ଧଉଳି, ଚନ୍ଦ୍ରଶେଖରପୁର ତମାଣ୍ଡୋ ଥାନା ଅଞ୍ଚଳରେ ବୁଲିବେ ସଶସ୍ତ୍ର ପୁଲିସ
ଆବଶ୍ୟକ ସ୍ଥଳେ ଏନ୍କାଉଣ୍ଟର୍ କରାଯିବ
ଭୁବନେଶ୍ୱର : ଗତ କିଛି ମାସ ହେବ ରାଜଧାନୀ ଉପକଣ୍ଠରେ ଡକାୟତି, ରାହାଜାନୀ ଏବଂ ସିନ୍ଧି ଚୋରି ଭଳି ଘଟଣା ବଢ଼ିବାରେ ଲାଗିଛି। ଏକାଧିକ ଘଟଣାରେ ପୁଲିସ ଲୁଟେରା ଗ୍ୟାଙ୍ଗ୍କୁ ଠାବ କରିବାରେ ଅସମର୍ଥ ହୋଇଛି। ଯେଉଁ କାରଣରୁ କମିିସନରେଟ୍ ପୁଲିସ ମଧ୍ୟ ସମାଲୋଚିତ ହୋଇଛି ବର୍ଷ ଆରମ୍ଭରୁ ଆଉ ଡକାୟତି, ରାହାଜାନୀ ଏବଂ ସିନ୍ଧିଚୋରି ଭଳି ଘଟଣା ଯେପରି ନଘଟେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ଗଠନ କରିବାକୁ ଯାଉଛି ‘ଆଣ୍ଟି ଡକାୟତି ପାଟ୍ରୋଲିଂ ଟିମ୍’। ବିଶେଷକରି ରାଜଧାନୀ ଉପକଣ୍ଠ ଧଉଳି, ଇନ୍ଫୋସିଟି, ତମାଣ୍ଡୋ ଥାନା ଅଧୀନରେ ଏହି ଟିମ୍ ଘୂରି ବୁଲିବ। ସଶସ୍ତ୍ର ଯବାନ ଏହି ପାଟ୍ରୋଲିଂ ଟିମ୍ରେ ରହିବେ। ଆବ୍ୟଶ୍ୟକ ହେଲେ ଡକାୟତି ଗ୍ୟାଙ୍ଗ୍ ମୁହାଁମୁହିଁ ହେଲେ ଏନ୍କାଉଣ୍ଟ୍ର କରିବାକୁ ନିର୍ଦେଶ ଦିଆଯିବ।
କମିସନରେଟ୍ ପୁଲିସର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ହେବ ଇନ୍ଫୋସିଟି, ଚନ୍ଦ୍ରଶେଖରପୁର, ଧଉଳି, ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ନିଛାଟିଆ ଘରେ ଡକାୟତି, ରାହାଜାନୀ ଏବଂ ସିନ୍ଧିଚୋରି ଭଳି ଅପରାଧ ବଢ଼ିବାରେ ଲାଗିଛି। ରାଜ୍ୟ ବାହାରର କେତେକ ଲୁଟେରା ଗ୍ୟାଙ୍ଗ ଏଭଳି ଚୋରି, ଡକାୟତିରେ ସଂପୃକ୍ତ ଅଛନ୍ତି। ସଂପୃକ୍ତ ଗ୍ୟାଙ୍ଗ୍କୁ ଖୁବ୍ ଶୀଘ୍ର ଠାବ କରାଯିବ। କିନ୍ତୁ ଏଭଳି ଅପରାଧକୁ ଭବିଷ୍ୟତରେ ରୋକିବା ଲାଗି ‘ଆଣ୍ଟି ଡକାୟତି ପାଟ୍ରୋଲିଂ ଟିମ୍’ ଗଠନ କରାଯିବ। ଜଣେ ଏସ୍ଆଇ ଏହି ଟିମ୍ର ମୁଖ୍ୟ ରହିବେ। ତାଙ୍କ ଅଧୀନରେ ୧୨ଜଣ ସଶସ୍ତ୍ର କନ୍ଷ୍ଟେବଲ୍ କାମ କରିବେ। ଏହି ଟିମ୍ ରାତି ୧୨ଟାରୁ ସକାଳ ୪ଟା ପର୍ଯ୍ୟନ୍ତ ଉପୋରକ୍ତ ଥାନା ଅଞ୍ଚଳରେ ପାଟ୍ରୋଲିଂ କରିବେ। ପାଟ୍ରୋଲିଂ ବେଳେ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଠାବ କରାଗଲେ ସେମାନଙ୍କୁ ସ୍ଥାନୀୟ ଥାନାକୁ ନେଇ ଜେରା କରାଯିବ। ଯଦି କୌଣସି ପରିସ୍ଥିତିରେ ପାଟ୍ରୋଲିଂ ଟିମ୍ ସହିତ ଡକାୟତ ଗ୍ୟାଙ୍ଗ୍ ମୁହାଁମୁହିଁ ହେବେ ତୁରନ୍ତ ଏନ୍କାଉଣ୍ଟର କରାଯିବ।
କମିସନରେଟ ପୁଲିସର ନୂଆ ଯୋଜନା
ଏଣିକି ଓ୍ଵବସାଇଟ୍ରେ ରହିବ ଜବତ ବାଇକ୍ ଓ ମୋବାଇଲ୍ ତାଲିକା
ଭୁବନେଶ୍ୱର : ଚୋରି ଯାଇଥିବା ବାଇକ୍ ଓ ମୋବାଇଲ ଫୋନ୍ର ସନ୍ଧାନ ପାଇବା ପାଇଁ ଆଉ ଥାନାକୁ ଥାନା ଦୌଡ଼ିବାକୁ ପଡ଼ିବ ନାହିଁ। ଖୁବ୍ ଶୀଘ୍ର ଜବତ ହୋଇଥିବା ଚୋରା ବାଇକ୍ ଓ ମୋବାଇଲ୍ ଫୋନ୍ର ତାଲିକା କମିସନରେଟ୍ ପୁଲିସର ଓ୍ଵବସାଇଟ୍ରେ ରହିବ। ସେହି ଓ୍ଵବସାଇଟରୁ ତଥ୍ୟ ଦେଖି ଚୋରି ଯାଇଥିବା ବ୍ୟକ୍ତି ବିଶେଷମାନେ ଉପଯୁକ୍ତ କାଗଜପତ୍ର ଦେଖାଇ, ଥାନା ସହିତ ଯୋଗାଯୋଗ କରି ନିଜ ବାଇକ୍ ଓ ମୋବାଇଲ୍ ଫୋନ୍ ନେଇ ପାରିବେ। ଏଭଳି ସୂଚନା ଦେଇଛନ୍ତି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ।
ପୁଲିସ କମିସନର ଖୁରାନିଆଙ୍କ ସୂଚନା ଅନୁଯାୟୀ, ଦିନକୁ ଦିନ କମିସନରେଟ୍ ପୁଲିସ ଅଧୀନରେ ବାଇକ୍ ଓ ମୋବାଇଲ୍ ଫୋନ୍ ଚୋରି ବଢ଼ି ଚାଲିଛି। ସେହି ଅନୁପାତରେ ପୁଲିସ ମଧ୍ୟ ଚୋରା ବାଇକ୍ ଓ ମୋବାଇଲ ଫୋନ୍ ଜବତ କରି ଚାଲିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ବାଇକ୍ ଓ ମୋବାଇଲ୍ ଫୋନ୍କୁ କମିସନରେଟ ପୁଲିସ ଜବତ କରୁଛି। କିନ୍ତୁ ମାଲିକାନା ନେଇ ତଥ୍ୟ ଠିକ୍ରେ ମିଳୁ ନ ଥିବାରୁ ବାଇକ୍ ଓ ମୋବାଇଲ୍ ଫୋନ୍ ଫେରା ଯାଇ ପାରୁନାହିଁ।
ଗତ କିଛି ଦିନ ତଳେ କମିସନରେଟ ପୁଲିସ ପକ୍ଷରୁ ଜବତ ଜିନିଷପତ୍ରକୁ ମେଳା ମାଧ୍ୟମରେ ଫେରାଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କିନ୍ତୁ ସେଥିରେ ଏତେଟା ସଫଳ ମିଳୁନାହିଁ। ତେଣୁ କମିସନରେଟ ପୁଲିସ ପକ୍ଷରୁ ଯୋଜନା ହୋଇଛି, ଜବତ ଚୋରା ବାଇକ୍ ଓ ମୋବାଇଲ୍ ଫୋନ୍ର ତାଲିକାକୁ କମିସନରେଟ ପୁଲିସର ଓ୍ଵବସାଇଟ୍ ‘ଭୁବନେଶ୍ୱର-କଟକ ପୋଲିସ ଡଟ୍ ଇନ୍’ରେ ପ୍ରଦାନ କରାଯିବ। ଏହି େଓ୍ଵବସାଇଟ୍କୁ ଯାଇ ଜଣେ ନିଜର ଚୋରି ହୋଇଥିବା ବାଇକ୍ କିମ୍ବା ମୋବାଇଲ୍ ସମ୍ପର୍କରେ ସମସ୍ତ ତଥ୍ୟ ପାଇ ପାରିବ। କେଉଁ ଥାନା ପୁଲିସ ଜବତ କରିଛି ତାହା ମଧ୍ୟ ସେମାନେ ଓ୍ଵବସାଇଟ୍ରୁ ଜାଣି ପାରିବେ। ପରେ ଥାନାକୁ ଯାଇ ବାଇକ୍ ଓ ମୋବାଇଲ୍ ଫୋନ୍ ଉପଯୁକ୍ତ କାଗଜପତ୍ର ଦେଖାଇ ଆଣି ପାରିବେ ବୋଲି ପୁଲିସ କମିସନର ଖୁରାନିଆ କହିଛନ୍ତି।