ସାଲିଆ ସାହି ପାଇଁ ନୂଆ ରଣନୀତି: ଅପରାଧ ନିୟନ୍ତ୍ରଣରେ ସହଯୋଗ କରିବେ କମ୍ୟୁନିଟି ଓ କ୍ଲବ୍!

ଫାଣ୍ଡିକୁ ମିଳିବ ପିସିଆର୍, ୪ଘଣ୍ଟା ଉପଲବ୍ଧ ହେବ ଆମ୍ବୁଲାନ୍ସ

ଭୁବନେଶ୍ବର: ରାଜଧାନୀର ସବୁଠୁ ବଡ଼ ବସ୍ତି ତଥା ଅପରାଧୀଙ୍କ ଆଡ଼ା ପାଲଟିଥିବା ସାଲିଆସାହି ପାଇଁ କମିସନରେଟ୍‌ ପୁଲିସ ନୂଆ ରଣନୀତି କରୁଛି। ରାଜଧାନୀର ଅନ୍ୟ ବସ୍ତି ଭଳି ଏଠାରେ ପୁଲିସ ବସ୍ତି ମିତ୍ର ବା ପୁଲିସ ମିତ୍ରଙ୍କ ସହଯୋଗକୁ ଅପେକ୍ଷା କରିବନି। ବରଂ ବସ୍ତିରେ ଗଢ଼ିଉଠିଥିବା ଗୋଷ୍ଠୀ କେନ୍ଦ୍ର ତଥା କମ୍ୟୁନିଟି ଓ କ୍ଲବ୍ ସହଯୋଗରେ ଅପରାଧ ନିୟନ୍ତ୍ରଣ କରାଯିବ। ନୂତନ ଭୁବନେଶ୍ବର ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ପ୍ରତୀକ ସିଂହ ଆଜି ଅଚାନକ ସାଲିଆ ସାହି ଗସ୍ତ କରି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସାଲିଆସାହିରେ ପ୍ରାୟ ୪୩ଟି ସାହି ରହିଛି। ଏହାର ଜନସଂଖ୍ୟା ପ୍ରାୟ ଦେଢ଼ଲକ୍ଷ ହୋଇଥିବା ବେଳେ ୮୯ହଜାର ପଞ୍ଜୀକୃତ ଭୋଟର ରହୁଛନ୍ତି। ବିଏମ୍‌ସିର ପ୍ରାୟ ୪ରୁ ୫ଵାର୍ଡର ଲୋକ ଏକା ବେଳକେ ଗୋଟିଏ ବସ୍ତିରେ ରହୁଥିବାରୁ ଡିସିପି ଅପରାଧ ରୋକିବା ପାଇଁ ଏହିଭଳି ଭିନ୍ନ ତରିକା ଆପଣାଇଥିବା କୁହାଯାଉଛି।

ଏହାଛଡ଼ା ବସ୍ତିବାସିନ୍ଦାଙ୍କ ସୁବିଧା ପାଇଁ ସାଲିଆ ସାହି ଫାଣ୍ଡିକୁ ଏକ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ଡିସିପି କହିଛନ୍ତି। ଏହି ଆମ୍ବୁଲାନ୍ସ ୨୪ ଘଣ୍ଟିଆ କାର୍ଯ୍ୟ କରିବ। ଏହାସହ ବିଭିନ୍ନ ଛୋଟବଡ଼ ଅଘଟଣ ରୋକିବା ପାଇଁ ପିସିଆର୍ ଭ୍ୟାନ୍ ମଧ୍ୟ ଦିଆଯିବ। ଫୋନ୍ ଯୋଗେ ଅଭିଯୋଗ ଆସିଲେ ଅବିଳମ୍ବେ ଏହି ପିସିଆର୍ ବସ୍ତିରେ ପହଞ୍ଚି ଲୋକଙ୍କ ସମସ୍ୟା ସମାଧାନ କରିବ। ସେହିଭଳି ପୁଲିସକୁ ମଧ୍ୟ ବସ୍ତିବାସିନ୍ଦା ସହଯୋଗ କରିବାକୁ ଡିସିପି ନିବେଦନ କରିଛନ୍ତି। ଆଜି ସନ୍ଧ୍ୟାରେ ଡିସିପି ବାଜପେୟୀନଗର, ଏକାମ୍ରଭିଲ୍ଲା, ତାରିଣୀନଗର, ଶକ୍ତିବିହାର ପ୍ରମୁଖ ବସ୍ତି ଅଞ୍ଚଳ ବୁଲିଥିଲେ।

ସମ୍ବନ୍ଧିତ ଖବର