ସସ୍ମିତା ସାହୁ
ଭୁବନେଶ୍ବର: ‘ମନ୍ଦିରମାଳିନୀ ସହର’ ଭୁବନେଶ୍ବର। ଏଠାରେ ଶହ ଶହ ବର୍ଷର ପ୍ରାଚୀନ ମନ୍ଦିର ଉତ୍କୃଷ୍ଟ କଳାର ଦେଶ ‘ଉତ୍କଳ’ର ନାମକୁ ସାର୍ଥକ କରୁଛନ୍ତି। ଆଉ ପିଢ଼ି ପରେ ପିଢ଼ି ଭୁବନେଶ୍ବରବାସୀଙ୍କ ଆସ୍ଥା ଓ ବିଶ୍ବାସର କେନ୍ଦ୍ର ପାଲଟିଛନ୍ତି। ତେବେ ଇତିହାସର ଅଟକିଯାଇନି ଭୁବନେଶ୍ବରର ମନ୍ଦିର ପ୍ରତିଷ୍ଠା। ଭୁବନେଶ୍ବରକୁ ନୂଆ ରାଜଧାନୀ ଆସିଲା ପରେ ଏମିତି କିଛି ଦେବାଳୟ ଏଠାରେ ପ୍ରତିଷ୍ଠା ହୋଇଛି, ଯାହା ସହରର ଆଧ୍ୟାତ୍ମିକତାରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ପୁରାତନ ମନ୍ଦିର ପରି ନୂଆ ମନ୍ଦିର ମଧ୍ୟ ସହରବାସୀଙ୍କ ଆସ୍ଥା ଓ ଆରଧନାର ପୀଠ ପାଲଟିଛନ୍ତି। ଏହି ମନ୍ଦିରଗୁଡ଼ିକର କାରୁକାର୍ଯ୍ୟ ବି ଆମକୁ ଗର୍ବିତ କରୁଛି। ବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ନିର୍ମିତ ଏମିତି କିଛି ମନ୍ଦିରକୁ ନେଇ ଆମର ଏହି ସ୍ତମ୍ଭ ‘ଆସ୍ଥାର ନବ ଆଳୟ’।
ଶ୍ବେତ ପୋଷାକ ପରିଧାନ କରି ଶୃଙ୍ଖଳିତ, ଶାନ୍ତ ସ୍ବଭାବ ଓ ସତ୍ସଙ୍ଗରେ ମଗ୍ନ ହୋଇ ସାତ୍ତ୍ବିକ ଜୀବନ ଜିଉଁଥିବା ଅନେକ ବ୍ୟକ୍ତିଙ୍କୁ ଆମେ ଆମ ନିତ୍ୟଜୀବନରେ ଭେଟୁ। ଏମାନଙ୍କ ଆସ୍ଥାର କେନ୍ଦ୍ର ହେଉଛନ୍ତି ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ର। ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ସତ୍ସଙ୍ଗବିହାର ଓ ମନ୍ଦିର ଗଢ଼ିଉଠିଛି। ଏହି କ୍ରମରେ ରାଜଧାନୀର କେନ୍ଦ୍ରସ୍ଥଳରେ ରହିଛି ସତ୍ସଙ୍ଗବିହାର ମନ୍ଦିର। ୨.୯୦ ଏକର ଜମିରେ ନିର୍ମିତ ଏହି ଶ୍ବେତମନ୍ଦିର ସହରକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥାଏ। ଏହି ମନ୍ଦିର ୧୯୯୬ ମସିହା ଫେବୃଆରି ୨୮ ତାରିଖରେ ପ୍ରତିଷ୍ଠା ହୋଇଥିଲା। ମନ୍ଦିରରେ ବ୍ୟବହୃତ ସମସ୍ତ କାଠ ଆସାମରୁ ଆମଦାନୀ ହୋଇଥିଲା। ପ୍ରତିଷ୍ଠା ସମୟର ଦୃଶ୍ୟ ବେଶ୍ ମନମୁଗ୍ଧକର ଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଓ ରାଜସ୍ବ ମନ୍ତ୍ରୀ କାହ୍ନୁରରଣ ଲେଙ୍କାଙ୍କ ସହ ଆସାମ ଓ ତ୍ରିପୁରାର ବହୁ ରାଜନେତା ପ୍ରତିଷ୍ଠା ଉତ୍ସବରେ ଅତିଥି ଭାବେ ଉପସ୍ଥିତ ଥିଲେ। ଆକାଶରୁ ହେଲିକପ୍ଟର ଦ୍ବାରା ପୁଷ୍ପବୃଷ୍ଟି ହୋଇଥିଲା।
ସତ୍ସଙ୍ଗବିହାର ମନ୍ଦିରର ଇନ୍ଚାର୍ଜ ଅଭୟ କୁମାର ପରିଡ଼ା କହିଛନ୍ତି, ଏହି ମନ୍ଦିର ନିର୍ମାଣ ପାଇଁ ୧୯୭୮ ମସିହାରେ ସତ୍ସଙ୍ଗର ଆଧ୍ୟାତ୍ମିକ ଗୁରୁ ଅମରେନ୍ଦ୍ର ନାଥ ଚକ୍ରବର୍ତ୍ତୀ ଶ୍ରୀ ଶ୍ରୀ ବଡ଼ଦା ଶୁଭ ପକାଇଥିଲେ। ଏହା ପରଠାରୁ ସାରା ଭାରତ ବର୍ଷରୁ ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗୃହୀତ ହୋଇଥିଲା। ଶୁଭ ଦେବାର ୧୦ ବର୍ଷ ପରେ ଅର୍ଥାତ ୧୯୮୮ ମସିହାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ମନ୍ଦିର ନିର୍ମାଣ ପାଇଁ ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ ପ୍ରସ୍ତୁତ ହୋଇଥିଲା। ଓଡ଼ିଶା ସମେତ ଆସାମ, ତ୍ରିପୁରା, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ଭକ୍ତମାନେ ମନ୍ଦିର ପ୍ରତିଷ୍ଠା ପାଇଁ ଦାନ ଦେଇଥିଲେ। ତେବେ ୧୯୯୬ ମସିହା ପହଞ୍ଚୁ ପହଞ୍ଚୁ ମନ୍ଦିର ନିର୍ମାଣ ଖର୍ଚ୍ଚ ଦୁଇ ଗୁଣ ହୋଇ ସାରିଥିଲା ଓ ୧ କୋଟି ୨୦ ଲକ୍ଷ ଟଙ୍କାରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ମନ୍ଦିର ନିର୍ମାଣ ସମୟରେ ବର୍ତ୍ତମାନର ସତ୍ସଙ୍ଗ ସମ୍ପାଦକ ବିନାୟକ ମହାପାତ୍ର, ପ୍ରଫେସର ସୀତାକାନ୍ତ ମହାନ୍ତି, ବଟକୃଷ୍ଣ ଜେନା, ପୂର୍ଣ୍ଣଚନ୍ଦ୍ର ନାୟକ, ହୃଷୀକେଶ ସେନାପତି, ନିରୋଜ କୁମାର ମିତ୍ର, ରବୀନ୍ଦ୍ରନାଥ ବିଶ୍ବାଳ, ଜଗବନ୍ଧୁ ଜାଲି, ପତିତପାବନ ମହାନ୍ତି, ଦିଲୀପ ପଣ୍ଡା ପ୍ରମୁଖ ଗୁରୁ ଭାଇମାନେ ଉପସ୍ଥିତ ଥିଲେ।
ତେବେ ମନ୍ଦିର ନିର୍ମାଣ ପାଇଁ ଜାତୀୟ ରାଜପଥ କଡ଼ରେ ଏଭଳି ଏକ ଜାଗା ମିଳିବା କାହାଣୀ ବି ଭାରି ରୋଚକ। ବାସ୍ତବର ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ସତ୍ସଙ୍ଗ ମନ୍ଦିର ନିର୍ମାଣ ପାଇଁ ଏବେ ସହିଦନଗରଠାରେ ଥିବା ଗୌରାଙ୍ଗ ଆଶ୍ରମର ଜାଗାକୁ ଦିଆଯାଇଥିଲା। ଏହି ଜାଗାଟି ପାଖାପାଖି ୬୦ ଡିସିମିଲ୍ ଥିଲା। କିନ୍ତୁ କୌଣସି କାରଣରୁ ସେହି ଜାଗାଟି ସରକାର ସତ୍ସଙ୍ଗ ମନ୍ଦିର ନିର୍ମାଣ ପାଇଁ ଦେଇପାରିନଥିଲେ। ପରେ ୧୯୭୬ ମସିହାରେ ଭିଏସ୍ଏସ୍ ନଗରଠାରେ ୨.୯୦ ଏକର ସ୍ଥାନ ମନ୍ଦିର ପାଇଁ ଦିଆଯାଇଥିଲା। ମନ୍ଦିର ନିର୍ମାଣ ପରେ ଆଖପାଖରେ ଜନବସତି ବି ନିର୍ମିତ ହୋଇଥିଲା। ମନ୍ଦିରର ପ୍ରସିଦ୍ଧି ଫଳରେ ଧୀରେଧୀରେ ଭିଏସ୍ଏସ୍ନଗରର ଏହି ଅଞ୍ଚଳ ସତ୍ସଙ୍ଗବିହାର ନାମରେ ନାମିତ ହୋଇଗଲା। ପ୍ରତି ଶୁକ୍ରବାର ଓ ପୂର୍ଣ୍ଣିମାରେ ମନ୍ଦିରରେ ସତ୍ସଙ୍ଗ ହେବା ସହ ଏହା ସମାଜରେ ଭ୍ରାତୃତ୍ବ, ସହନଶୀଳତା ଓ ଧର୍ମନିରପେକ୍ଷତାର ବାର୍ତ୍ତା ଦେଇଚାଲିଛି।