ଲାଗୁ ହେଲା ଲେନ୍ ଡ୍ରାଇଭିଂ : ନୋ ଓଭରଟେକ୍ ଜୋନ୍

ନୂଆ ଟ୍ରାଫିକ ବ୍ୟବସ୍ଥା ପାଇଁ ବ୍ଲୁ ପ୍ରିଣ୍ଟ, ନନ୍ଦନକାନନରୁ ବିମାନବନ୍ଦର ଛକ ଲେନ୍ ଡ୍ରାଇଭିଂ ବାଧ୍ୟତାମୂଳକ, ରବୀନ୍ଦ୍ର ମଣ୍ଡପ ଛକରୁ ବିମାନବନ୍ଦର ନୋ ଓଭରଟେକ୍ ଜୋନ୍

ଭୁବନେଶ୍ବର : ସେପ୍ଟେମ୍ବର ୧ରୁ ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥାର ନବକଳେବର ହେବ। ନୂଆ ପୁଲିସ କମିସନର, ନୂଆ ଟ୍ରାଫିକ ଡିସିପି ରାଜଧାନୀର ଟ୍ରାଫିକ ପରିଚାଳନା ବ୍ୟବସ୍ଥାକୁ ପୂରା ବଦଳାଇ ଦେବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ବେପରୁଆ ଗାଡ଼ି ଚାଳକ ଯେମିତି ପୁଲିସ ଆଖିରୁ ନ ଖସିବେ, ଟ୍ରାଫିକ ନିୟମ ଉଲ୍ଲଂଘନ କମ୍‌ ହେବ, ରାଜଧାନୀରେ ଦୁର୍ଘଟଣା କମିବ ତାହାକୁ ନଜରରେ ରଖି ଲମ୍ବା ଚଉଡ଼ା ଯୋଜନା ପ୍ରସ୍ତୁତ ହୋଇଛି। ହେଲେ କମିସନରେଟ୍‌ ପୁଲିସର ଏହି ନୂଆ ଯୋଜନାକୁ ସ୍ମାର୍ଟ ସିଟିରେ ହୋଇଥିବା ସ୍ବୟଂଚାଳିତ ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥା ଯେତିକି ସହାୟକ ହେବ, ତାହାଠାରୁ ଅଧିକ ଆହ୍ବାନପୂର୍ଣ୍ଣ ହେବ ରାଜଧାନୀର ବିଭିନ୍ନ ରାସ୍ତାର ଡିଜାଇନ୍।

ରାଜଧାନୀର ଟ୍ରାଫିକ ବ୍ୟବସ୍ଥା ସଜାଡ଼ିବାକୁ ପ୍ରଥମ ପଦକ୍ଷେପ ହେବ ରାଜଧାନୀ‌େର ଲେନ୍‌ ଡ୍ରାଇଭିଂ ଓ ନୋ ଓଭରଟେକିଂ ଜୋନ୍‌ ପ୍ରଚଳନ। ଲେନ୍ ଡ୍ରାଇଭିଂରେ ରାସ୍ତାରେ ଯେତିକି ଲେନ୍ ଥିବ ସେତିକି ଧାଡ଼ିରେ ଗାଡ଼ି ଯିବ। ଏହା ଏବେ ନନ୍ଦନକାନନରୁ ବିମାନବନ୍ଦର ଛକ ପର୍ଯ୍ୟନ୍ତ ରାସ୍ତାରେ ଲାଗୁ ହେବ। ‌ଏହି ଲେନ୍ ଡ୍ରାଇଭିଂକୁ ସଫଳ ଭାବେ ରୂପାୟନ କରିବା ପାଇଁ ପରୀକ୍ଷାମୂଳକ ଭାବେ ରବୀନ୍ଦ୍ର ମଣ୍ଡପ ଛକରୁ ବିମାନବନ୍ଦର ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ନୋ ଓଭରଟେକ୍‌ ଜୋନ୍ ଘୋଷଣା ହୋଇଛି। ନନ୍ଦନକାନନରୁ ବିମାନବନ୍ଦର ଛକ ପର୍ଯ୍ୟନ୍ତ ଅଞ୍ଚଳକୁ କମିସନରେଟ୍ ପୁଲିସ ପକ୍ଷରୁ ନୋ-ଟଲରାନ୍ସ ଜୋନ୍ ଘୋଷଣା କରାଯାଇଥିବା ବେଳେ ଏହି ରାସ୍ତାରେ ହିଁ ଏହାକୁ ଲାଗୁ କରାଯିବ।

ଲେନ୍ ଡ୍ରାଇଭିଂ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରି ଗାଡ଼ି ଚାଳକଙ୍କୁ ସଚେତନ କରାଯିବ। ନୋ ଓଭରଟେକିଂ ଜୋନ୍‌ରେ ଲେନ୍‌ରୁ ବାହାରି ଆଗରେ ଥିବା ଗାଡ଼ିକୁ ଅତିକ୍ରମ କଲେ ଜରିମାନା ଗଣିବାକୁ ହେବ। କୌଣସି ଗାଡ଼ି କାହାକୁ ଓଭରଟେକ୍‌ କରିବେନି। ଯେଉଁଠି ଗାଡ଼ି ଓଭରଟେକ୍‌ କରିବ, ସେଠାରେ ପୁଲିସ କର୍ମୀ ଗାଡ଼ି ଚାଳକକୁ ମାଡ଼ି ବସିବେ। ଯେଉଁଠି ପୁଲିସ କର୍ମଚାରୀ ନଥିବେ ସେଠାରେ ଡ୍ରୋନ୍ ଉଡ଼ାଇ ଏଭଳି ଅମାନିଆ ଗାଡ଼ି ଚାଳକଙ୍କ ଉପରେ ନଜର ରଖାଯିବ। ଡ୍ରୋନ୍ ଉଡ଼ାଇ କିପରି ଗାଡ଼ି ଚାଳକଙ୍କ ଉପରେ ନଜର ରଖାଯିବ ତା’ର ଡେମୋ ଆଜି କମିସନରେଟ୍ ପୁଲିସ ଏଜି ଛକରେ ଦେଖାଇଛି।

ଏନେଇ ପୁଲିସ କମିସନର୍‌ ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ରାଜଧାନୀର ଟ୍ରାଫିକ ବ୍ୟବସ୍ଥା ସଜାଡ଼ିବାକୁ କିଛି କଠୋର ପଦକ୍ଷେପ ନେବାକୁ ପଡ଼ୁଛି। ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା ରାଜଧାନୀବାସୀଙ୍କୁ ଅତିଷ୍ଠ କରିଦେଲାଣି। ସେଥିରେ ସୁଧାର ଆଣିବା ପାଇଁ ପୁଲିସ କଠୋର ହେବାକୁ ବାଧ୍ୟ ହୋଇଛି। ଲେନ୍‌ ଡ୍ରାଇଭିଂ ହେଉ ନଥିବାରୁ ବିଭିନ୍ନ ସ୍ଥାନରେ ଛକ ପାର ହେବାକୁ ଲୋକଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଏହାକୁ ନଜରରେ ରଖି କେତେକ ଛକରେ ପ୍ରାଥମିକତା ଭିତ୍ତିରେ ଲେନ୍‌ ଡ୍ରାଇଭିଂକୁ ବ୍ୟବସ୍ଥିତ କରାଯିବ। ଚାଳକ ଯେଉଁ ଦିଗକୁ ଯିବାକୁ ଚାହୁଁଥିବେ ସେହି ଅନୁସାରେ ନିର୍ଦ୍ଦିଷ୍ଟ ଲେନ୍‌ରେ ଛିଡ଼ା ହେବେ। ବାମ ପଟେ ଅନ୍ୟ ଦିଗକୁ ଯାଉଥିବା ଚାଳକ ପାଇଁ ରାସ୍ତା ଛାଡ଼ି‌େବ। ସେହିଭଳି ସାପ ଭଳି ଅଙ୍କାବଙ୍କା ହୋଇ ଅନ୍ୟ ଗାଡ଼ି ଆଗକୁ ମାଡ଼ି ଯାଉଥିବା ଚାଳକଙ୍କ ଉପରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ନୂଆ ନିୟମକୁ ଠିକ୍ ଭାବେ ଲାଗୁ କରିବା ପାଇଁ ଆମେ ଲୋକଙ୍କୁ ସଚେତନ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ବି ଆଦାୟ କରିବୁ। ବର୍ଷା ଋତୁ ସରିବା ପରେ ଯେଉଁମାନେ ଲେନ୍ ଡ୍ରାଇଭିଂ ବ୍ୟବସ୍ଥାକୁ ମାନୁ ନଥିବେ ସେମାନଙ୍କୁ ରାସ୍ତା କଡ଼ରେ ଅଟକାଇ ୩ ମିନିଟ ପର୍ଯ୍ୟନ୍ତ ଏ ବିଷୟରେ ସଚେତନ କରାଇବୁ। ମୋଟର ଯାନ ସଂଶୋଧିତ ଆଇନ ଲାଗୁ ହେବାକୁ ଥିବାରୁ ବିଭିନ୍ନ ନିୟମ ଉଲ୍ଲଂଘନ ପାଇଁ ଗାଡ଼ି ଚାଳକଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ହେବ। ତେଣୁ ଆମର ନୂଆ ନିୟମ ଟ୍ରାଫିକ୍‌ ବ୍ୟବସ୍ଥା ସଜାଡ଼ିବାରେ ସହାୟକ ହେବ। ନବନିଯୁକ୍ତ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଏହି ବ୍ୟବସ୍ଥାର ପରିଚାଳନା କରିବା ସହ ଏନ୍‌ଫୋର୍ସମେଣ୍ଟ ନିଶ୍ଚିତ କରିବେ ବୋଲି କମିସନର କହିଛନ୍ତି।

ଲେନ୍ ଡ୍ରାଇଭିଂ ପାଇଁ କ’ଣ ରହିବ ଚ‌ାଲେଞ୍ଜ

ପ୍ରଥମ ପର୍ଯ୍ୟାୟରେ ନନ୍ଦନକାନନରୁ ବିମାନବନ୍ଦର ଛକ ପର୍ଯ୍ୟନ୍ତ ରାସ୍ତାରେ ଲେନ୍ ଡ୍ରାଇଭିଂ ଲାଗୁ ହେବ ବୋଲି ନିୟମ ହେଉଛି। ହେଲେ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ଲେନ୍ ଚିହ୍ନଟ ପାଇଁ ଯେଉଁ ଧଳା ଗାର ପଡ଼ିଥିଲା, ତାହା ଲିଭି ଯାଇଛି। ବିଭିନ୍ନ ଛକରେ ଜେବ୍ରା କ୍ରସିଂ ଲିଭି ଯାଇଛି। ରାସ୍ତାର ଓସାର ୪୦ଫୁଟ ଥିବା ବେଳେ ଦୁଇଟି ଲେନ୍‌ର ଗାର ପଡ଼ିଛି। ତେଣୁ କିପରି ଲେନ୍ ଡ୍ରାଇଭିଂ ନିୟମ ଏହି ରାସ୍ତାରେ ଲାଗୁ ହେବ, ତାହା ପ୍ରଶ୍ନ ଉଠିଲାଣି। କେବଳ ଏତିକି ନୁହେଁ, ଲେନ୍ ଡ୍ରାଇଭିଂ ନିୟମ ଲାଗୁ ହେଲେ ସହର ଭିତରେ ଗୋଟିଏ ଲେନ୍‌ରେ କେତୋଟି କାର୍‌ ବା ଚାରିଚକିଆ ଗାଡ଼ି ପାଖାପାଖି (ସମତଳ‌େର) ରହିବେ। ଗୋଟିଏ ଲେନ୍‌ରେ କେତୋଟି ବାଇକ୍ ପାଖାପାଖି (ସମତଳରେ) ରହିବେ ତାହା ବି ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ଦରକାର।

ନୋ ଓଭରଟେକ୍ ଜୋନ୍‌ ପାଇଁ କ’ଣ ଚାଲେଞ୍ଜ

ନୋ ଓଭରଟେକ୍ ଜୋନ୍‌ରେ କୌଣସି ଗାଡ଼ି ଆଗରେ ଥିବା ଗାଡ଼ିକୁ ଅତିକ୍ରମ କରିବେନି ବୋଲି ନିୟମ ହୋଇଛି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଆଗରେ ଗାଡ଼ି ଚଳାଉଥିବା ଲୋକର ଗାଡ଼ିରେ କିଛି ଯାନ୍ତ୍ରିକ ତ୍ରୁଟି ଥିବ ବା ବରିଷ୍ଠ ନାଗରିକ ଚଲାଉଥିବା କାରଣରୁ ଗାଡ଼ିଟି ଅତି ଧୀରେ ଧୀରେ ଚାଲୁଥିବ ତେବେ କ’ଣ ପଛ ଗାଡ଼ି ତାକୁ ଅତିକ୍ରମ ନକରି ସେମିତି ଚାଲିବ। ବିଭିନ୍ନ ସହରରେ ଲେନ୍‌ ଡ୍ରାଇଭିଂ ବା ନୋ ଓଭରଟେକ୍ ଜୋନ୍‌ ନିୟମ କଡ଼ାକଡ଼ି ଲାଗୁ କରିବା ପାଇଁ ସେହି ରାସ୍ତାରେ ଗାଡ଼ିର ସର୍ବନିମ୍ନ ଓ ସର୍ବାଧିକ ଗତି ଧାର୍ଯ୍ୟ କରାଯାଇଛି। ଫଳରେ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକଙ୍କର କିଛି ଅସୁବିଧା ହେବନି କି ଓଭରଟେକ୍ କଲେ ଜରିମାନା ଦେବାର ଭୟ ରହିବନି। କିନ୍ତୁ ଏଠାରେ ଏହାକୁ ଲାଗୁ ନକରି ଏହିଭଳି ନୂଆ ନିୟମ କଲେ ଏହା କେତେଦୂର ସଫଳ ହେବ, ତାହା ଦେଖିବାକୁ ବାକି ରହିଲା।

ଡ୍ରୋନ୍ କିଏ କେତେ ସମୟ ଉଡ଼ାଇବ

ପୁଲିସ କମିସନର କହିଛନ୍ତି ଯେଉଁଠି ଲେନ୍ ଡ୍ରାଇଭିଂ ଏବଂ ନୋ ଓଭରଟେକ୍ ଜୋନ୍‌ରେ ପୁଲିସ ମୁତୟନ ହୋଇନଥିବେ, ସେଠାରେ ଡ୍ରୋନ୍ ଗାଡ଼ି ଚାଳକଙ୍କ ଉପରେ ନଜର ରଖିବ। ଏଠାରେ ପ୍ରଶ୍ନ ଉଠିଲାଣି ଡ୍ରୋନ୍ ଚଳାଇବାକୁ କମିସନରେଟ୍ ପୁଲିସରେ ସେତିକି ବଳକା ଏବଂ ବୈଷୟିକ ଜ୍ଞାନ ଥିବା ପୁଲିସ ଅଛନ୍ତି ତ! ଯଦି ଅଛନ୍ତି କେତେ ସମୟ ରିମୋଟ୍‌ ଧରି କିଏ ଡ୍ରୋନ୍ ଉଡ଼ାଇବ। ଡ୍ରୋନ୍ ଉଡ଼ାଇବା ବେଳେ ଟିକେ ଅନ୍ୟମନସ୍କ ହେଲେ ରାସ୍ତା କଡ଼ରେ ଥିବା ଘର, ଗଛ, ଷ୍ଟ୍ରିଟଲାଇଟ୍ ଓ ବିଜୁଳି ଖୁଣ୍ଟ, ବିଦ୍ୟୁତ ତାରରେ ମାଡ଼ ହୋଇ ଡ୍ରୋନ୍ ତଳେ ପଡ଼ିବାର ଆଶଙ୍କା ଅଛି। ଯଦି ଡ୍ରୋନ୍ ଭାଙ୍ଗିବ, ତେବେ କମିସନରେଟ୍ ପୁଲିସ ପୁଣି ଡ୍ରୋନ୍ କିଣି ଚଳାଇବ ତ!

ସମ୍ବନ୍ଧିତ ଖବର