ଡିସେମ୍ବର ସୁଦ୍ଧା ନୂଆ ରୂପରେ ‘ରାଜ୍ୟ ସଂଗ୍ରହାଳୟ’

ଆଜି ବିଶ୍ୱ ସଂଗ୍ରହାଳୟ ଦିବସ

ଭୁବନେଶ୍ବର: ଚଳିତ ବର୍ଷ ଶେଷ ସୁଦ୍ଧା ନୂଆ ରୂପରେ ଉଭା ହେବ ‘ଓଡ଼ିଶା ରାଜ୍ୟ ସଂଗ୍ରହାଳୟ’। ଓଡ଼ିଶାର ପରମ୍ପରା, ଐତିହ୍ୟ ଓ ସଂସ୍କୃତିର ଏକ ବିଶାଳ ସଂରକ୍ଷଣ ଭଣ୍ଡାର ପାଲଟିବ। ଦେଶୀ, ବିଦେଶୀ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ପର୍ଯ୍ୟଟକ ଏଠାରେ ଓଡ଼ିଆ ସଂସ୍କୃତି, ପରମ୍ପରାର ଝଲକ ଦେଖିବେ। ଖାଲି ସେତିକି ନୁହେଁ, ଏହି ସଂଗ୍ରହାଳୟ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀଙ୍କ ଗାଥା ବି ଗାଇବ। ଏହାବ୍ୟତୀତ ଛୋଟ ପିଲାଙ୍କ ପାଇଁ ବିଶାଳ କଣ୍ଢେଇ ସମ୍ଭାର, ଆକ୍ବାରିୟମ୍‌ ଗ୍ୟାଲେରି ଓ ପଦ୍ମ ପୋଖରୀ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ ପାଲଟିବ।

ସଂଗ୍ରହାଳୟ ପରିସରରେ ଏବେ ଏକ ବିଶାଳ ‘ପ୍ରଦର୍ଶନୀ ପ୍ରେକ୍ଷାଳୟ’ର ତିଆରି ଚାଲିଛି। ଏହା ଓଡ଼ିଶାର ହସ୍ତତନ୍ତ, ହସ୍ତଶିଳ୍ପ ଓ କୁଟୀର ଶିଳ୍ପର ପ୍ରଦର୍ଶକ ହେବ। ଏବେ ସଂଗ୍ରହାଳୟ ପରିସରରେ ୧୫ରୁ ଊର୍ଧ୍ବ ଗ୍ୟାଲେରି ରହିଥିବା ‌ବେଳେ ଆଉ ୪ଟି ଗ୍ୟାଲେରିର ନିର୍ମାଣ, ‘ଖଣି ଓ ଭୂତତ୍ବ ଗ୍ୟାଲେରି’ର ନବୀକରଣ ତଥା ‘ପ୍ରଦର୍ଶନୀ ପ୍ରେକ୍ଷାଳୟ’ର ବିକାଶ ‘ରାଜ୍ୟ ସଂଗ୍ରହାଳୟ’କୁ ଏକ ପୂର୍ଣ୍ଣାଙ୍ଗ ରୂପ ଦେବ। ବିଭିନ୍ନ ବର୍ଗକୁ ସନ୍ତୁଷ୍ଟ କରିବ ରାଜ୍ୟ ସଂଗ୍ରହାଳୟ। ୨୦୨୩ରେ ଏକ ନୂଆ ରୂପରେ ରାଜ୍ୟ ସଂଗ୍ରହାଳୟ ପର୍ଯ୍ୟଟକଙ୍କୁ ଆମୋଦିତ କରିବ ବୋଲି ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ସୂଚନା ଦେଇଛନ୍ତି।

ଅଗଷ୍ଟରେ ଖୋଲିବ ‘ସ୍ବାଧୀନତା ସଂଗ୍ରାମୀ ଗ୍ୟାଲେରି’

ଆସନ୍ତା ଅଗଷ୍ଟ ମାସରେ ଖୋଲିବ ରାଜ୍ୟ ସଂଗ୍ରହାଳୟର ‘ସ୍ବାଧୀନତା ସଂଗ୍ରାମ ଗ୍ୟାଲେରି’। ଏଥିରେ ଘୁମୁସର ସଂଗ୍ରାମ, ରେଣ୍ଡୋ ମାଝୀଙ୍କ ନେତୃତ୍ବରେ ହୋଇଥିବା ଆଦିବାସୀ ସଂଗ୍ରାମ, ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ, ମ‌ାଧୋ ସିଂହ ଓ ତାଙ୍କ ପୁଅମାନଙ୍କ ନେତୃତ୍ବରେ ପଶ୍ଚିମ ଓଡ଼ିଶାରେ ହୋଇଥିବା ବିଦ୍ରୋହର କାହାଣୀ, ରେକର୍ଡିଂ, ଗୋଳାବାରୁଦର ଶବ୍ଦ ଓ ଫଟୋଚିତ୍ର ସବୁ ଏହି ଗ୍ୟାଲେରିରେ ପ୍ରଦର୍ଶିତ ହେବ।
ଏଥିସହ ଗୁଣମଞ୍ଜରୀ ଦେବୀ, କ୍ଷେତ୍ରମଣୀ ଦେବୀଙ୍କ ଭଳି ଓଡ଼ିଶାର ବହୁ ମହିଳା ‌ସ୍ବାଧୀନତା ସଂଗ୍ରାମୀଙ୍କ କାହାଣୀ, ଫଟୋ ସହ ବକ୍ସି ଜଗବନ୍ଧୁଙ୍କ କାହାଣୀ, ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି, ମଧୁସୂଦନ ଦାସ, ରମାଦେବୀ, ହରେକୃଷ୍ଣ ମହତାବ, ସହିଦ ଲକ୍ଷଣ ନାୟକ, ବୀର ସୁରେନ୍ଦ୍ର ସାଏଙ୍କ କାଦୁଅ ପ୍ରତିମା ଏଠାରେ ପ୍ରଦର୍ଶିତ ହେବ। ଗ୍ୟାଲେରିରେ ବହୁ ‌ଆଧୁନିକ ଟେକ୍‌ନିକ୍‌ର ବ୍ୟବହାର କରି ଏସବୁ ସଂଗ୍ରାମ ସହ ପର୍ଯ୍ୟଟକଙ୍କୁ ଯୋଡ଼ିବାର ପ୍ରୟାସ କରାଯାଉଛି। ଅଗଷ୍ଟ ୧୫ ସୁଦ୍ଧା‌ ଏହି ଗ୍ୟାଲେରିକୁ ଉଦ୍‌ଘାଟନ କରିବାକୁ ସଂଗ୍ରହାଳୟ ପକ୍ଷରୁ କାର୍ଯ୍ୟ ତ୍ବରାନ୍ବିତ ବେଗରେ ଆଗେଇ ଚାଲିଛି।

ଶୋଭା ବଢ଼ାଇବ ‘କେଶବ ଧ୍ରୁତ, ମୀନ ଶରୀର… ଜୟ ଜଗଦୀଶ ହରେ’ ଗ୍ୟାଲେରି

ମାଛପ୍ରେମୀଙ୍କ ପାଇଁ ସଂଗ୍ରହାଳୟ ନେଇ ଆସୁଛି ଆକ୍ବାରିୟମ୍‌ ଗ୍ୟାଲେରି। ଏହି ଗ୍ୟାଲେରି ନାମ ମଧ୍ୟ ଟିକେ ଅଲଗା ରହିବ। ଗ୍ୟାଲେରିର ନାମ ଶ୍ରୀମଦ୍‌ ଭାଗବତରୁ ଉଦ୍ଧୃତ ପଂକ୍ତି ‘କେଶବ ଧ୍ରୁତ, ମୀନ ଶରୀର… ଜୟ ଜଗଦୀଶ ହରେ’ ରଖାଯାଇଛି। ଏଥିରେ ଓଡ଼ିଶାରେ ମିଳୁଥିବା ଭିନ୍ନ ଭିନ୍ନ କିସମର ମାଛ ସହ ବିଭିନ୍ନ ଦେଶ ବିଦେଶର ମାଛ ସଂଗୃହୀତ ହୋଇ ରହିବ। କଟକ ଜୋବ୍ରା ସଂଗ୍ରହାଳୟ ରୂପରେଖ ତିଆର କରିଥିବା ବିଶେଷଜ୍ଞମାନେ ଏହି ଗ୍ୟାଲେରି ନିର୍ମାଣ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଏହାର କାମ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଥିବା ସଂଗ୍ରହାଳୟର ଅଧୀକ୍ଷକ କହିଛନ୍ତି।

ଆଦିବାସୀ ସଂଗ୍ରହାଳୟରେ ପରମ୍ପରା ବଖାଣିବ ଅଡିଓ ଭିଡିଓ

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ତଥା ଆଦିବାସୀ ସଂଗ୍ରହାଳୟରେ ସାନ୍ତାଳ, ଜୁଆଙ୍ଗ, ଗଦବା, କନ୍ଧ, ଚୁତିଆ, ଗଣ୍ଡ ଓ ସଉରା ସମ୍ପ୍ରଦାୟକୁ ନେଇ ୭ଟି କୁଡ଼ିଆ ତିଆରି ହେବ। ପ୍ରତି କୁଡ଼ିଆରୁ ଦର୍ଶକମାନେ ଆଦିବାସୀଙ୍କ ବିଷୟରେ ସୂଚନା ପାଇବେ। ସବୁ ବର୍ଗର ଦର୍ଶକଙ୍କ ସୁବିଧା ପାଇଁ ସୂଚନାଗୁଡ଼ିକୁ ଅଡିଓ ଭିଡିଓ ଜରିଆରେ ପ୍ରଦର୍ଶନ କରାଯିବ। ଫଳ‌ରେ ଦୃଷ୍ଟିବାଧିତ ଦିବ୍ୟାଙ୍ଗମାନେ ମଧ୍ୟ ଜ୍ଞାନ ଆହରଣ କରିବାରେ ସକ୍ଷମ ହେବେ। ଆସନ୍ତା ୩ ମାସ ମଧ୍ୟରେ ଏସବୁ ତିଆରି ହେବ। ସେହିଭଳି ଲାଞ୍ଜିଆ ଓ ସଉରା ସମ୍ପ୍ରଦାୟର କଳାକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କରାଯିବ। ଆଦିବାସୀଙ୍କ ୩ଟି ପାରମ୍ପରିକ ଜ୍ଞାନକୌଶଳ ଉପରେ ଅଡିଓ ଭିଡିଓ କରାଯିବା ସହ ତାହାକୁ ମ୍ୟୁଜିୟମ୍‌ ୱେବ୍‌ସାଇଟ୍‌ରେ ଛଡ଼ାଯିବ। ୮ଜଣ ଆଦିବାସୀ ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ମଧ୍ୟ ଅଡିଓ ଭିଡିଓ କରାଯିବାର ଯୋଜନା ରହିଛି ବୋଲି ସଂଗ୍ରହାଳୟର ନିର୍ଦେଶକ ଅଖିଳ ବିହାରି ଓତା କହିଛନ୍ତି। ସୂଚନାଯୋଗ୍ୟ, ସିଆର୍‌ପି ଛକସ୍ଥିତ ଏହି ସଂଗ୍ରହାଳୟରେ ୬୦ ପ୍ରଜାତିର ଆଦିବାସୀଙ୍କ ଜୀବନଶୈଳୀ ପ୍ରଦର୍ଶିତ କରାଯାଇଛି। ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଏଠାରୁ ଓଡ଼ିଶାର ଆଦିବାସୀଙ୍କ ବିଷୟରେ ଅଧିକ ଗବେଷଣା କରିବା ପାଇଁ ଖୋରାକ ପାଉଛନ୍ତି। ଏବେ ଆରମ୍ଭ ହୋଇଥିବା ଡିଜିଟାଲ୍‌ ଟୁର୍‌ ଏହାକୁ ଆହୁରି ସମୃଦ୍ଧ କରିଛି ବୋଲି ନିର୍ଦ୍ଦେଶକ ଶ୍ରୀ ଓତା କହିଛନ୍ତି।

ଆକର୍ଷଣ ସାଜିବେ ଓଡ଼ିଶାର ପାରମ୍ପରିକ କଣ୍ଢେଇ

ଓଡ଼ିଶାର ପାରମ୍ପରିକ କଣ୍ଢେଇ ଯଥା ସଖୀ କଣ୍ଢେଇ, କାଠି କଣ୍ଢେଇ, ଛାୟା କଣ୍ଢେଇ ଓ ଜଉ କଣ୍ଢେଇ ଆଦି ସଂଗ୍ରହାଳୟର କ‌ଣ୍ଢେଇ ଗ୍ୟାଲେରିର ଶୋଭା ବଢ଼ାଇବେ। ଏଥିସହ ରାଜସ୍ଥାନ, ପଞ୍ଜାବ, ଗୁଜରାଟ, ଶ୍ରୀଲଙ୍କା, କାମ୍ବୋଡିଆ ଓ ବାଲି ଆଦିର କଣ୍ଢେଇ ଓ ମୁଖା ମଧ୍ୟ ଛୋଟ ଛୁଆଙ୍କୁ ବେଶ୍‌ ଆକର୍ଷିତ କରିବ। ଏନେଇ ବିଭିନ୍ନ ଆଡ଼ୁ ପାରମ୍ପରିକ କଣ୍ଢେଇ ସଂଗ୍ରହ ଶେଷ ହୋଇଥିବା ବେଳେ ଗ୍ୟାଲେରି ନିର୍ମାଣ କାମ ‌ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଆକର୍ଷଣ ସାଜିବ ଇନ୍‌ଟ୍ରାଞ୍ଜିବୁଲ୍‌ ହେରିଟେଜ୍‌ ଗ୍ୟାଲେରି

ରାଜ୍ୟ ତଥା ବାହାରର ପର୍ଯ୍ୟଟକ ଖୁବ୍‌ଶୀଘ୍ର ଏଠାରେ ଓଡ଼ିଶାର ୩ ବିଶ୍ବପ୍ରସିଦ୍ଧ ଅଦୃଶ୍ୟ କୀର୍ତ୍ତି ଦେଖିବାକୁ ପାଇବେ। ମାଣବସା ଗୁରୁବାରର ରୀତିନୀତି, ପରମ୍ପରା, ରାବଣ ଛାୟା ଓ ଛଉନୃତ୍ୟ ସଂଗ୍ରହାଳୟର ଇନ୍‌ଟ୍ରାଞ୍ଜିବୁଲ୍‌ ହେରିଟେଜ୍‌ ଗ୍ୟାଲେରିର ମୁଖ୍ୟ ପ୍ରସଙ୍ଗ ପାଲଟିବ। ଏଥିସହ ରଥଯାତ୍ରାର ନୀତି ପରମ୍ପରା, ବାଲେଶ୍ବରର ଜଉ କଣ୍ଢେଇ ବାହାଘର, ବ୍ରହ୍ମପୁର ଠାକୁରାଣୀ ଯାତ୍ରା, ପଶ୍ଚିମ ଓଡ଼ିଶାର ନୂଆଁଖାଇ ପର୍ବ, ଉପକୂଳର କୁମାର ପୂର୍ଣ୍ଣିମା ଓ ଓଡ଼ିଶାର ରଜ ପର୍ବର ସମସ୍ତ ରୀତିନୀତି ଏଠାରେ ପ୍ରଦର୍ଶିତ ହେବ। ଓଡ଼ିଶାର ସମସ୍ତ ପର୍ବପର୍ବାଣୀ, ସ୍ବତନ୍ତ୍ର ଲୋକନୃତ୍ୟ ଓ ନାଟିକା ଏହି ଗ୍ୟାଲେରି ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚିବ। ଡିସେମ୍ବର ସୁଦ୍ଧା ଏହି ଗ୍ୟାଲେରି କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମତୀ ମଲ୍ଲ କହିଛନ୍ତି।

ମାସକରେ ସରିବ ନୃତ୍ୟ ପୋଷାକ ଗ୍ୟାଲେରି

ଗଣ୍ଡମୁଣ୍ଡାସ୍ଥିତ କଳାଭୂମିରେ ନିର୍ମାଣାଧୀନ ନୃତ୍ୟ ପୋଷାକ ଗ୍ୟାଲେରି କାମ ଆଉ ମାସକ ଭିତରେ ଶେଷ ହେବ। ଓଡ଼ିଶାର ପାରମ୍ପରିକ ନୃତ୍ୟଶିଳ୍ପୀମାନେ ପିନ୍ଧୁଥିବା ପୋଷାକ ଓ ବେଶ ଏଥିରେ ସ୍ଥାନିତ ହେବ। ବଡ଼ କଥା ହେଉଛି ‘ମାହାରୀ’ ଓ ‘ଗୋଟିପୁଅ’ ନୃତ୍ୟରେ ବ୍ୟବହାର ପୋଷାକ ଏଠାରେ ସ୍ଥାନ ପାଇବ। ପାଠାଗାରରେ ଅଧିକ ପୁସ୍ତକ ରଖିବା ସହ ‘ବକୁଳ’ ଭଳି ସଙ୍ଗଠନ ସହ ମିଶି ଏକ ଅତ୍ୟାଧୁନିକ ପାଠାଗାର ତିଆରି ହେବାର ଯୋଜନା ରହିଛି ବୋଲି ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ସଦସ୍ୟ ସଚିବ ଶିଶିର କୁମାର ରଥ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ମସିହାରେ ନିର୍ମିତ ଏହି ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ସଂଗ୍ରହାଳୟ (କଳାଭୂମି) ଓଡ଼ିଶା ହସ୍ତଶିଳ୍ପର ପ୍ରଚାର ପ୍ରସାର କରିଆସୁଛି। ଏହି ସଂଗ୍ରହାଳୟରେ ଏବେ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରି ଯୋଡ଼ି ହୋଇଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ୬ଟି ପ୍ରଧାନ ବେଶ ପ୍ରଦର୍ଶିତ ହୋଇଛି। ଦର୍ଶକମାନେ ଏଠାରେ ଜଗନ୍ନାଥଙ୍କ ସୁନ୍ଦର ରଘୁନାଥ ବେଶ ଦେଖିବାର ସୁଯୋଗ ପାଉଛନ୍ତି। ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ଯଥା ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ, ଟେରାକୋଟା, ସୋଲାପୀଠ, ପିତ୍ତଳ ସାମଗ୍ରୀ, ବିଭିନ୍ନ ପ୍ରକାର ଧାତୁରେ ନର୍ମିତ ହସ୍ତଶିଳ୍ପ କାରୁକାର୍ଯ୍ୟ ଏହି ଗ୍ୟାଲେରିରେ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର