ପର୍ଯ୍ୟଟକ ଅନୁକୂଳ କରିବାକୁ ନୂଆ ଖସଡ଼ା

ଭୁବନ ବିଖ୍ୟାତ ଭୁବନେଶ୍ୱର ପର୍ଯ୍ୟଟନ ଦୃଷ୍ଟିରୁ ଯେତିକି ସମୃଦ୍ଧ ଐତିହାସିକ ପୃଷ୍ଠଭୂମିକୁ ନେଇ ସେତିକି ଗରିମାମୟ। ପର୍ଯ୍ୟଟନସ୍ଥଳୀରେ ଭିତ୍ତିଭୂମିକୁ ଯେତିକି ମଜବୁତ କରାଯାଉଛିି ପର୍ଯ୍ୟଟକଙ୍କୁ ଟାଣିବା ପାଇଁ ସେତିକି ଗୁରୁତ୍ୱ ଦେଇଛି ପର୍ଯ୍ୟଟନ ବିଭାଗ। ପୂର୍ବ ବର୍ଷ ତୁଳନାରେ ୨୦୧୭ ନଭେମ୍ବର ସୁଦ୍ଧା ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢ଼ିଥିବା ବେଳେ ଭୁବନେଶ୍ୱରକୁ ମଧ୍ୟ ଆଗମନ ସେହି ଅନୁପାତରେ ବଢ଼ିଛି। ବିଡିଏ ଓ ବିଏମ୍‌ସି ସହ ହାତ ମିଳାଇ ଆଗକୁ ବଢ଼ିବାକୁ ଚେଷ୍ଟା କରିଛି ପର୍ଯ୍ୟଟନ ବିଭାଗ। bhubaneswar.me େଓ୍ଵବ୍‌ସାଇଟ୍‌ରେ ପର୍ଯ୍ୟଟନକୁ ଅଗ୍ରାଧିକାର ଦିଆଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିବା ବେଳେ ଭୁବନେଶ୍ୱରକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ନୂଆ ରୂପରେ ଉପସ୍ଥାପିତ କରାଯାଇଛି। ସଂପୃକ୍ତ େଓ୍ଵବ୍‌ସାଇଟ୍‌ରେ ପର୍ଯ୍ୟଟସ୍ଥଳୀ ସମ୍ବନ୍ଧୀୟ ସବିଶେଷ ସୂଚନା ସହ ସେଠାରେ ଉପଲବ୍ଧ ଥିବା ସୁବିଧାକୁ ବିଶ୍ୱବ୍ୟାପୀ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଗୁରୁତ୍ୱ ଦିଆଯାଇଛି। ଖଣ୍ଡଗିରିରେ ଶବ୍ଦ ଆଲୁଅ ସୋ’ ପାଇଁ ଆଇଟିଡିସି ଟେଣ୍ଡର ଡାକି ଖୁବ୍‌ଶୀଘ୍ର କାମ ଆରମ୍ଭ କରିବାକୁ ଯାଉଛି। ସେହିପରି ଦୀର୍ଘଦିନ ଧରି ପଡ଼ି ରହିଥିବା ବ୍ୟାଖ୍ୟାନ କେନ୍ଦ୍ରକୁ ସଜାଡ଼ି ନୂଆ ରୂପ ଦେବାର ଦାୟିତ୍ୱ ନେଇଛି ଆଦିତ୍ୟ ବିର୍ଲା ଗ୍ରୁପ୍‌। ଅହିଂସା ମନ୍ତ୍ରର ପ୍ରଚାର ପାଇଁ ଏଠାରେ ଇଣ୍ଟରନାଲ୍‌ ଗାନ୍ଧୀ ମ୍ୟୁଜିୟମର ପରିକଳ୍ପନା କରାଯାଇଥିବା ବେଳେ ଏହା ଯଥା ସମ୍ଭବ ପୂର୍ଣ୍ଣାଙ୍ଗ ଦିଆଯିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏସବୁ ବ୍ୟତୀତ ଭୁବନେଶ୍ୱରକୁ ପର୍ଯ୍ୟଟନ ଅନୁକୂଳ କରିବା ପାଇଁ ଚାଲିଥିବା ଐତିହ୍ୟ ପଦଯାତ୍ରା ଓ ଶବ୍ଦ ଆଲୁଅ ସୋ’ ସଦୃଶ ଅନ୍ୟାନ୍ୟ ମନୋରଂଜନଧର୍ମୀ ବ୍ୟବସ୍ଥା କରିବା ପାଇଁ ନକ୍ସା ପ୍ରସ୍ତୁତ ହେଉଥିବା ପର୍ଯ୍ୟଟନ ବିଭାଗର ନିର୍ଦେଶକ ନିତିନ ଭାନୁଦାସ ଜଓ୍ଵାଲେ କହିଛନ୍ତି।

ସମ୍ବନ୍ଧିତ ଖବର