ଟିପି ସ୍କିମ୍‌ରେ ନୂଆ ଅଡ଼ୁଆ: ହିତାଧିକାରୀଙ୍କ ଜମିର କିସମ ପରିବର୍ତ୍ତନ କିଏ କରିବ?

ଶୁଳ୍କ ଛାଡ଼ ପାଇଁ ସରକାରଙ୍କୁ ଚିଠି ଲେଖିଛୁ: ବିଡିଏ

ଭୁବନେଶ୍ୱର : ବିଡିଏର ବହୁ ପ୍ରତୀକ୍ଷିତ ଟାଉନ୍ ପ୍ଲାନିଂ ଯୋଜନା (ଟିପି ସ୍କିମ୍)ରେ ଜମି ଚିହ୍ନଟୀକରଣ(ଡିମାର୍କେସନ) ପ୍ରକ୍ରିୟା ଆରମ୍ଭ ହୋଇଛି। ଦୀର୍ଘ ଦିନ ପରେ ସ୍କିମ୍‌ ତ୍ବରାନ୍ବିତ ହୋଇଥିବାରୁ ହିତାଧିକାରୀ ଉତ୍ସାହିତ ହୋଇଛନ୍ତି। ହେଲେ ଏହି ଯୋଜନାରେ ଏବେ ନୂଆ ଅଡ଼ୁଆ ସାମ୍ନାକୁ ଆସିଛି। ବିଡିଏ ହିତାଧିକାରୀଙ୍କୁ ଯେଉଁ ପଟ୍ଟା ପ୍ରଦାନ କରିଛି; ତାହାର କିସମ ପୂର୍ବରୁ ଯାହା ଥିଲା ତାହା ଅପରିବର୍ତ୍ତିତ ରହିଛି। ସେଠାରେ ଅଧିକାଂଶ ଜମିର କିସମ ଚାଷ ରହିଛି। ଫଳରେ କିସମ ପରିବର୍ତ୍ତନ ନ ହେଲେ ଘର ତିଆରି ହୋଇପାରିବ ନାହିଁ। ବିଡିଏ କେବଳ ନିଜେ ନେଇଥିବା ଜମିର କିସମ ପରିବର୍ତ୍ତନ କରୁଛି, କିନ୍ତୁ ଲୋକଙ୍କ ଜମିର କରୁନାହାନ୍ତି। ଏଣେ ହିତାଧିକାରୀ ମଧ୍ୟ କରୁନାହାନ୍ତି। ଫଳରେ ଏହି ସ୍କିମ୍‌ର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି।

ପାଇକରାପୁର ପ୍ରକଳ୍ପର ଜଣେ ହିତାଧିକାରୀ ମନୋଜ ରାଉତରାୟଙ୍କ ଅଭିଯୋଗ ହେଲା, ବିଡିଏ ବିଭିନ୍ନ ସମୟରେ ଏଠାରେ ବୈଠକ କରି ସମସ୍ତ ଜମିର କିସମ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଜମି ପଟ୍ଟା ସହିତ ନୂତନ ପ୍ଲଟ୍‌ର ନକ୍ସା ଓ ପଜେସନ ଦେବାକୁ ମଧ୍ୟ କହିଥିଲା। ପୂର୍ବରୁ ଏଠାରେ ଥିବା ଜମିର କିସମ ପରିବର୍ତ୍ତନ କରିବାକୁ ଡିସିମିଲ ପିଛା ୩୦ ଟଙ୍କା ପଡ଼ୁଥିବା ବେଳେ ଏବେ ପ୍ରକଳ୍ପ ଘୋଷଣା ହେବା ପରେ ଏହି ଦର ପ୍ରାୟ ୩ଶହ ଟଙ୍କାକୁ ବୃଦ୍ଧି ପାଇଛି। ଏବେ ହିତାଧିକାରୀ କିସମ ପରିବର୍ତ୍ତନ କଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ଏଣୁ ଏହା କରିବାକୁ କେହି ଚାହୁନାହାନ୍ତି। ଏଥିପାଇଁ ଆମେ ବିଡିଏ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଚିଠି ଲେଖିଛୁ। ବିଡିଏ ପ୍ରତିଶ୍ରୁତି ମୁତାବକ ଏହାର କିସମ ପରିବର୍ତ୍ତନ କରୁ କିମ୍ବା ଏଥିପାଇଁ ଧାର୍ଯ୍ୟ ହୋଇଥିବା ଶୁଳ୍କ ଛାଡ଼ କରାଯାଉ ବୋଲି ଆମେ ଦାବି କରିଛୁ। ତା’ ଛଡ଼ା ବର୍ତ୍ତମାନ ଦିଆଯାଉଥିବା ପଟ୍ଟା ସହ ପାର୍ଟ ପ୍ଲଟ୍‌ ନକ୍ସା ଦିଆଯାଉ ନାହିଁ। ଏଣୁ ପରବର୍ତ୍ତୀ ସମୟରେ ପ୍ରକାଶିତ ନକ୍ସାରେ ଅଦଳବଦଳ ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି। ଏ ନେଇ ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁଙ୍କ କହିବା କଥା ହେଲା, ହିତାଧିକାରୀଙ୍କ ଜମି କିସମ ପରିବର୍ତ୍ତନ କରିବା ପାଇଁ ଏହି ସ୍କିମ୍‌ରେ କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ହିତାଧିକାରୀମାନେ ଏ ନେଇ ଆମକୁ ଲେଖିବା ପରେ ଆମେ ସରକାରଙ୍କୁ ପ୍ରସ୍ତାବ ଦେଇଛୁ ଯେ, କିସମ ପରିବର୍ତ୍ତନ କରିବାକୁ ଧାର୍ଯ୍ୟ ହୋଇଥିବା ଶୁଳ୍କ ଏହି ଯୋଜନାର ହିତାଧିକାରୀମାନଙ୍କ ପାଇଁ ଛାଡ଼ କରାଯାଉ। ସରକାରଙ୍କ ମଞ୍ଜୁରି ମିଳିଲେ ହିତାଧିକାରୀ ଏହି ସୁବିଧା ପାଇପାରିବେ।

ଉଲ୍ଲେଖଯୋଗ୍ୟ, ସହର ଉପକଣ୍ଠରେ ସ୍ବତନ୍ତ୍ର ପ୍ଲାନିଂରେ ଘର ତିଆରି କରିବା ପାଇଁ ୬ ବର୍ଷ ତଳେ ବିଡିଏ ଟିପି ସ୍କିମ୍‌ର ଯୋଜନା କରିଥିଲେ ମଧ୍ୟ ଡିମାର୍କେସନରେ ବିଳମ୍ବ ହୋଇଥିଲା। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଡିଏ ୫ଟି ଏଜେନ୍ସି ସହାୟତାରେ ଡିମାର୍କେସନ ଆରମ୍ଭ କରିଛି। ଏବେ ବିଡିଏର ପ୍ରସ୍ତାବକୁ ସରକାର ଯଦି ସ୍ବୀକୃତି ନ ଦିଅନ୍ତି ତେବେ ପ୍ରକଳ୍ପର ଭବିଷ୍ୟତ କଣ ହେବ ସେ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର