ନୂଆ ଗୀତର ମିଠା ଅନୁଭବ

ପରିବେଷଣ ହେଲା ‘ଦୁଇ ଦଶନ୍ଧିର ଭଲ ଗୀତ’

ଭୁବନେଶ୍ୱର: ଜୟଦେବ ଭବନ ମଞ୍ଚରେ ପରିବେଷିତ ହେଉଥିଲା ନୂଆ ଓଡ଼ିଆ ଗୀତ। ସବୁ ଗୀତ ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରସ୍ତୁତ ହୋଇଛି। ଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ ବର୍ତମାନ ସମୟର ଲୋକପ୍ରିୟ କଣ୍ଠଶିିଳ୍ପୀମାନେ। ନିଜେ ଗାଇଥିବା ଗୀତ ମଧ୍ୟରୁ ଶ୍ରେଷ୍ଠ ଗୀତଗୁଡ଼ିକୁ ମଞ୍ଚରେ ପରିବେଷଣ କରି ସେମାନେ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ। ଏବେ ବି ଉଚ୍ଚକୋଟୀର ଓ ଭାବପୂର୍ଣ୍ଣ ଗୀତ ପ୍ରସ୍ତୁତ ହୋଇଛି, ତାହା ଶ୍ରୋତାମାନେ ଅନୁଭବ କରୁଥିଲେ। ଅବସର ଥିଲା ‘ସମାଜ ଓ ସଂସ୍କୃତି’ ପକ୍ଷରୁ ନିଆରା ସଙ୍ଗୀତ ଆସର ‘ଗତ ଦୁଇ ଦଶନ୍ଧିର ଭଲ ଗୀତ’। ଗତ ୨୦ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଥିବା କିଛି ଲୋକପ୍ରିୟ ଓଡ଼ିଆ ଗୀତକୁ ନେଇ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା। ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ବିଭୁକିଶୋର, ଶକ୍ତି ମିଶ୍ର, ଗୌତମ ଗିରି, ସୌରଭ ନାୟକ ଓ ଶୈଳଭାମା ସଙ୍ଗୀତ ପରିବେଷଣ କରିଥିଲେ। ଏହା ବାଦ୍‌ ଜଣାଶୁଣା କଣ୍ଠଶିଳ୍ପୀ ଗିରିଜା ଦାଶ, ଅଭିଷେକ, ସିଦ୍ଧାନ୍ତ ଓ ପ୍ରୀତି ସୁମନ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପାଖାପାଖି ତିିନି ଘଣ୍ଟା ନୂଆ ଓଡ଼ିଆ ଗୀତରେ ହଜିଯାଇଥିଲେ ଶ୍ରୋତା। ବିଭୁକିଶୋରଙ୍କ କଣ୍ଠରେ ‘ହାଏ ସେ ମିଠା ରାତିରେ’, ଶୈଳଭାମାଙ୍କ କଣ୍ଠରେ ‘ତୋ ନାଁରେ କିଏ କହିଲେ…’, ଗୌତମ ଗିରିଙ୍କ କଣ୍ଠରେ ‘ନୀଳ ପରି ସ୍ୱପ୍ନର…’, ସୌରଭଙ୍କ କଣ୍ଠରେ ‘ତୁମେ ମୋ ମନ ବନର ସୁନା ଚଢ଼େଇ…’, ଶକ୍ତି ମିଶ୍ରଙ୍କ କଣ୍ଠରେ ‘ବୟସର ରାଜପଥରେ…’ ଆଦି ଗୀତଗୁଡ଼ିକ ଶ୍ରୋତାଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଜେନାମଣି ସଞ୍ଜୀବ କୁମାର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବରିଷ୍ଠ ବାଦ୍ୟଯନ୍ତ୍ର ଶିଳ୍ପୀ ଅବନୀକାନ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଙ୍ଗୀତ ଆସର ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ବିଧାୟକ ଅରୁଣ ସାହୁ ଓ ପୂର୍ବତନ ରାଜ୍ୟ ନିର୍ବାଚନ କମିସନର୍‌ ରବିନାରାୟଣ ସେନାପତି। ନୂଆ ଭଲ ଗୀତ ଶ୍ରୋତାଙ୍କୁ ଶୁଣାଇବା ପାଇଁ ‘ସମାଜ ଓ ସଂସ୍କୃତି’ର ଏହି ଅଭିନବ ପ୍ରୟାସକୁ ଅତିଥିମାନେ ପ୍ରଶଂସା କରିଥିଲେ। ଅନୁଷ୍ଠାନର ସଭାପତି ନିଶିକାନ୍ତ ମିଶ୍ର କହିଥିଲେ, କେବଳ ବିଗତ ଦିନରେ ନୁହେଁ, ବର୍ତ୍ତମାନ ସମୟରେ ମଧ୍ୟ ଭଲ ଓ ଉଚ୍ଚକୋଟୀର ଗୀତ ତିଆରି ହେଉଛି। ଭଲ ଗୀତ ବାରମ୍ବାର ଶୁଣିଲେ ନିଶ୍ଚିତ ଭାବେ ଖରାପ ଗୀତକୁ ଲୋକ ଭୁଲିଯିବେ। ଏଥିରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଚୌଧୁରୀ ଅମିତାଭ ଦାସ ଓ ସମ୍ପାଦକ ଗିରିଜା ଦାଶ ଉପସ୍ଥିତ ଥିଲେ। ଜ୍ୟୋତିରଞ୍ଜନ ଦାସ ଉଦ୍‌ଘାଟନୀ ସଭା ସଂଯୋଜନା କରିଥିଲେ। ଅନୁଷ୍ଠାନର ସଦସ୍ୟ ବିଶ୍ୱରଞ୍ଜନ ଦାଶ, ବିମଳ ଦାସ, ଶିତିକଣ୍ଠ ସେନାପତି, ସାଲୁଟ୍‌ ସାହୁ ଓ ପରେଶ ମାହୁନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର