ଆଜି ସଚେତନତା, କାଲି ଜରିମାନା, ଗଣେଶ ବଞ୍ଚେଇଦେଲେ!

ଜରିମାନା ଦେଲେ ପୁଲିସ ବାବୁ

ଗଣେଶ ପୂଜା କରିବାକୁ ବାହାରିଥିଲେ ନନା। ଏଜି ଛକରେ ଧରା ପଡ଼ିଗଲେ। ଗାଡ଼ିରେ ନମ୍ବର କି ମୁଣ୍ଡରେ ହେଲ୍‌ମେଟ୍‌ ନଥିଲା। ପୁଲିସ ମାଡ଼ି ବସିଲା। ପାଖରେ ୬ ଫୁଟ ଉଚ୍ଚା ଲମ୍ବା ହୋର୍ଡିଂରେ ମୋଟା ଅଙ୍କର ଜରିମାନା ହିସାବ କରୁ କରୁ ନନାଙ୍କ ଝାଳ ବାହାରିଗଲା। ଗାଡ଼ି ଗଡ଼େଇ ଗଡ଼େଇ ନନା ରାସ୍ତା କଡ଼କୁ ଆସିଲେ। ପୁଲିସ କର୍ମଚାରୀ କହିଲେ ‘ନନା, ସୁଧୁରି ଯାଅ, ଆଜି ସଚେତନତା, କାଲି ଜରିମାନା।’ ନୂଆ ଗାମୁଛାରେ ନନା ଝାଳ ପୋଛି କହିଲେ ‘ମଣିଷ ବର୍ତ୍ତିଗଲା! ଗଣେଶ ବଞ୍ଚେଇଦେଲେ।’

ନୂ୍ଆ ମୋଟର ଯାନ ଆଇନକୁ ନେଇ ଗତକାଲି ତନାଘନା ହେବା ପରେ ପବିତ୍ର ଗଣେଶ ପୂଜାରେ ପୁଲିସ ଆଜି ଜରିମାନା ଆଦାୟ କରିନାହିଁ। ଗାଡ଼ି ଧରି ଘରୁ ବାହାରିବା ପୂର୍ବରୁ ଖାଲି ଟିକେ ସଚେତନ ହେଲେ ମୋଟା ଅଙ୍କର ଅର୍ଥ ଶ୍ରାଦ୍ଧରୁ ବର୍ତ୍ତି ହେବ ବୋଲି ଚାଳକଙ୍କୁ ପରାମର୍ଶ ଦେଇଛି। ଏଜି, ରାଜମହଲ, ଆଚାର୍ଯ୍ୟବିହାର, ଜୟଦେବ ବିହାର, ନାଲ୍‌କୋ, ପଟିଆ ଛକରେ ପୁଲିସ ଅମାନିଆ ଚାଳକଙ୍କୁ ଏଭଳି ସଚେତନ କରାଇଛି। ବିନା ସିଟ୍‌ ବେଲ୍ଟରେ କାର୍‌ ଚଳାଉଥିବା ଶତାଧିକ ଚାଳକଙ୍କ ସମେତ ମୋ’ ବସ୍‌ ଚାଳକ ମଧ୍ୟ ଜରିମାନାରୁ ବର୍ତ୍ତିଛନ୍ତି।

ଅପରପକ୍ଷେ ଟ୍ରାଫିକ୍‌ ଏସିପି କିଶୋର ପାଣିଗ୍ରାହୀ ସ୍ପଷ୍ଟ କରିଛନ୍ତି ଯେ ଗାଡ଼ିରେ ସଦାସର୍ବଦା କାଗଜପତ୍ର ରଖିବା ବାସ୍ତବରେ ସମ୍ଭବ ନୁହେଁ। ଏଣୁ ମୋବାଇଲରେ କାଗଜପତ୍ରର ଫଟୋ ରଖିଲେ ବି ତାହାକୁ ବିଚାରକୁ ନିଆଯିବ। କିନ୍ତୁ ସମସ୍ତ କାଗଜପତ୍ର ବୈଧ ହେବା ଜରୁରି। ବାଇକ୍‌ ପାଇଁ ୫ଟି କାଗଜପତ୍ର ପାଖରେ ରଖିବା ବାଧ୍ୟତାମୂଳକ। ସେଗୁଡ଼ିକ ହେଉଛି, ଆର୍‌ସି(ରେଜିଷ୍ଟ୍ରେସନ ସାର୍ଟିଫିକେଟ୍‌), ଡିଏଲ୍‌(ଡ୍ରା‌ଇଭିଂ ଲାଇସେନ୍ସ), ବୀମା, ଫିଟ୍‌ନେସ୍‌ ଓ ପ୍ରଦୂଷଣମୁକ୍ତ ପ୍ରମାଣପତ୍ର। ଏହି ୫ଟି କାଗଜପତ୍ର ବୈଧ ନଥିଲେ ଗାଡ଼ି ଜବତ କରାଯିବ। ଅନେକ କାଗଜପତ୍ର ସ୍ମାର୍ଟକାର୍ଡ ହୋଇଗଲାଣି। ଯେଉଁଗୁଡ଼ିକ ସ୍ମାର୍ଟକାର୍ଡ ନାହିଁ, ତାହାର ‌ଫଟୋ ପାଖରେ ଥିଲେ ସମସ୍ୟା ନାହିଁ। କିନ୍ତୁ କୌଣସି ଗୋଟିଏ କାଗଜ ଅବୈଧ ହେଲେ ବା ନଥିଲେ ଗାଡ଼ି ଜବତ ହେବ। କାଗଜ ଦେଖାଇବା ପରେ ଗାଡ଼ି ନେଇପାରିବେ।

ଜରିମାନା ଦେଲେ ପୁଲିସ ବାବୁ

ବାଲିପାଟଣା : ଚେକିଂରେ ପଡ଼ି ଜରିମାନା ଦେଲେ ପୁଲିସ ବାବୁ। ଗତକାଲି ବାଲିପାଟଣା ଥାନା ଅଧିକାରୀ ସରକାରୀ କାମରେ ଗାଡ଼ି ‌(ଓଡି୦୫ବି-୯୯୯୧)ରେ ଭୁବନେଶ୍ବର ଆସିଥ‌ିଲେ। ଚାଳକ ଲୋକନାଥ ମିଶ୍ର ସିଟ୍‌ ବେଲ୍ଟ ବାନ୍ଧିନଥିଲେ। ଏଥିପାଇଁ ଟ୍ରାଫିକ ଥାନାରେ ତାଙ୍କୁ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିଥିବା ଜଣାପଡ଼ିଛି।

ଅପରପକ୍ଷରେ ସଂଶୋଧିତ ମୋଟର ଯାନ ଆଇନ ବିଧିବଦ୍ଧ ଭାବେ ଲାଗୁ ହେବା ପରେ ଆଜି ବାଲିପାଟଣା ଥାନା ତରଫରୁ ବାଲିପାଟଣା ଛକଠାରେ ଗାଡ଼ି ଚାଳକମାନଙ୍କୁ ସଚେତନ କରାଯାଇଛି। ଆଗାମୀ ଦିନରେ ବିଭିନ୍ନ ଅଞ୍ଚଳରେ ଗାଡ଼ି ଚେକିଂ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି ବାଲିପାଟଣା ଥାନା ଅଧିକାରୀ ରମାକାନ୍ତ ସାହୁ। ଆଜି ଗଣେଶ ପୂଜା ଥିବାରୁ ବହୁ ଛାତ୍ରଛାତ୍ରୀ ଗାଡ଼ି ଚଳାଉଥିବା ସମୟରେ ପୁଲିସ ସେମାନଙ୍କୁ ସଚେତନ କରାଇଛି।

ସମ୍ବନ୍ଧିତ ଖବର