ଅନ୍ୟାନ୍ୟ ଗାଡ଼ି ଚାଲିବ, ତା’ ପରେ ଯାଇ ଏହି ଆରଓବି ନିର୍ମାଣ ହେବ। ସର୍ଭିସ୍‌ ରୋଡ୍‌ ତିଆରି କରିବାକୁ ହେଲେ ତାରିଣୀ ବସ୍ତିକୁ ଉଠାଇବାକୁ ପଡ଼ିବ। ଯଦିଓ ବସ୍ତିବାସିନ୍ଦାଙ୍କୁ ଏ ବାବଦରେ ନୋଟିସ୍‌ ଦିଆସରିଛି ତଥାପି ବସ୍ତି ଉଠାଇବା ଏତେ ସହଜ ହେବ ନାହିଁ। ସର୍ଭିସ ରୋଡ୍‌ ତିଆରି ହେଲେ ମଧ୍ୟ ପଳାସୁଣି ନିକଟରେ ଜାତୀୟ ରାଜପଥକୁ ଗାଡ଼ି ବାହାରିବାକୁ ହେଲେ ସେଠାରେ ରାସ୍ତା ପ୍ରଶସ୍ତ ହେବା ଜରୁରୀ। ଏଣୁ ଏହି ସବୁ ସମସ୍ୟା ଏବେ ୩୦ କୋଟିର ପ୍ରକଳ୍ପ ପାଇଁ କଣ୍ଟା ହୋଇ ଛିଡ଼ା ହୋଇଛି। ପ୍ରଥମେ ଏହି ବ୍ୟବସ୍ଥା ନ କରି ଆରଭିଏନ୍‌ଏଲ୍‌ କାହିଁକି ଟେଣ୍ଡର କଲା ସେ ନେଇ ପ୍ରଶ୍ନ ଉଠିଛି।

ସୂଚନା ମୁତାବକ, ବାରଙ୍ଗ ଠାରୁ ରେଳ ଧାରଣା ୪ଥାକିଆ ରହିଛି। ଟ୍ରାଫିକ୍‌ ସମସ୍ୟା ଓ ମାଲ୍‌ବାହୀ ରେଳର ସ୍ବତନ୍ତ୍ର ଧାରଣା ବ୍ୟବସ୍ଥା କରିବାକୁ ଭୁବନେଶ୍ବରରୁ ବାରଙ୍ଗ ପର୍ଯ୍ୟନ୍ତ ୪ ଥାକିଆ ରେଳ ଧାରଣା କରିବାକୁ ଯୋଜନା ହୋଇଥିଲା। ବାରଙ୍ଗ ଠାରୁ ବାଣୀବିହାର ଆରଓବି ପର୍ଯ୍ୟନ୍ତ ନିର୍ମାଣ କାମ ସରିଯିବା ପରେ ପୁରୁଣା ବାଣୀବିହାର ଆରଓବିକୁ ଚଉଡ଼ା କରିବାକୁ ସ୍ଥିର ହୋଇଥିଲା। ଏହି ପୋଲ ଏବେ ୧୮ ମିଟର ରହିଛି। ଏହାକୁ ୪୬ ମିଟର କରାଯିବାକୁ ସ୍ଥିର ହୋଇଥିଲା। ଏହା ଉପରେ ଏକ ପାନୀୟ ଜଳ ପାଇପ୍‌ ଲାଇନ୍‌ ଯାଇଛି। ତାହାକୁ ମଧ୍ୟ ଏହି ପୋଲ ଅନୁସାରେ ଲମ୍ବା କରିବାକୁ ସ୍ଥିର ହୋଇଥିଲା। ଉଭୟ କାମ ପାଇଁ ୩୦ କୋଟି ଖର୍ଚ୍ଚ ହେବାକୁ ଆକଳନ କରାଯାଇଥିଲା। ୨୦୧୦ ମସିହାରୁ ଏହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେତେବେଳେ ‌ଏହାକୁ ନିର୍ମାଣ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଅଧିକୃତ ହୋଇଥିଲା। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ରେଳବାଇ ଏନ୍‌ଏଚ୍‌ଏଆଇକୁ ଅର୍ଥ ମଧ୍ୟ ପୈଠ କରିଥିଲା। କିନ୍ତୁ ୨୦୧୮ ମସିହାରେ ଏନ୍‌ଏଚ୍‌ଏଆଇ କରିବା ପାଇଁ ମନା କରିଦେବା ସହ ଅର୍ଥ ଫେରାଇ ଦେଇଥିଲା। ରେଳବାଇ ପକ୍ଷରୁ ଏହାକୁ ଆରଭିଏନ୍‌ଏଲ୍‌ ନିର୍ମାଣ କରିବାକୁ ଗତବର୍ଷ ଟେଣ୍ଡର କରିଛି। କିନ୍ତୁ ଏହି ନୂଆ ଅଡ଼ୁଆ ସବୁ ପ୍ରକଳ୍ପ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛି।

ସମ୍ବନ୍ଧିତ ଖବର