ଆକାଉଣ୍ଟ ଖାଲି କରି ଦେଉଛି ନ୍ୟୁଡ କଲ୍ ! ଏବେ ଠକେଇର ନୂଆ ତରିକା ଆପଣାଇଛନ୍ତି ସାଇବର ଠକ

ଭୁବନେଶ୍ବର: ଫେସବୁକରେ ଆପଣଙ୍କୁ ଆସୁଛି କି ଅଜଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ? ତେବେ ତାକୁ ଆକସେପ୍ଟ କରିବା ଆଗରୁ ବିବଚେନା କରନ୍ତୁ । କାରଣ ଏହି ଅଜଣା ଲୋକମାନେ ହିଁ ଆପଣଙ୍କୁ ବିଭିନ୍ନ ମାଧ୍ୟମରେ ଠକି ପାରନ୍ତି । ଆପଣଙ୍କ ଏହି ଅଜଣା ବନ୍ଧୁଙ୍କ ଯୋଗୁଁ ଆପଣ ବିପଦରେ ପଡିପାରନ୍ତି । ବିଭିନ୍ନ ପ୍ରକାର ପ୍ରଲୋଭନ ଓ ବ୍ଲାକମେଲିଂ କରି ସେମାନେ ଆପଣଙ୍କଠାରୁ ଲୁଟି ପାରନ୍ତି ଟଙ୍କା ।

ଆଜିକାଲି ଫେସବୁକରେ ଅନେକ ଅଜଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥାଏ । ସେମାନଙ୍କୁ  ଆମେ ନ ଜାଣି  ନ ଚିହ୍ନି ମଧ୍ୟ ରିକ୍ବେଷ୍ଟ ଆକ୍ସେପ୍ଟ କରିଥାଉ । ଆଉ ଏହାରି ମାଧ୍ୟମରେ ବନ୍ଧୁତା ବଢିଥାଏ । ଯାହାକି ଆମକୁ ପରେ ବିପଦରେ ପକାଇଥାଏ । ଏଭଳି ଲୁଟେରାଙ୍କଠାରୁ ବଞ୍ଚିବାକୁ ପୁଲିସ ତରଫରୁ ସଚେତନ ମଧ୍ୟ କରାଯାଉଛି । କେମିତି ଲୁଟନ୍ତି ଏହି ସାଇବର ଠକ? ଏ ନେଇ ଏକ ସତର୍କମୂଳକ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ ।

-ପ୍ରଥମେ ସାଇବର ଠକ ଯେଉଁମାନଙ୍କ ଫେସବୁକ ଆକଉଣ୍ଟ ଅଛି ସେମାନଙ୍କ ପ୍ରୋଫାଇଲକୁ ଯାଇ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାନ୍ତି ।
-ଏହାପରେ ମେସେଞ୍ଜର ମାଧ୍ୟମରେ ମେସେଜ ପଠାଇ ବନ୍ଧୁତା ବଢାଇଥାନ୍ତି ।
-ପରେ ହ୍ୱାଟସାପ ନମ୍ବର ନେଇ ଅଡିଓ ଓ ଭିଡିଓ କଲ କରିବାକୁ ଅନୁରୋଧ କରନ୍ତି ।
-କିଛିଦିନ ପରେ ଉଭୟଙ୍କମଧ୍ୟରେ ଅଶ୍ଲୀଳ ଚାଟ ଓ ଭିଡିଓ କଲ ହୋଇଥାଏ, ଯାହାକୁ ସାଇବର ଠକ ସ୍କିନ ସଟ ନେଇ ରଖି ଦିଅନ୍ତି ।
-ଏହାପରେ ଏହି ଭିଡିଓ ମାଧ୍ୟମରେ ସାଇବର ଠକ ବ୍ଲାକମେଲିଂ କରିଥାଏ । ଆଉ ଗୁଗୁଲ ପେ, ଫୋନ ପେ’ରେ ଟଙ୍କା ପଠାଇବାକୁ ଦାବି କରିଥାଏ ।

ଏହି ସାଇବର ଠକ ଅନ୍ୟ ଏକ ଉପାୟରେ ମଧ୍ୟ ଲୋକଙ୍କୁ ଠକିଥାନ୍ତି । ପ୍ରଥମେ ସେମାନେ କଥା ହେବା ସହ ଆପଣଙ୍କୁ ବିଭିନ୍ନ ଦାମୀ ଗିଫ୍ଟ ପଠାଇବା ପ୍ରଲୋଭନ ଦେଖାନ୍ତି । ଯାହା ମାଧ୍ୟମରେ ଆପଣ ଠକାମୀର ଶିକାର ହୋଇଥାନ୍ତି । ଏଭଳି ଅନେକ ଅଭିଯୋଗ ଗତକିଛି ଦିନ ହେବ ଥାନାରେ ରିପୋର୍ଟ ହୋଇଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ତେବେ  ଅଜଣା ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଲେ ତାକୁ ଭଲ ଭାବରେ ଯାଞ୍ଚ କରନ୍ତୁ । ଆଉ ସନ୍ଦେହ ହେଲେ ସେମାନଙ୍କଠାରୁ ଦୂରେଇ ରୁହନ୍ତୁ । ଏହାସହ ଅଶ୍ଲୀଳ ଚାଟ୍ ଓ ଭିଡିଓ କଲିଂ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ ।

ସମ୍ବନ୍ଧିତ ଖବର