କମିସନରେଟ୍‌ ପୁଲିସର ନୂଆ ରଣନୀତି : ଲୁଟ୍‌, ରାହାଜାନି ରୋକିବ ସ୍ପେସାଲ ଟିମ୍‌

ପ୍ରତି ଥାନାରେ ସ୍ବତନ୍ତ୍ର ଟିମ୍‌ରେ ରହିବେ ୪ ଜଣ
ପ୍ରତି ଟିମ୍‌ର ନେତୃତ୍ବ ନେବେ ଜଣେ ସବ୍‌ଇନ୍ସପେକ୍ଟର

ଭୁବନେଶ୍ବର : ରାଜଧାନୀରେ ସୀମା ଟପିଲାଣି ଲୁଟ୍‌, ଛିନ୍‌ତାଇ ଓ ରାହାଜାନି। ସତେ ଯେମିତି ଲୁଟେରାଙ୍କ କବ୍‌ଜାକୁ ଚାଲିଯାଇଛି ପୂରା ସହର। କେଉଁଠି ଚେନ୍‌ ଝାମ୍ପି ନେଲେଣି ତ କେଉଁଠି ଭ୍ୟାନିଟି ବା ଦାମୀ ମୋବାଇଲ। ଦିନ ହେଉ କି ରାତି, କିଛି ମାନୁନାହାନ୍ତି ଲୁଟେରା। ଲୁଟ୍‌ର ଶିକାର ଲୋକଙ୍କୁ ଚଳନ୍ତାଗାଡ଼ିରୁ ପଡ଼ି ଜୀବନହାନିର ଭୟ ମଧ୍ୟ ଘାରିଲାଣି। ଗତ କିଛିଦିନ ହେଲା ଏଭଳି ଅପରାଧ ଆଶାତୀତ ଭାବରେ ବଢ଼ି ଯାଇଥିବ‌ାରୁ ଏବଂ ଅଧିକାଂଶ କ୍ଷେତ୍ରରେ ଲୁଟେରାଙ୍କୁ କାବୁ କରିବାରେ କମିସନରେଟ୍ ପୁଲିସ ବିଫଳ ହେଉଥିବାରୁ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏସବୁକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବା ପରେ ଶେଷରେ ଆଜି ଲୁଟ୍‌, ଛିନ୍‌ତାଇ ଓ ରାହାଜାନିକୁ ରୋକିବା ଲାଗି କମିସନରରେଟ୍‌ ପୁଲିସ ବିଭିନ୍ନ ଥାନାରେ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଏହି ସ୍ବତନ୍ତ୍ର ଟିମ୍ ସବୁ ରାହାଜାନି ଉପରେ କେବଳ ନଜର ରଖିବନି; ଏସବୁକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବ ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାଶ।

ଶ୍ରୀ ଦାଶ କହିଛନ୍ତି, ରାହାଜାନି ଏବେ ଭୁବନେଶ୍ବର ପାଇଁ ଅଭିଶାପ ପାଲଟିଛି। ଆମେ ୬ ମାସ ହେଲା ଏହି ସବୁ ଅପରାଧକୁ ଟ୍ରାକ୍‌ କରୁଛୁ। ଯେଉଁସବୁ ସ୍ଥାନରେ ଭିଡ଼ ହେଉଛି; ଭିଡ଼ର ଫାଇଦା ନେଇ ସେହି ସବୁ ସ୍ଥାନରେ ଅପରାଧୀ ଏଭଳି ଅପରାଧ ଘଟାଉଛନ୍ତି। ରାଜପଥରେ ମଧ୍ୟ ରାହାଜାନି ବଢ଼ିଛି। ସ୍ପେସାଲ ଟିମ୍‌ରେ ନୂଆପଲ୍ଲୀ, ଖଣ୍ଡଗିରି, କ୍ୟାପିଟାଲ, ମଞ୍ଚେଶ୍ବର ସମେତ ଅନ୍ୟ ଥାନାମାନଙ୍କରେ ଗୋଟିଏ ଲେଖାଏଁ ଟିମ୍‌ ରହିବ। ଟିମ୍‌ରେ ଜଣେ ସବ୍‌ଇନ୍ସପେକ୍ଟର ଓ ୪ ଜଣ କନେଷ୍ଟବଳ ରହିବ‌େ। ଏହି ଟିମ୍‌ କେବଳ ଏହି ସବୁ ଅପରାଧରେ ଧରପଗଡ଼ କରିବ ଏବଂ ଚୋରି କିମ୍ବା ଲୁଟ୍‌ ଜିନିଷ ଉଦ୍ଧାର କରିବ। ଏହି ସବୁ ଅପରାଧରେ ଲିପ୍ତ ଅପରାଧୀ ଜାମିନ୍‌ରେ ଫେରିଲେ ସେମାନଙ୍କୁ ଟ୍ରାକ୍‌ କରିବ। ସେମାନେ କାହା ସହ ଯୋଗାଯୋଗରେ ରହୁଛନ୍ତି, କେଉଁ ଜାଗାକୁ ଯାଉଛନ୍ତି ସେ ସବୁ ରେକର୍ଡ କରିବ। ଗୋଟିଏ ଥାନା ଅଞ୍ଚଳର ଅପରାଧୀ ଅନ୍ୟ ଅଞ୍ଚଳକୁ ଯାଇ ଅପରାଧ କରୁଥିବାରୁ ଏହି ଟିମ୍‌ ମଧ୍ୟ ଅନ୍ୟ ଥାନା ସହ ସମନ୍ବୟ ରକ୍ଷା କରିବ। ଅନ୍ୟ କୌଣସି କାର୍ଯ୍ୟ କିମ୍ବା ଆଇନଶୃଙ୍ଖଳାରେ ଏହି ଟିମ୍‌କୁ ନିୟୋଜିତ କରାଯିବ ନାହିଁ।

ଏହି ସ୍ବତନ୍ତ୍ର ଟିମ୍‌ର କାର୍ଯ୍ୟଧାରା ସଂପର୍କରେ ସୂଚନା ଦେବାକୁ ଯାଇ ଶ୍ରୀ ଦାଶ ଆହୁରି କହିଲେ ଯେ କଣ୍ଟ୍ରୋଲ୍‌ ରୁମ୍‌ରେ ଅପରାଧ ସମ୍ବନ୍ଧରେ ଖବର ମିଳିବା ମାତ୍ରେ ହିଁ ଅପରାଧ ଘଟିଥିବା ସ୍ଥାନର ୨କିଲୋମିଟର ଭିତରେ ଥିବା ଟିମ୍‌କୁ ଖବର ଜଣାଇ ଦିଆଯିବ। ଖବର ପାଇବା ମାତ୍ରେ ହିଁ ସ୍ବତନ୍ତ୍ର ଟିମ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ। ଘଟଣାସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରିବା ସହ ସମ୍ପୃକ୍ତ ରାସ୍ତା କିମ୍ବା ଗଳିରେ ଏଭଳି ଅପରାଧ‌ରେ ସମ୍ପୃକ୍ତ ଥିବା ଅପରାଧୀ ଉପରେ ଟିମ୍‌ ଚଢ଼ଉ କରିବ। ରାହାଜାନି ଦମନରେ ଏହି ‘ସ୍ପେସାଲ ଟିମ୍‌’ ଫଳପ୍ରଦ ହେବ ବୋଲି ଡିସିପି ଶ୍ରୀ ଦାଶ ଆଶା ବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରେ ରାଜଧାନୀରେ ୫୭ଟି ଛିନ୍‌ତାଇ ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ ଜାନୁଆରିରେ ୬୨ ଓ ଫେବ୍ରୁଆରି‌ରେ ୫୭ଟି ରୁଜୁ ହୋଇଛି। ସେହିଭଳି ଗତ ବର୍ଷ ଡିସେମ୍ବରରେ ୧୮୭ଟି ଚୋରି ମାମଲା ରୁଜୁ ହୋଇଥିବା ବେଳେ ଜାନୁଆରିରେ ୨୦୦ ଓ ଫେବ୍ରୁଆରିରେ ୧୮୧ଟି ଚୋରି ମାମଲା ରୁଜୁ ହୋଇଛି। କ୍ରମାଗତ ଭାବରେ ଏହି ସବୁ ଅପରାଧ ବଢ଼ୁଥିବାରୁ କମିସନରେଟ୍‌ ପୁଲିସ ଏହି ସ୍ବତନ୍ତ୍ର ବ୍ୟବସ୍ଥା କରିଛି।

ପୂର୍ବରୁ ଫଳପ୍ରଦ ହୋଇନି ଅନେକ ଯୋଜନା
ରାଜଧାନୀରେ ଅପରାଧ ରୋକିବା ପାଇଁ ଯୋଜନା ପରେ ଯୋଜନା କରିଛି କମିସନରେଟ୍‌ ପୁଲିସ। କିନ୍ତୁ ସବୁ ଯୋଜନା ଫଳପ୍ରଦ ହେଉନି। ତେଣୁ ଏବେ ଏହି ‘ସ୍ପେସାଲ୍ ଟିମ୍‌’ ଯୋଜନା ଫଳପ୍ରଦ ହେବ କି ନାହିଁ, ତାହାକୁ ନେଇ ଆରମ୍ଭରୁ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ବିଗତ ଦିନମାନଙ୍କରେ ଘଟିଥିବା ଅପରାଧକୁ ତର୍ଜମା କଲାବେଳେ ଜଣାପଡ଼ିଥିଲା କି ଅଧିକାଂଶ ଅପରାଧୀ ବସ୍ତିରେ ରହୁଛନ୍ତି। ଏଥିପାଇଁ ପୁଲିସ ପକ୍ଷରୁ ପ୍ରଥମେ ‘ଆପୋସ ଯୋଜନା’ ଓ ପରେ ‘ବସ୍ତିକୁ ଚାଲ’ ଯୋଜନା ହୋଇଥିଲା। ଲୁଟେରାଙ୍କୁ ଗୋଡ଼ାଇବା ପାଇଁ ବିଭିନ୍ନ ଥାନାକୁ ବାଇକ୍‌ ମଧ୍ୟ ଯୋଗାଇ ଦିଆଯାଇଥିଲା। ହେଲେ ଏ ସବୁ ଯୋଜନା ଫେଲ୍‌ ମାରିଛି। ଥାନାର ପିସିଆର ଭ୍ୟାନ୍‌ର ମଧ୍ୟ ଅବସ୍ଥା ଖରାପ ରହିଛି। କେଉଁ ବସ୍ତି‌ରେ କେତେ ଅଭିଯୁକ୍ତ ରହୁଛନ୍ତି, କେଉଁ ଜାଗାରୁ ଆସି ଏଠାରେ ରହୁଛନ୍ତି ବା ଅପରାଧ ଘଟାଇବା ପରେ ଅଭିଯୁକ୍ତ କେଉଁଠିକୁ ଯାଉଛନ୍ତି, ତାହାର ଟ୍ରାକିଂ ହୋଇପାରୁ ନାହିଁ। ପୁଲିସ ଲୋକଙ୍କର ଆସ୍ଥାଭାଜନ ହୋଇ ପାରୁନାହିଁ। ଫଳରେ ପୁଲିସ ବିଭିନ୍ନ ସମୟରେ ଲୋକଙ୍କର ଆକ୍ରୋଶର ଶିକାର ହେଉଛି। ଏବେ ଏହି ଯୋଜନାରେ ସ୍ବତନ୍ତ୍ର ଦାୟିତ୍ବ ନେଉଥିବା ଅଧିକାରୀ ବାହାରୁ ଆସୁନାହାନ୍ତି, ବରଂ ସେମାନେ ସେହି ସବୁ ଥାନାରେ ରହିଛନ୍ତି। ପୂର୍ବରୁ ଏମାନେ କଣ କରୁଥିଲେ? ଯଦି ପୂର୍ବରୁ ଏମାନେ ଏହିସବୁ ଅପରାଧ ଦମନ କରି ପାରୁନଥିଲେ, ଏବେ କଣ କେତେଦୂର ରାହାଜାନି ଦମନରେ ସଫଳ ହେବେ ସେ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର