ଭୁବନେଶ୍ୱର : କ୍ୟାପିଟାଲ୍ ହସ୍ପିଟାଲ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ପ୍ରଫେସର୍ ଓ ଜଣେ ଆସୋସିଏଟ୍ ପ୍ରଫେସରଙ୍କୁ ନିଯୁକ୍ତି ମିଳିଛି। ପିଜିଆଇ ପାଇଁ ରହିଥିବା ମାନଦଣ୍ଡ ପୂରଣ ଲାଗି ସ୍ବାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଛି। ତେବେ କିଛି ଦିନ ପୂର୍ବରୁ ପିଜିଆଇ ମାନଦଣ୍ଡ ଯାଞ୍ଚ ପାଇଁ ଆସିଥିବା ନ୍ୟାସ୍ନାଲ୍ ମେଡିକାଲ କମିସନ୍(ଏନ୍ଏମ୍ସି) ଟିମ୍ ଏନେଇ ଆପତ୍ତି ଉଠାଇବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ତତ୍ପରତା ପ୍ରକାଶ ପାଇଛି।
ପୂର୍ବରୁ ଏନ୍ଏମ୍ସି ଏହି ବିଭାଗର କର୍ମଚାରୀ ସଂଖ୍ୟାକୁ ନେଇ ଆପତ୍ତି ଉଠାଇଥିଲା। ପିଜିଆଇ ପାଇଁ ରହିଥିବା ମାନଦଣ୍ଡ ପୂରଣ ନିମନ୍ତେ ବିଭାଗରେ ଆବଶ୍ୟକ ପ୍ରଫେସର୍ ଓ କର୍ମଚାରୀ ନଥିଲେ ବୋଲି ଗତ ସପ୍ତାହରେ ଆସିଥିବା ଏନ୍ଏମ୍ସି ଟିମ୍ ଦର୍ଶାଇଥିଲେ। ଏହା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଥିଲା। ସପ୍ତାହକ ମଧ୍ୟରେ ଏହି ବିଭାଗରେ ଜଣେ ପ୍ରଫେସର୍ ଓ ଜଣେ ଆସୋସିଏଟ୍ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଦୁଇ ପଦବି ପୂରଣ ହେବା ପରେ ଆଜି ପିଜିଆଇ ନିର୍ଦ୍ଦେଶକା ଡାକ୍ତର ନିବେଦିତା ପାଣି ଡିଏମ୍ଇଟି ଜରିଆରେ ଏନ୍ଏମ୍ସିକୁ ଚିଠି ଲେଖିଥିବା ଜଣାପଡିଛି। ସେହିଭଳି ଅନ୍ୟ ବିଭାଗକୁ ମଧ୍ୟ ଏନ୍ଏମ୍ସି ଖୁବ୍ ଶୀଘ୍ର ପରିଦର୍ଶନରେ ଆସିବେ ବୋଲି ନିର୍ଦ୍ଦେଶିକା ଆଶାବାଦୀ ଅଛନ୍ତି। ଚଳିତ ଶିକ୍ଷା ବର୍ଷରେ ମୋଟ ୬ ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇପାରେ। ତେଣୁ ହସ୍ପିଟାଲ୍ର ଅନ୍ୟ ପାଞ୍ଚଟି ବିଭାଗକୁ ସମ୍ପୁର୍ଣ୍ଣ ପ୍ରସ୍ତୁତ କରାଯିବ ସହିତ ସ୍ବତନ୍ତ୍ର ପରୀକ୍ଷାଗାର, ପାଠାଗାର, ସଂଗ୍ରହାଳୟ ନିର୍ମାଣ ସରିବ ବୋଲି ସୂଚନା ମିଳିଛଇ। ଏଥିସହିତ ସମସ୍ତ ବିଭାଗରେ ମୋଟ୍ ୩୦ ଜଣ ପ୍ରଫେସର୍ମାନେ ଯୋଗ ଦେଲେଣି ବୋଲି ନିର୍ଦ୍ଦେଶିକା କହିଛନ୍ତି।
ସୂଚନାଯୋଗ୍ୟ, ଆଜି ପିଜିଆଇରେ ନୂତନ ଅଧୀକ୍ଷକ ଭାବେ ପ୍ରଫେସର ଡାକ୍ତର ସୁଜାତା ମିଶ୍ର ଯୋଗ ଦେଇଛନ୍ତି। ତାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ମୁଖ୍ୟ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ସେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଦାୟିତ୍ବ ତୁଲାଇଥିଲେ।